ପାଟନା: ଦଳୀୟ ନୀତିରେ ଅସନ୍ତୁଷ୍ଟ ଥିବା ବଲିଉଡ୍ ତାରକା ଶତୃଘ୍ନ ସିହ୍ନାଙ୍କୁ ବିଜେପି ଚରମ ବାଣୀ ଶୁଣାଇଛି। ଯଦି ଦଳ ତୁମକୁ ଭଲ ଲାଗୁନି ତେବେ ଦଳ ଛାଡ଼ି ଯାଇପାର ବୋଲି ଶତୃଘ୍ନଙ୍କୁ ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶିଲ କୁମାର ମୋଦୀ କହିଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଶ୍ରୀ ସିହ୍ନା ବିଜେପିର ନୀତି ଓ ଆଦର୍ଶକୁ ସମାଲୋଚନା କରି ଆସୁଛନ୍ତି। ନିକଟରେ ଦଳ ଛାଡ଼ିଥିବା ୟଶୱନ୍ତ ସିହ୍ନାଙ୍କ ସହିତ ମିଶି ସେ ବିଭିନ୍ନ ସାମ୍ବାଦିକ ସମ୍ମିଳନୀରେ ରାଫେଲ୍ ଡିଲ୍, ତୈଳ ଦର ବୃଦ୍ଧି, ବିଜୟ ମାଲ୍ୟା ଓ ବିମୁଦ୍ରାକରଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରୁଛନ୍ତି। ଏକ ଟିଭି ଚ୍ୟାନେଲ୍ରେ ସାକ୍ଷାତକାର ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ ଶତୃଘ୍ନ ତାଙ୍କର ଆଦର୍ଶ ହୋଇ ଆସିଛନ୍ତି। କିନ୍ତୁ ଗତ କିଛି ଦିନ ହେଲା ସେ ଦଳକୁ ସମାଲୋଚନା କରିବା ପାଇଁ ଯେଉଁ ଭଳି ଶବ୍ଦ ବ୍ୟବହାର କରୁଛନ୍ତି ତାହା ଠିକ୍ ନୁହେଁ। ଯେଉଁ ଦଳ ତାଙ୍କୁ ଦୁଇ ଦୁଇ ଥର ରାଜ୍ୟସଭାକୁ ପଠାଇଛି, ଲୋକସଭା ଟିକେଟ୍ ଦେଇଛି, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛି ସେହି ଦଳ ବିରୋଧରେ ଶତୃଘ୍ନ ଅଭିଯୋଗ ଆଣୁଛନ୍ତି। ଏପରିକି ରାଜ୍ୟରେ ବିଜେପିର ପ୍ରମୁଖ ବିରୋଧରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସହିତ ସାକ୍ଷାତ କରୁଛନ୍ତି ଏବଂ ତାଙ୍କ ପୁଅକୁ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି। ତେଣୁ ସେ ୨୦୧୯ରେ ଅନ୍ୟ ଦଳରେ ଯୋଗ ଦେଇପାରନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।
ଦଳ ଛାଡ଼ିବାକୁ ଶତୃଘ୍ନଙ୍କୁ ପରାମର୍ଶ ଦେଲେ ସୁଶୀଲ
Popular Categories



