ପୌର ନିର୍ବାଚନରେ ସାରା ରାଜ୍ୟ ରାଜନୀତି ମୁଖର, ସମ୍ବଲପୁର ମହାନଗର ନିଗମ କିନ୍ତୁ ନୀରବ

ସମ୍ବଲପୁର ସାରା ରାଜ୍ୟ ଏବେ ପୌର ନିର୍ବାଚନରେ ମୁଖର ହୋଇ ଉଠିଥିବା ବେଳେ କିନ୍ତୁ ଦୀର୍ଘ ୯ ବର୍ଷ ହେବ ଗଠିତ ସମ୍ବଲପୁର ମହାନଗର ନିଗମବାସୀ ଆଜି ପର୍ଯ୍ୟନ୍ତ ପୌର ନିର୍ବାଚନକୁ ଅପେକ୍ଷା କରି ରହିଛନ୍ତି। ରାଜ୍ୟ ସରକାର ୨୦୧୩ ମସିହା ସେପ୍ଟେମ୍ବର ମାସରେ ପଶ୍ଚିମ ଓଡିଶାର ୨ଟି ପ୍ରମୁଖ ସହରାଞ୍ଚଳ ସମ୍ବଲପୁର ଓ ରାଉରକେଲା ମ୍ୟୁନିସିପାଲିଟୀକୁ ମହାନଗର ରୂପେ ପୁର୍ନଗଠିତ କରିଥିଲେ। ଫଳରେ ସେ ସମୟରେ ସମ୍ବଲପୁର ମ୍ୟୁନିସିପାଲିଟୀ, ବୁର୍ଲା ଓ ହୀରାକୁଦ ବିଜ୍ଞାପିତ ଅଞ୍ଚଳର ସମେତ ଧନକଉଡା ଓ ମାନେଶ୍ୱର ବ୍ଲକ ଅଧିନସ୍ଥ ପଞ୍ଚାୟତ ଗୁଡିକ ମଧ୍ୟରୁ ୧୨ଟି ପଞ୍ଚାୟତକୁ ନେଇ ସମ୍ବଲପୁର ମହାନଗର ନିଗମ ତାର ନୂତନ ସ୍ୱରୂପ ଧାରଣ କରିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ସରକାରୀ ଅବହେଳା ଯୋଗୁଁ ନିଗମବାସୀ ନିଜସ୍ୱ ନିର୍ବାଚିତ ପ୍ରତିନିଧିଟିଏ ପାଇ ପାରି ନାହାନ୍ତି।

ସେ ସମୟରେ ନୂତନ ମହାନଗର ନିଗମ ଗଠିତ ହେବା ପରେ ଏହାର ୱାର୍ଡ ଗୁଡିକ ପୁର୍ନ ଗଠିତ କରାଯାଇଥିଲା। ୱାର୍ଡ ଗୁଡିକ ପୁର୍ନଗଠିତ ହେବା ସହିତ ସିଟ ଗୁଡିକ ମଧ୍ୟ ସଂରକ୍ଷିତ ହୋଇଥିଲା। ତେବେ ସେ ସମୟରେ କରାଯାଇଥିବା ସିଟ ସଂରକ୍ଷଣ ବ୍ୟବସ୍ଥା ସମୟରେ ନିୟମ ଗୁଡିକର ବ୍ୟାପକ ଉଲ୍ଲଂଘନ କରାଯିବା ସହିତ ୫୦ ପ୍ରତିଶତରୁ ଅଧିକ ସିଟ ଗୁଡିକୁ ଅନୁସୂଚିତ ଜାତି, ଜନଜାତି ଓ ଓବିସି ପାଇଁ ସଂରକ୍ଷିତ କରାଯାଇଥିବାର ଅଭିଯୋଗ ହୋଇଥିଲା ଏବଂ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଫଳରେ ଏହାକୁ ନେଇ ସେ ସମୟରେ ବୁର୍ଲାର ଜଣେ ସଚେତନ ନାଗରିକ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅଜୟ କୁମାର ମହାନ୍ତି ମହାନଗର ନିଗମ ଅଞ୍ଚଳରେ ପୁର୍ନଗଠିତ ୱାର୍ଡ ଏବଂ ଏହାର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟଳୟ ଠାରେ ଏକ ରିଟ ପିଟିସନ ଦାଖଲ କରିଥିଲେ। ଏହି ମାମଲା ସର୍ମ୍ପକରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଜବାବତଲବ କରିବା ଏବଂ ଏହା ଉତ୍ତର ଦେଇ ମାମଲାକୁ ସମାଧାନ କରିବାରେ ରାଜନୈତିକ ଓ ସରକାରୀ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ତାହା ୨୦୧୩ ମସିହାରୁ ଗଡି ଚାଲୁଛି।

ନିଗମ ନିର୍ବାଚନ ହେଉ ନ ଥିବାରୁ ମହାନଗର ଗଠିତ ହେବା ପରଠାରୁ ଦୀର୍ଘ ୯ ବର୍ଷ ବିତିଯିବା ସତ୍ୱେ ଲୋକେ ସର୍ବନିମ୍ନ ମୌଳିକ ସେବା ପାଇବା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ସମ୍ବଲପୁର ମହାନଗର ନିଗମକୁ ଇତି ମଧ୍ୟରେ ହଜାରୁ ଉର୍ଦ୍ଧ କୋଟି ଟଙ୍କାର ଉନ୍ନୟନ ପାଣ୍ଠି ଆସିବା ସତ୍ୱେ ସରକାରୀ ରାଜ ଦୀର୍ଘ ବର୍ଷ ହେବ ଚାଲିଥିବାରୁ ନିଗମବାସୀଙ୍କ ପାଇଁ ମୌଳିକ ସୁବିଧାରେ ସୁଧାର ହେଉ ନ ଥିବାର ଅଭିଯୋଗ ହୋଇ ଆସୁଛି। ଆଜି ବି ମ୍ୟୁନିସିପାଲିଟି ଅମଳର ପୁରଣା କାଳିଆ ନାଳ, ଜଳ ନିଷ୍କାସନ ବ୍ୟବସ୍ଥା, ଅସରାଏ ବର୍ଷା ହେଲେ ସହର ଜଳାର୍ଣ୍ଣାବ, ସାମିଲ ହୋଇଥିବା ୧୨ଟି ପଞ୍ଚାୟତ ଗୁଡିକରେ କୌଣସି ପ୍ରକାରର ସର୍ବନିମ୍ନ ସୁବିଧା ନ ମିଳିବା, ରାସ୍ତା ଉପରେ ରାସ୍ତା ନିର୍ମାଣ, ପରିମଳ ଅବ୍ୟବସ୍ଥା ଆଦି ବହୁବିଧ ସମସ୍ୟା ମଧ୍ୟରେ ଲୋକେ ବାଧ୍ୟ ହୋଇ ଜୀବନଯାପନ କରିବାକୁ ବାଧ୍ୟ ହେଉଛନ୍ତି।

ଏ ସର୍ମ୍ପକରେ ବରିଷ୍ଠ ବୁଦ୍ଧିଜୀବୀ ତଥା ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ କହିଛନ୍ତି ଯେ, ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦ୍ୱାରା ଏହି ମାମଲାକୁ ଷ୍ଟେ କରାଯାଇଥିବାର ଆଳ ନ ଦେଖାଯାଇ ଏହାର ସମାଧାନର ବାଟ ଫିଟା ଯିବା ଉଚିତ। ଏହା ସହିତ ଏହାର ଆଇନଗତ ତର୍ଜମା ମଧ୍ୟ କରାଯିବା ଉଚିତ। ଆଜିର ଦିନରେ ନିର୍ବାଚିତ ଜନପ୍ରତିନିଧି ନିଗମ ଅଞ୍ଚଳରେ ନ ଥିବାରୁ ମୌଳିକ ସୁବିଧା ଗୁଡିକ ଅବ୍ୟସ୍ଥିତ ହୋଇ ରହିଛି ଏବଂ ଲୋକେ ଏଥିରୁ ବଞ୍ଚିତ ରହୁଛନ୍ତି। ଏଣୁ କୌଣସି ମତେ ସମ୍ବଲପୁରରେ ନିଗମ ନିର୍ବାଚନ କରିବା ନିମନ୍ତେ ରାଜ୍ୟ ସରକାର ଯତ୍ନ ନେବା ଉଚିତ। ଏବେ ସାରା ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆଇନଗତ ପ୍ରତିବନ୍ଧକ କୁ ଆଳ ନ କରାଯାଇ ଏହାର ସମାଧାନର ବାଟ କଢ଼ା ଯାଇ ସମ୍ବଲପୁର ଓ ରାଉରକେଲାରେ ନିଗମ ନିର୍ବାଚନ କରିବା ପାଇଁ ପଥ ପରିଷ୍କାର ପାଇଁ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରନ୍ତୁ ବୋଲି ବରିଷ୍ଠ ସାମ୍ବାଦିକ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସିଂହଭାଗ ସମୟରେ ଲୋକେ ନିଜର ଜନପ୍ରତିନିଧି ଟିଏ ଆଜି ପର୍ଯ୍ୟନ୍ତ ପାଇ ନ ଥିବାରୁ ସେମାନଙ୍କର ସୁବିଧା ଅସୁବିଧା ସରକାର ଓ ପ୍ରଶାସନ ନିକଟରେ ପହଂଚି ପାରୁ ନାହିଁ। ଅପରପକ୍ଷରେ ୨୦୧୩ ମସିହା ପରଠାରୁ ୨ଟି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ସାରିଥିବା ବେଳେ କିନ୍ତୁ କୌଣସି ଜନ ପ୍ରତିନିଧି ଏହି ମାମଲାକୁ ଉପଯୁକ୍ତ ଫୋରମ ଉଠାଉ ନାହାନ୍ତି କି ଏହାର ସମାଧାନ ବାଟ ଫିଟାଇବାକୁ ତିଳେ ହେଲେ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଏଣୁ ଏବେ ଜନତା ନିଜ ଭାଗ୍ୟକୁ ଆଦରି ସରକାରୀ ନାଲି ଫିତା ମଧ୍ୟରେ ରହିବାକୁ ବାଧ୍ୟ ହୋଇଛନ୍ତି।

Comments are closed.