www.samajalive.in
Sunday, December 7, 2025
15.1 C
Bhubaneswar

ରାଉରକେଲାରେ ପ୍ରଥମ ଦିନରେ ୩୮୦୦ ଜଣ ନେଲେ ଟିକା

ରାଉରକେଲା: ରାଉରକେଲା ସହରରେ ମଙ୍ଗଳବାର ଦିନ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଏହି ଟିକା ନେବା ବେଳେ ଯୁବପିଢ଼ିଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ଟିକାଦାନ କେନ୍ଦ୍ରରେ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଅନେକ ହିତାଧିକାରୀ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷକରି କୋଭିଡ୍ ବିରୋଧରେ ଏହି ସୁରକ୍ଷା କବଚ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ରାଉରକେଲା ପାଇଁ ରାଜ୍ୟ ସରକାରଙ୍କ କୋଟାରୁ ଟିକା ଆସିବା ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାଦାନ ଲାଗି ନୂତନ ସୂଚୀ ପ୍ରସ୍ତୁତ କରାଯାଇଥିଲା। ଏଥିରେ ପ୍ରଥମ ଥର ପାଇଁ ୧୮ରୁ ୪୪ ବର୍ଷ ବର୍ଗ ପାଇଁ ଟିକା ଦେବାର ଘୋଷଣା କରାଯାଇଥିଲା। ଯେଉଁ ବ୍ୟକ୍ତିମାନେ ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ପାଇଥିଲେ ସେମାନେ ନିର୍ଦ୍ଧାରିତ କେନ୍ଦ୍ରକୁ ଆସି ଟିକା ନେଇଛନ୍ତି।

- Advertisement -

କୋଭିଡ୍ ଟିକାଦାନ ପାଇଁ ରାଉରକେଲାରେ ୮ଟି କେନ୍ଦ୍ର କରାଯାଇଛି। ମଙ୍ଗଳବାର ଦିନ ମୋଟ ୩୮୦୦ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି। ପ୍ରତି କେନ୍ଦ୍ରରେ ୫୦୦ ଜଣଙ୍କୁ ଟିକା ଦେବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଥିଲା। ଟିକାଦାନର ନୂତନ ସୂଚୀ ଅନୁଯାୟୀ ବର୍ତ୍ତମାନ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା ଦିଆଯାଉଛି। ସେହିପରି ୪୫ ପ୍ଲସଙ୍କ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାର ଧାର୍ଯ୍ୟ କରାଯାଇଛି। ସେମାନଙ୍କୁ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି। ଏହି ବର୍ଗ ପାଇଁ ଆଗୁଆ ପଞ୍ଜୀକରଣର ଆବଶ୍ୟକତା ନାହିଁ। ସେମାନେ ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜୀକରଣ କରିବାକୁ ପ୍ରଶାସନ ସୂଚନା ଦେଇଛି।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଉରକେଲା ସହରର ଯୁବପିଢ଼ିଙ୍କୁ କୋଭିଡ୍ ଟିକା ଦିଆଯାଇଛି। ସେମାନେ କୋଭିଡ୍ ନିୟମ ପାଳନ କରି ଟିକା ନେଇଥିବାରୁ ଏବଂ ପ୍ରଶାସନକୁ ସହଯୋଗ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।

ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ରାଉରକେଲାର ୮ଟି ଯାକ କେନ୍ଦ୍ରରେ ଆଜି ଶୃଙ୍ଖଳିତ ଭାବେ ଟିକାକରଣ କରାଯାଇଛି। ସେ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ, ପୋଲିସ ପ୍ରଶାସନ, ଡାକ୍ତର, ସ୍ଵାସ୍ଥ୍ୟ କର୍ମୀ, ସ୍ୱେଚ୍ଛାସେବୀ ତଥା ଏହି ବ୍ୟାପକ କାର୍ଯ୍ୟକ୍ରମ ସହ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଯୁବପିଢ଼ିକୁ ନିଜ ସ୍ଲଟ୍ ଅନୁଯାୟୀ ଆସି କୋଭିଡ୍ ନିୟମ ପାଳନ କରି ଟିକା ନେବାକୁ କହିଛନ୍ତି।

୧୮ରୁ ୪୪ ବର୍ଗ ପାଇଁ କୋଭିଡ୍ ଟିକାକରଣ ବେଳେ ପ୍ରଶାସନ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଥିଲା। ପ୍ରତି କେନ୍ଦ୍ରରେ ଦୈନିକ ୫୦୦ ଟିକାକରଣ ଟାର୍ଗେଟ ରଖାଯାଇଥିଲା। ଏଥିପାଇଁ ୮ଟି କେନ୍ଦ୍ରରେ ୩୫ ଜଣ ସ୍ୱାସ୍ଥ୍ୟ କର୍ମୀ, ୧୬ ଜଣ ଡାଟା ଏଣ୍ଟ୍ରି ଅପରେଟର ଏବଂ ୨୫ ଜଣ ସ୍ୱେଛାସେବୀ ନିୟୋଜିତ ହୋଇଥିଲେ। ବିଭିନ୍ନ କେନ୍ଦ୍ରରେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ କମିଶନର ଦିବ୍ୟଜ୍ୟୋତି ପରିଡ଼ା ବିଭିନ୍ନ କେନ୍ଦ୍ର ବୁଲି ତଦାରଖ କରିଥିଲେ।

ଟିକାଦାନ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥିଲା। ଟିକା ନେବାକୁ ଆସିଥିବା ବ୍ୟକ୍ତି ମାସ୍କ ପିନ୍ଧିବା ସହ ପରସ୍ପରଠାରୁ ଶାରୀରକ ଦୂରତା ରକ୍ଷା କରିଥିଲେ। ପ୍ରଶାସନ ପକ୍ଷରୁ କେନ୍ଦ୍ରରେ ବସିବାର ବ୍ୟବସ୍ଥା କରାଯାଇଥିଲା। ପିଇବା ପାଣିର ବ୍ୟବସ୍ଥା ସହିତ ବିଭିନ୍ନ ଘୋଷଣା ପାଇଁ ମାଇକ୍ ଲଗା ଯାଇଥିଲା। ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସ୍ଥାନରେ ସେଲ୍ଫି କର୍ଣ୍ଣର କରାଯାଇଥିଲା। ଟିକା ନେବା ବେଳର ଫଟୋ ବହୁ ବ୍ୟକ୍ତି ସୋସିଆଲ ମିଡିଆରେ ପକାଇ ନିଜର ଉତ୍ସାହ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

ରାଉରକେଲାରେ ଟିକାକରଣର ନୂତନ ସୂଚୀ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଥିଲା। ବିଶେଷକରି ସୋସିଆଲ ମିଡିଆରେ ଏହି ସୂଚନା ଏବଂ ଭିଡିଓ ମାଧ୍ୟମରେ ପରାମର୍ଶ ପ୍ରକାଶ କରାଯାଇଥିଲା। ତା’ସହିତ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ଖବରର ପ୍ରସାରଣ ଫଳରେ ଏ ବାବଦରେ ସଚେତନତା ସୃଷ୍ଟି ହୋଇପାରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories