ସଂଯମ ଓ ଶୃଙ୍ଖଳା

ଗୃହଶତ୍ରୁ ପ୍ରତି ସାବଧାନ ନରହିଲେ ଅଭ୍ୟୁଦୟ ବଦଳରେ ବିରୋଧୀ ନିନ୍ଦିତ ହେବାର ଆଶଙ୍କା ଅଧିକ

ଆମ ରାଜ୍ୟରେ କ୍ଷମତାସୀନ ସରକାର ଦୀର୍ଘ ୨୩ବର୍ଷ ଧରି ଦେଇଚାଲିଛି ସ୍ଥିର ଶାସନ। ନିଃଶବ୍ଦ ବିରୋଧୀ ଓ ନିରଙ୍କୁଶ କ୍ଷମତା ନେଇ ଆମର ଏଠାରେ କିଛି ମତାମତ ଦେବାର ନାହିଁ; ତେବେ ଏତିକି କୁହାଯାଇପାରେ ଯେ ସ୍ଥିର ସରକାର ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହୋଇଥାଏ। ସେହିଭଳି ନିରଙ୍କୁଶ କ୍ଷମତାର ପ୍ରତିକୂଳ ପରିବେଶରେ ରାଜ୍ୟବାସୀ ମଧ୍ୟ କ୍ଷତାକ୍ତ ହୋଇଥାନ୍ତି। ତେଣୁ ବିରୋଧୀଙ୍କ ମୁହଁରୁ ଶବ୍ଦ ସ୍ଫୁରିବାର ଆବଶ୍ୟକତା ରହିଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ କ୍ଷମତାର ଗୋଡ଼ାଣିଆ ହୋଇଗଲେ ସୁଶାସନ ବ୍ୟାହତ ହେବା ସ୍ବାଭାବିକ। ନିଃଶବ୍ଦ ବିରୋଧୀ ଆଜିକାଲି ମୁଖର ହୋଇପଡ଼ିଥିବାର ପରିଲକ୍ଷିତ ହେଉଛି। ନିର୍ବାଚନର ଦୂରତ୍ବକୁ ମାପିଲେ ଏବେ ଅବଶ୍ୟ ସମୟ ହୋଇନି ସରକାର ବିରୋଧୀ ଜନମତକୁ ଜାଗ୍ରତ କରିବାର ଆବଶ୍ୟକତା। ଗୋଟିଏ କଥା ସତ୍ୟ ଯେ ସ୍ଥିର ସରକାରରେ କିଛିଟା ହଲ୍‌ଚଲ୍‌ ସୃଷ୍ଟି ହୋଇଛି। ଆମକୁ ଏଠାରେ ସ୍ପଷ୍ଟ କରିଦେବାକୁ ପଡ଼ିବ ଯେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଭଳି ଓଡ଼ିଶାରେ ନବୀନଙ୍କ ପ୍ରଭାବ ଓ ପତିଆରା ଅତୁଟ ରହିଛି। ୟା ଅର୍ଥ ନୁହେଁ ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ସଜବାଜ ହେବେନି। ସରକାରର ଖୁଣ ଓ କ୍ଷମତାର ଦୁର୍ବଳତାକୁ ଲୋକଙ୍କ ନିକଟରେ ଉପସ୍ଥାପନ କରି ଜନମତକୁ ଆକର୍ଷଣ କରିବାର ପ୍ରୟାସ ଆମ ରାଜ୍ୟରେ ଆରମ୍ଭ ହୋଇଛି। ବିଜେପି ଓ କଂଗ୍ରେସ ଦୁଇ ବିରୋଧୀଙ୍କ ପକ୍ଷରୁ ସତ୍ୟାଗ୍ରହ ଓ ସମାବେଶ ଆରମ୍ଭ ହୋଇଯାଇଛି। କ୍ରମେ ସେମାନଙ୍କ ସହ ଅଧିକରୁ ଅଧିକ ଯୋଡ଼ି ହେଉଛନ୍ତି ସାଧାରଣ ଜନତା। କ୍ଷମତାସୀନ ମଧ୍ୟ ପରିବେଶ ଓ ପରିସ୍ଥିତିକୁ ଦେଖି ଦୁର୍ବଳ କ୍ଷେତ୍ରକୁ ସୁଧାରିବାରେ ଲାଗିଛନ୍ତି।
ଆଜିର ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମସ୍ତଙ୍କ ପାଇଁ ଚିନ୍ତା ଓ ଉଦ୍‌ବେଗର କାରଣ। କେବଳ ଆମ ରାଜ୍ୟ କଥା ନୁହେଁ, ଅପରାଧୀ ମାନସିକତା ଓ ଅପରାଧ ତତ୍ତ୍ବ ହଠାତ୍‌ କରୋନା ଅତିମାରୀ ପରଠାରୁ ସକ୍ରିୟ ହୋଇଯାଇଛନ୍ତି। ନିୟନ୍ତ୍ରଣ ବାହାରକୁ ଯାଉଥିବା ସ୍ଥିତି ସମସ୍ତଙ୍କ ମନରେ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ କଥା ସତ ଯେ କ୍ଷମତା ସହ ପୁଲିସ ବାହିନୀର ସମ୍ପର୍କ ଦୃଷ୍ଟିରୁ ସେମାନେ କିଛିଟା ନିଡରୁଆ ହୋଇପଡ଼ିଛନ୍ତି। ଅନ୍ୟ ଦିଗଟି ହେଲା, ଅତି ଛୋଟଛୋଟ କଥାରେ ମଧ୍ୟ ଲୋକେ ଜଘନ୍ୟ ଅପରାଧ ଭିଆଇବାରୁ ପଛାଉନାହାନ୍ତି। ଏହା ପଛରେ ଅଛି କରୋନା ପରବର୍ତ୍ତୀ ସ୍ଥିତିର ସାମାଜିକ ଓ ଆର୍ଥିକ କାରଣ। ତେବେ ଅପରାଧ ସହ ଯେତେବେଳେ ରାଜନୈତିକ ବ୍ୟକ୍ତିବିଶେଷ ଯୋଡ଼ି ହୋଇଯାଆନ୍ତି ତାହା ବାତାବରଣକୁ କେବଳ ସରଗରମ କରେନି ବିରୋଧୀଙ୍କୁ ଆୟୁଧ ମିଳିଯାଏ ସରକାରଙ୍କୁ ଆକ୍ରମଣ କରିବା ପାଇଁ। ଏ ପରିସ୍ଥିତିରେ ଦେଶ ହେଉ ବା ରାଜ୍ୟ, ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।
ବ୍ରଜରାଜନଗର ଗାନ୍ଧୀଛକରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଏଏସ୍‌ଆଇ ଦିବାଲୋକରେ ଗୁଳି କରିବା ଘଟଣା ପଛରେ ଯାହା ଥାଉନା କାହିଁକି ଏହା ରାଜ୍ୟବାସୀଙ୍କୁ ଚକିତ କରିଥିଲା। ଏହା ପୁଲିସର କାର୍ଯ୍ୟପଦ୍ଧତି ଓ କ୍ଷମତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ସେହି ମାନସିକତାରୁ ଫାଇଦା ଉଠାଇବା ସକାଶେ ଜନମତକୁ ଜାଗ୍ରତ କରିବାକୁ ଚାହିଁଲେ ବିରୋଧୀ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ କେନ୍ଦ୍ର କରି ଆନ୍ଦୋଳନ ଓ ବିକ୍ଷୋଭ ସହ ଜିଲାସ୍ତରରେ ଦାବିପତ୍ର ପ୍ରଦାନ ଥିଲା କାର୍ଯ୍ୟକ୍ରମ। ବୁଧବାର ଏଭଳି ଏକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯାହା ଘଟିଲା ତାହା ଆଦୌ ସ୍ପୃହଣୀୟ ନୁହେଁ। ଦାୟିତ୍ବରେ ଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ସର୍ବସାଧାରଣରେ ଦୁର୍ବ୍ୟବହାର କରାଯିବା ପରେ ପ୍ରସଙ୍ଗ ତାହାର ନିଜର ଗୁରୁତ୍ବ ହରାଇଛି। ସମ୍ପୃକ୍ତ ବ୍ୟକ୍ତି ଆଉ କେହି ନୁହନ୍ତି, ଖୋଦ୍‌ ବିରୋଧୀ ଦଳ ନେତା। ତାଙ୍କ ସମ୍ପର୍କରେ ଅଧିକ ଚର୍ଚ୍ଚା କରିବାର ଆବଶ୍ୟକତା ନାହିଁ। ସେ ନିଜେ ସମ୍ବଲପୁର ଓ ସମଗ୍ର ରାଜ୍ୟରେ ବହୁ ଆଗରୁ ବେଶ୍‌ ଚର୍ଚ୍ଚିତ ବ୍ୟକ୍ତିତ୍ବ। ୧୫ ତାରିଖର ଘଟଣା ପରେ ଆଇନ ଶୃଙ୍ଖଳା ଭଳି ଏକ ସମ୍ବେଦନଶୀଳ ଜ୍ବଳନ୍ତ ପ୍ରସଙ୍ଗ ଉପରେ ସତେଯେମିତି ପାଣି ଢାଳି ହୋଇଗଲା। ସେଥିରେ ଅଗ୍ନିସଂଯୋଗ କରି ପୁଣି ପ୍ରଜ୍ବଳିତ କରିବା ଦଳ ସକାଶେ ଏବେ ସହଜ ହେବନି। ଯାହାଙ୍କ ସମର୍ଥନ ଲୋଡ଼ିବା ପାଇଁ ଏହି ଆନ୍ଦୋଳନ, ସେମାନେ ଏବେ ପାଲଟା ପ୍ରଶ୍ନ କରିବେ ଦଳୀୟ ନେତାଙ୍କୁ।
ରାଜ୍ୟ ରାଜନୀତି ଏବେ ଭିନ୍ନ ମୋଡ଼ ନେଉଛି। ସରକାରଙ୍କ କାର୍ଯ୍ୟକଳାପରୁ ତ୍ରୁଟିବିଚ୍ୟୁତି କାଢ଼ିବା ବିରୋଧୀଙ୍କ କାର୍ଯ୍ୟ। ଏଥିରୁ ସେମାନଙ୍କୁ ଯେତେ ରାଜନୈତିକ ଫାଇଦା ମିଳୁ ନ ମିଳୁ; କିନ୍ତୁ ସାଧାରଣ ଜନତାଙ୍କର ସେଥିରେ ହିଁ ମଙ୍ଗଳ। ବ୍ୟବସ୍ଥା କ୍ରମେ ଅଧିକ ସମ୍ବେଦନଶୀଳ ହୋଇପଡ଼ିବ ଜନସମସ୍ୟା ନେଇ। ପ୍ରଶାସନ ତତ୍ପର ହୋଇପଡ଼ିବ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ତେଣୁ ଏ କ୍ଷେତ୍ରରେ ବିରୋଧୀ ଯଦି ନିଜ ଦାୟିତ୍ବ ନ ତୁଲାଇ ବ୍ୟକ୍ତିଗତ ଫାଇଦା ଗୋଟାଇବାରେ ଲାଗିପଡ଼ିବ ତାହାହେଲେ ତ କଥା ସରିଲା। ତେଣୁ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ସୁଦୃଢ଼ ବିରୋଧୀ ଦଳର ଆବଶ୍ୟକତା ଅଛି। ଉଭୟ କେନ୍ଦ୍ର ଓ ଆମ ରାଜ୍ୟରେ ତାହା ଏ ପର୍ଯ୍ୟନ୍ତ ଥିବା ପରି ଅନୁଭବ କରାଯାଉ ନଥିଲା। ଅତଏବ ସ୍ବାଭାବିକ ଭାବେ ଲୋକେ ଚାହିଁବେ ବିରୋଧୀ ଦଳର ଯଥାର୍ଥ ଅଭ୍ୟୁଦୟ ଘଟୁ। ତେଣୁ ବିରୋଧୀ ତାଙ୍କ କାର୍ଯ୍ୟଧାରାରେ କେବଳ ଦକ୍ଷତା ନୁହେଁ ଯଥାସମ୍ଭବ ସଂଯମ ପ୍ରଦର୍ଶନ କରିବା ଉଚିତ। ବିଶେଷ କରି ଗୃହଶତ୍ରୁ ପ୍ରତି ଦଳ ସାବଧାନ ରହିବା ଆବଶ୍ୟକ। ବିରୋଧୀ ଏପରି କିଛି କାର୍ଯ୍ୟ ନ କରନ୍ତୁ, ଯାହା ସେମାନଙ୍କୁ ନିନ୍ଦିତ କରିବାପାଇଁ ଶାସକ ପକ୍ଷକୁ ସୁଯୋଗ ଦେବ।

Comments are closed.