ସମ୍ବଲପୁର : ମହାନଦୀ ପଠାରେ ସମ୍ବଲପୁରର ରିଂ ରୋଡରେ ଥିବା ଅଯେଧ୍ୟା ସରୋବର ଠାରେ ପବିତ୍ର ଦୀପୋତ୍ସବ ଆୟୋଜିତ ହୋଇଯାଇଛି। ସୋମବାର ମାରୱାଡି ଯୁବାମଞ୍ଚ, ନବଚେତନା, ପ୍ରାଚୀନ ହନୁମାନ ମନ୍ଦିରର କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଶ୍ରଦ୍ଧାଳୁମାନେ ଅଯୋଧ୍ୟା ସରୋବର ଘାଟରେ ୧ ଲକ୍ଷ ୧୧ ହଜାର ୧୧୧ଟି ଦୀପ ପ୍ରଜ୍ୱଳିତ କରିଛନ୍ତି। ଆଜି ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟି ଅଯୋଧ୍ୟା ଠାରେ ପବିତ୍ର ରାମ ମନ୍ଦିର ନିର୍ମାଣ କରାଯାଇ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବାର ଶୁଭ ମୁହୁର୍ତ୍ତକୁ ଚିରସ୍ମରଣୀୟ କରିବା ସହିତ ଶ୍ରୀରାମଙ୍କୁ ସ୍ୱାଗତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।
ଏକ ସାଥିରେ ୧ ଲକ୍ଷ ୧୧ ହଜାର ୧୧୧ ଦୀପ ପ୍ରଜ୍ୱଳନ ପରେ ସମଗ୍ର ଅଞ୍ଚଳ ଶ୍ରାରାମ ଧ୍ୱନିରେ ରାମମୟ ହୋଇଯାଇଥିଲା। ଏହି ଅବସରରେ ଆକର୍ଷଣୀୟ ଆତସବାଜି କାର୍ଯ୍ୟକ୍ରମ ସହିତ ପ୍ରଭୁ ଶ୍ରୀରାମଙ୍କ ଉପରେ ଆଧାରିତ ଲାଇଭ ପେଣ୍ଟିଂ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସ୍ୱତନ୍ତ୍ର ମହାଆଳତୀ କରାଯାଇଥିଲା। ଏହି ଚିର ସ୍ମରଣୀୟ ମୁହୁର୍ତ୍ତର ସାକ୍ଷୀ ରହିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ରିଂ ରୋଡରେ ଏକତ୍ରିତ ହୋଇ ଶ୍ରୀରାମଙ୍କୁ ସ୍ୱାଗତ କରିଥିଲେ।



