ସମ୍ବଲପୁର ଚିଡିଆଖାନାକୁ ଆସିଲା ବିରଳ କୃଷ୍ଣ ସାର ମୃଗ

ସମ୍ବଲପୁର: ସମ୍ବଲପୁରର ବ୍ରୃକ୍ସହିଲ ପାହାଡରେ ସ୍ଥିତ ଚିଡଆଖାନା ତରଫରୁ ଆଗନ୍ତୁକ ମାନଙ୍କ ପାଇଁ ନୁଆବର୍ଷର ଭେଟି ଦିଆଯାଇଛି। ଏହି ଚିଡିଆଖାନାକୁ ନୁଆ ଅତିଥି ରୂପେ ବିରଳ କୃଷ୍ଣ ସାର ମୃଗ ସୋମବାର ବିଳମ୍ବିତ ରାତ୍ରିରେ ଆସିଛନ୍ତି। ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନାନୁଯାୟୀ, ବନ୍ୟପ୍ରାଣୀ ମୁଖ୍ୟାଳୟ ଓ ସରକାରଙ୍କ ଅନୁମତି କ୍ରମେ ନନ୍ଦନକାନନ ଓ ସମ୍ବଲପୁର ଚିଡିଆଖାନା ମଧ୍ୟରେ ହୋଇଥିବା ବନ୍ୟ ପ୍ରାଣୀ ଅଦଳ ବଦଳ କାର୍ଯ୍ୟକ୍ରମ ଅର୍ନ୍ତଗତ ଗତକାଲି ରାତ୍ରିରେ ସମ୍ବଲପୁର ଚିଡିଆଖାନାକୁ ଏହି ବନ୍ୟ ପ୍ରାଣୀ ମାନେ ଆସିଛନ୍ତି। ବନ୍ୟ ପ୍ରାଣୀ ମାନଙ୍କର ସ୍ଥାନାନ୍ତରଣ ସମୟରେ ଉଭୟ ସମ୍ବଲପୁର ଓ ନନ୍ଦନକାନନ ଚିଡିଆଖାନାର ସ୍ୱତନ୍ତ୍ର ଦଳ ସାମିଲ ହୋଇଥିଲେ। ବନ୍ୟ ପ୍ରାଣୀ ଅଦଳ ବଦଳ କାର୍ଯ୍ୟକ୍ରମ ଅର୍ନ୍ତଗତ ନନ୍ଦନକାନନରୁ ୮ଟି କୃଷ୍ଣ ସାର ମୃଗ (୪ଟି ଅଣ୍ଡିରା ଓ ୪ଟି ମାଈ) ଆସିଥିବା ବେଳେ ଆଗାମୀ ଦିନରେ ୮ଟି ନୀଳ ଗାଈ (୪ଟି ଅଣ୍ଡିରା ଓ ୪ଟି ମାଈ) ସମ୍ବଲପୁର ଚିଡିଆଖାନାକୁ ଆସିବାର ଯୋଜନା ରହିଛି। ଅନ୍ୟ ପଟରେ ସମ୍ବଲପୁର ଚିଡିଆଖାନାରେ ବିରଳ ପ୍ରଜାତିର ଚଉସିଂଙ୍ଗା ବହୁଳ ମାତ୍ରାରେ ରହିଥିବାରୁ ୭ଟି ଚଉସିଙ୍ଗା (୨ଟି ଅଣ୍ଡିରା ଓ ୫ଟି ମାଈ) ଏବଂ ୫ଟି ସମ୍ବର (୨ଟି ଅଣ୍ଡିରା ଓ ୫ଟି ମାଈ) ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ଚିଡିଆଖାନାକୁ ପଠାଯିବ।

ଡିଏଫଓ ଅଂଶୁପ୍ରଜ୍ଞା ଦାସ ଆହୁରୀ କହିଛନ୍ତି ଯେ, ନୂତନ ଆସିଥିବା ବନ୍ୟ ପ୍ରାଣୀ ମାନଙ୍କୁ ଗୋଟିଏ ମାସ ପର୍ଯ୍ୟନ୍ତ ସମ୍ବଲପୁର ଚିଡଆଖାନାରେ କ୍ୱାରେଣ୍ଟାଇନ ରଖାଯିବା ପରେ ସର୍ବସାଧାରଣକୁ ଛଡାଯିବ। କୃଷ୍ଣ ସାର ମୃଗ ବିରଳ ପ୍ରଜାତିର ବନ୍ୟ ପ୍ରାଣୀ ସୂଚୀରେ ରହିଛି। ଓଡ଼ିଶାର କେବଳ ଗଞ୍ଜାମ ଜିଲାର ଜଙ୍ଗଲ ଗୁଡିକ ସମେତ ଭାରତର କିଛି ସ୍ଥାନରେ ଏହା ଦେଖିବାକୁ ମିଳିଥାଏ। ସମ୍ବଲପୁରର ଚିଡିଆଖାନାରେ ଆଗନ୍ତୁକ ମାନଙ୍କ ପାଇଁ ନୁଆବର୍ଷର ଭେଟି ସ୍ୱରୂପ ନବରାତ୍ରି ଗୃହ, ଅର୍କିଡାରିୟମ ଓ ଗୋଲାପ ବଚିଚା ସହିତ ଏହି ପ୍ରାଣୀ ଉଦ୍ୟାନର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜୋରସୋରରେ ଚାଲିଛି। ନୁଆ ବର୍ଷ ସୁଦ୍ଧା ଏହା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ। ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଚିଡିଆଖାନାରେ ୧୫ଟି ପ୍ରଜାତିର ବନ୍ୟ ପ୍ରାଣୀ ଯଥା ବାଘ, ସମ୍ବର, ଚଉସିଂହା, ସ୍ପଟେଡ ହରିଣ, ଭାଲୁ, ରକ ପାଇଥନ, ବିଭିନ୍ନ ପ୍ରକାରର ପକ୍ଷୀ ଆଦି ୨୭ଟି ବାଡ ଦିଆଯାଇଥିବା ଘର ଗୁଡିକ ମଧ୍ୟରେ ରହିଥିବା ବେଳେ ଏବେ କୃଷ୍ଣ ସାର ମୃଗ ମାନଙ୍କର ଆଗମନ ପରେ ସମୁଦାୟ ୧୬ଟି ପ୍ରକାରର ବନ୍ୟ ପ୍ରାଣୀ ରହିବେ। ଏଥି ସହ ଛୁଆ ମାନଙ୍କ ପାଇଁ ପାର୍କ, କୁତ୍ରିମ ଝରଣା ଆଦିର ମଧ୍ୟ ନୂତନ ନିର୍ମାଣ କରାଯାଇଛି। ଏତଦ୍ୱାରା ସମ୍ବଲପୁର ଚିଡିଆଖାନାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Comments are closed.