ହାତୀ ଦାନ୍ତ ଉଦ୍ଧାର : ୩ ଗିରଫ, ୨ ଫେରାର

ସମ୍ବଲପୁର: ସମ୍ବଲପୁର ସହର ଠାରେ ହାତୀ ଦାନ୍ତ ବିକ୍ରି କରୁଥିବା ସମୟରେ ଏକ ରାକେଟକୁ ସମ୍ବଲପୁର ବନ ବିଭାଗ ଧରିଛି। ଏ ସର୍ମ୍ପକରେ ସମ୍ବଲପୁର ବନ ବିଭାଗର ଡିଏଫଓ ନିଳାମ୍ବରମ ବିଶ୍ୱନାଥ ଓ ବୌଦ୍ଧ ବନ ବିଭାଗର ଡିଏଫଓ ଦେବ ପ୍ରିୟ କମ୍ପ ମିଳିତ ଭାବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସମ୍ବଲପୁର ସ୍ଥିତ ବନ ବିଭାଗର କାର୍ଯ୍ୟାଳୟ ଠାରେ ଗୁରୁବାର ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡିଏଫଓ ବିଶ୍ୱନାଥ କହିଛନ୍ତି ଯେ ସମ୍ବଲପୁରର ସାପଲହରା ଠାରେ ଦନ୍ତାହାତୀ ମୃତ୍ୟୁ ଘଟଣା ପରେ ବିଭାଗ ଏ ନେଇ ତଦନ୍ତ କରୁଥିବା ବେଳେ ସହର ମଧ୍ୟରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ ଚାଲୁଥିବାର ଖବର ପାଇଥିଲେ। ଏଣୁ ତୁରନ୍ତ ବନ ବିଭାଗର ସ୍ୱତନ୍ତ୍ର ଦଳ ସେମାନଙ୍କ ଉପରେ ନଜର ରଖିଥିଲେ। ଚୋରା ଚାଲାଣକାରୀ ମାନେ ଅଇଁଠାପାଲି ସ୍ଥିତ ଏକ ହୋଟେଲରେ ଡିଲ କରୁଥିବା ବେଳେ ବନ ବିଭାଗ ଦଳ ସେଠାରେ ଚଢ଼ଉ କରି ୨ଟି ହାତି ଦାନ୍ତ ସମେତ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଅପରପକ୍ଷରେ ଏହି ଘଟଣାରେ ଆହୁରୀ ୨ ଜଣ ଅଭିଯୁକ୍ତ ଫେରାର ଥିବାର ଡିଏଫଓ ବିଶ୍ୱନାଥ ସୂଚନା ଦେଇଛନ୍ତି। ଜବତ ହୋଇଥିବା ହାତୀ ଦାନ୍ତ ଗୁଡିକ ପ୍ରାୟ ୧ ଫୁଟ ଲମ୍ବର ହୋଇଥିବା ବେଳେ ଏହା ବୌଦ୍ଧ ଜଙ୍ଗଲ ଅଞ୍ଚଳରେ ବିଗତ ଦିନରେ ଶିକାର କରାଯାଇଥିବା ହାତୀ ମୃତ୍ୟୁ ଘଟଣା ସହିତ ଏହାର କିଛି ସର୍ମ୍ପକ ଅଛି ନା ନାହିଁ ତାହାର ତଦନ୍ତ ବିଭାଗ ପକ୍ଷରୁ ଜାରି ରହିଛି ବୋଲି ଡିଏଫଓ କମ୍ପ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅପରପକ୍ଷରେ ଏହି ଘଟଣା ସର୍ମ୍ପକରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଏହି ଘଟଣା ସର୍ମ୍ପକରେ ବିଭିନ୍ନ ପ୍ରଶ୍ନ ଯଥା ମୃତ୍ୟୁବରଣ କରିଥିବା ହାତୀର ବୟସ, ହାତୀ ଦାନ୍ତର ମୂଲ୍ୟ, ଓଜନ, କିଭିଳି ଭାବରେ ରେ ହାତୀ ଦାନ୍ତ ସଂଗ୍ରହ କରାଯାଇଛି, କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା, ରାଜ୍ୟ ମଧ୍ୟରେ ନା ବାହାରେ ଇତ୍ୟାଦି ଗୁଡିକର ଉତ୍ତର ଦେଇ ନ ପାରି ଉଭୟ ଡିଏଫଓ କେବଳ ତଦନ୍ତ ଚାଲିଛି ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ସମ୍ବଲପୁରର ଉପକଣ୍ଠରେ ସ୍ଥିତ ସାପଲହରା ଗ୍ରାମ ନିକଟରେ ଶିକାରୀ ମାନଙ୍କର ଗୁଳିରେ ଆହତ ହୋଇ ଗ୍ରାମର ବନ୍ଧରେ ଗୋଟିଏ ଦନ୍ତାହାତୀ ମୃତ୍ୟୁବରଣ କରିଥିଲା। ସେ ସମୟରେ ଏହି ଘଟଣାରେ ଜଣକୁ ବନ ବିଭାଗ ଗିରଫ କରି ତଦନ୍ତ ଚଳାଇଛି।

Comments are closed.