ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା

କୁଳଦେବୀଙ୍କୁ କନ୍ୟା ରୂପେ ପାଇବାର ସୌଭାଗ୍ୟ ମିଳିଛି : ପଟେଲ ପରିବାର

ସମ୍ବଲପୁର: ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ସପ୍ତାହବ୍ୟାପୀ ଶୀତଳ ଷଷ୍ଠୀ ଯାତ୍ରାର ଶୁଭାରମ୍ଭ  ଆରମ୍ଭ  ହୋଇଛି । ସମ୍ବଲପୁରର ସର୍ବପୂରାତନ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ମହାଦେବ ଓ ପାର୍ବତୀଙ୍କର ବିବାହ ଓ ମୁଖ୍ୟ ଯାତ୍ରା ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ କାମ ସାରିଥିବା ବେଳେ ଚଳିତ ବର୍ଷର କନ୍ୟା (ମାତା ପାର୍ବତୀ) ପିତାମାତାଙ୍କ ଘରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି ।

ଚଳିତ ବର୍ଷ ମାତା ପାର୍ବତୀଙ୍କ ପିତାମାତା ଦାୟିତ୍ୱ ନିର୍ବାହ କରୁଥିବା ଗୋଲବଜାର ନିବାସୀ ଗିରିଶ ପଟେଲ ଓ ଧର୍ମପତ୍ନୀ ହଂସାବେନ ପଟେଲ କହିଛନ୍ତି ଯେ, ଜଗତଜନନୀ ମାତା ପାର୍ବତୀଙ୍କର ମାତାପୀତା ହେବାର ସୌଭାଗ୍ୟ ମିଳିବା ଭାଗ୍ୟର କଥା । ଏଥି ସହ ଉମିଆଁ (ପାର୍ବତୀ) ଆମର କୂଳଦେବୀ ହୋଇଥିବା ବେଳେ ତାଙ୍କର ପିତାମାତା ହେବାର ସୁଯୋଗ ମିଳିବାର ଖୁସିକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ । ପିଢ଼ି ପରେ ପିଢ଼ି ମା ଉମିଆଁଙ୍କ ସେବା ପରେ ଆମକୁ ଏତେ ବଡ ଗୁରୁଦାୟିତ୍ୱ ନିର୍ବାହ କରିବା ପାଇଁ ସୁଯୋଗ ଦେଇଥିବାରୁ ଆମର ଜୀବନ ଧନ୍ୟ ହୋଇଯାଇଛି । ଛୋଟ ସମୟରୁ ଶୀତଳଷଷ୍ଠୀ ଯାତ୍ରା ଆମେ ଦେଖି ଆସୁଛୁ । ପ୍ରାୟ ୧୫ ବର୍ଷ ତଳେ ମୋର ଏହି ଧାର୍ମିକ ଦେବ ବିବାହରେ ମୋର କନ୍ୟା ପୀତା ଦାୟିତ୍ୱର ଇଚ୍ଛା ଜାଗ୍ରତ ହୋଇଥିଲା ଏବଂ ମୁଁ ତାହା ପତ୍ନୀ ହଂସାବେନଙ୍କୁ କହିଥିଲି । ଆମର କୂଳଦେବୀ ଉମିଆ (ପାର୍ବତୀ) ହୋଇଥିବାରୁ ସେ ମଧ୍ୟ ଅତ୍ୟନ୍ତ ଖୁସିର ସହିତ ସୁଯୋଗ ମିଳିଲେ ନିଶ୍ଚିତ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ବିଭିନ୍ନ କାରଣରୁ ଆମର ଇଚ୍ଛା ମନ ମଧ୍ୟରେ ଦବି ରହିଯାଇଥିଲା । ତେବେ ଚଳିତ ବର୍ଷ ବାବା ଓ ମାତାଙ୍କ ଆଶୀର୍ବାଦ ମିଳିବାରୁ ଆମର ଶକ୍ତି ମୁତାବକ ଧୁମଧାମରେ ବିବାହ କାର୍ଯ୍ୟକ୍ରମ ଆୟୋଜିତ କରୁଛୁ ।

ବିବାହ କାର୍ଯ୍ୟ ଓ ସମସ୍ତ ରୀତିନୀତି ଗୋଲବଜାର ସ୍ଥିତ ଆମର ବାସଭବନ ଠାରେ ଆୟୋଜିତ ହେବ । ସମ୍ପୂର୍ଣ୍ଣ ଲୋକାଚାର ନୀତିରେ ଆୟୋଜିତ ଏହି ବିବାହ ପାଇଁ ଘରର ବଡଝିଅ ଓ ଜ୍ୱାଇଁଙ୍କ ବିବାହ ପାଇଁ ସମସ୍ତ ଆୟୋଜନ କରାଯାଇଛି । ମହାଦେବ ବାବା ବାଲୁଙ୍କେଶ୍ୱରଙ୍କ ପାଇଁ ସୁନାର ମାଳି, ମୁଦି, ବଳା, ରୁଦ୍ରାକ୍ଷ, ରୂପାର ମୁକୁଟ, ଚିଲମ, ବଳା, କଠଉ, ଚାମଚ, ଥାଳି, ଗିନା ଓ ଗ୍ଲାସର ବ୍ୟବସ୍ଥା କରାଯାଇଛି । ସେହିଭଳି ମାତା ପାର୍ବତୀଙ୍କ ପାଇଁ ସୁନାର ମାଳି, ନଥ, କାନଫୁଲ, ମୁଦି, ବଳା, ରୂପାର ମୁକୁଟ, ଗୋଡ ମୁଦି, ବଳା, ପାଉଁଞ୍ଜି, ମାଳି, ଗଣେଷ ମୂର୍ତ୍ତି ଓ ମାତା ଲକ୍ଷ୍ମୀର ମୂର୍ତ୍ତିର ବ୍ୟବସ୍ଥା କରାଯାଇଛି । ଏଥି ସହ ଘରକରଣା ସାମଗ୍ରୀରେ କୁଲର, ଚୌକି, ପଲଙ୍କ, ସେଜ, ତକିଆ, ଶିଳ, ଶିଳୁପା, ଟୁପଲି, ଭୁଗଲି, ମଶିଣା, ପିଢ଼ା, ବେଲଣା, ବାକ୍ସ, ପିତ୍ତଳର ଗରିଆ, ଚନ୍ଦନ ପେଡି, ପୂଜା ପାଇଁ ଆଳତି, ତମ୍ବା ଗଡୁ ଓ ବିଭିନ୍ନ ପାତ୍ର, କଂସାର ବାସନ, ଚୁଡି, ସିନ୍ଦୂର, ବାଲଟି, ଥାଳିଆ, ଘଣ୍ଟ, ଗ୍ୟାସ ଚୁଲା, ପରାତ, ବିଭିନ୍ନ ପ୍ରକାରର ପାଟ ଶାଢ଼ୀ ଓ କପଡା ଆଦିର ବ୍ୟବସ୍ଥା କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଥିବା ବନ୍ଧୁବାନ୍ଧବ ଦେବ ବିବାହ କାର୍ଯ୍ୟକ୍ରମରେ ଉତ୍ସାହିତ ହୋଇ ସାମିଲ ହେବାକୁ ଥିବା ବେଳେ ସେମାନଙ୍କ ପାଇଁ ଶାଢ଼ି ଓ କପଡାର ବ୍ୟବସ୍ଥା କରାଯାଇଛି । ନିଜର ଶକ୍ତି ଅନୁଯାୟୀ ବିବାହ ପ୍ରସ୍ତୁତିରେ ଯେଭଳି କୌଣସି ସାମଗ୍ରୀ କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କୌଣସି ତ୍ରୁଟି ବିଚ୍ୟୁତ ନ ରହିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଆତ୍ମୀୟ ସ୍ୱଜନଙ୍କୁ ଦେବ ବିବାହ ଉତ୍ସବରେ ସାମିଲ ହେବା ପାଇଁ ହଳଦୀ, ଗୁଆ, କପଡା ଓ ମିଷ୍ଟାନ୍ନ ଦେଇ ନିମନ୍ତ୍ରଣ କରାଯାଇ ସାରିଛି । ସାଇ ପଡିଶା, ଚିହ୍ନା ପରିଚୟ ମାନଙ୍କୁ ନିମନ୍ତ୍ରଣ ପତ୍ର ଦେଇ ବିବାହ ଉତ୍ସବରେ ସାମିଲ ହେବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି ।

ଏଥି ସହ ବିବାହ କାର୍ଯ୍ୟକ୍ରମ ମଧ୍ୟ ଘରେ ଆୟୋଜିତ ହେବ । ବିବାହ କାର୍ଯ୍ୟ ଚାଲିଆସିଥିବା ପରାମ୍ପରିକ ରୀତିନୀତି ଅନୁଯାୟୀ ଆୟୋଜିତ ହେବ । ଏଥି ସହ ଆମର ଗୁଜରାତି ସମାଜ ପକ୍ଷରୁ ସମ୍ବଲପୁରୀ ଭଜନ ସମାରୋହ, ଦାଣ୍ଡିଆ ନୃତ୍ୟ ଓ ସହନାଇର ଆୟୋଜନ ସ୍ୱତନ୍ତ୍ର ଭାବରେ ବିବାହ ଉପଲକ୍ଷେ କରାଯାଇଛି । ଅନେକ ବର୍ଷର ଇଚ୍ଛା ପୂରଣ ହେଉଥିବାରୁ ମୋର ବାପା ମୋହନଲାଲ ପଟେଲ, ମାତା ହେମବେନ ପଟେଲ, ପୁତ୍ର ଭରତ, ଝିଅ ଭାରତୀଙ୍କ ସମେତ ପରିବାରବର୍ଗ ଅତି ଉତ୍ସାହର ସହିତ ବିବାହର ପ୍ରସ୍ତୁତି ପାଇଁ ଦିନରାତି ଲାଗିଛନ୍ତି ବୋଲି କନ୍ୟା ପିତା ଗିରିଶ ଓ ମାତା ହଂସାବେନ ପଟେଲ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି (୩୧ ତାରିଖ) ଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପି ଶୀତଳଷଷ୍ଠୀ ମହୋତ୍ସବ ନନ୍ଦପଡା ଯାତ୍ରା କମିଟିର ବଂ ବରାଡ ବାଲୁଙ୍କେଶ୍ୱରଙ୍କ ପତ୍ରପେଣ୍ଡି ନିତି ସହିତ ଆରମ୍ଭ ହେଉଛି । ଏହା ପରେ ୧ ତାରିଖରେ ନୃସିଂହ ନିୟୁତା, ୩ ତାରିଖରେ ସାକ୍ଷୀଗୋପୀନାଥଙ୍କର ବିବାହ ପାଇଁ ଆଗମନ, ୪ ତାରିଖରେ ମହାଦେବ ଓ ପାର୍ବତୀଙ୍କର ବିବାହ, ୫ ତାରିଖରେ ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ୬ ତାରିଖରେ ମନ୍ଦିର ପ୍ରବେଶ ଅନୁଷ୍ଠିତ ହେବ ।

 

 

Comments are closed.