www.samajalive.in
Sunday, December 7, 2025
14.1 C
Bhubaneswar

ଦୁଇ ଧର୍ମକୁ ଗୋଟିଏ ଛାତ ତଳେ ଏକାଠି କଲା ‘ନୂଆଖାଇ ପରମ୍ପରା’

ବଲାଙ୍ଗିର: ଚାଷ ଓ ଚାଷୀର ପର୍ବ ନୂଆଖାଇ। ଯେଉଁ ପରମ୍ପରାରେ ରହିଛି ଭାଇଚାରାର ବାର୍ତ୍ତା। ସମସ୍ତଙ୍କୁ ଗୋଟିଏ ଛାତ ତଳେ ଯେଉଁ ପର୍ବ ବାନ୍ଧି ରଖେ, ପରକୁ ଆପଣାର କରିବାର କଳା ଶିଖାଏ, ଭାବର ବନ୍ଧନରେ ଯୁଗ ଯୁଗ ଧରି ଏକ ସମ୍ପର୍କକୁ ଗଢି ତୋଳିବାର ଅତୁଲ୍ୟ ଭୂମିକା ନିର୍ବାହ କରେ, ତାହା ହେଉଛି ପଶ୍ଚିମ ଓଡିଶାର ଗଣପର୍ବ, ଭାଇଚାରାର ପର୍ବ ନୂଆଖାଇ। କୌଣସି ଗାଁ ଗହଳିର ଚିତ୍ର ନୁହେଁ ବରଂ ବଲାଙ୍ଗିର ସହର ଭିତରେ ନୂଆଖାଇ ପରମ୍ପରା ଦୁଇଟି ଧର୍ମକୁ ଗୋଟିଏ ଛାତ ତଳେ ବାନ୍ଧିବାରେ ସଫଳ ହୋଇଛି।

ବଲାଙ୍ଗିର ସହରର ଆଦର୍ଶପଡା, ଏଠାରେ ରୁହନ୍ତି ନୂତନ ଦାସ। ନୂତନ ବଲାଙ୍ଗିର ସହରରେ ଜଣେ ଚିହ୍ନା ମୁହଁ। ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ୟ୍ୟକ୍ରମରେ ସେ ସଂଶ୍ଲୀଷ୍ଟ ରୁହନ୍ତି। ସହଯୋଗର ହାତ ବଢାନ୍ତି। ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇ ସାମାଜସେବା କାର୍ୟ୍ୟକୁ ନିଜ ଜୀବନର ବ୍ରତ ଭାବେ ସେ ନେଇଛନ୍ତି। ଅନ୍ୟପକ୍ଷରେ ମହିଳା କ୍ରିକେଟ ଜଗତର ଜଣେ ଆଗଧାଡିର ଖେଳାଳି ହେଉଛନ୍ତି ରୋଶନାରା ପରୱିନ। କେବଳ ବଲାଙ୍ଗିର ଜିଲା କି ରାଜ୍ୟ ସ୍ତରରେ ନୁହେଁ ଜାତୀୟ, ଆନ୍ତର୍ଜାତୀୟ ମ୍ୟାଚ ଖେଳି ଏହି ଖେଳାଳି ଜଣକ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି। ଗାନ୍ଧୀ ଷ୍ଟାଡିୟମରେ ଘଣ୍ଟା ଘଣ୍ଟାର କଠିନ ପରିଶ୍ରମ ହିଁ ତାଙ୍କୁ କ୍ରିକେଟ ମଇଦାନରେ ଜଣେ ସଫଳ ଖେଳାଳୀର ମାନ୍ୟତା ଦେଇଛି। ଭାରତୀୟ ମହିଳା ଦଳରେ ଖେଳି ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରି ଦର୍ଶକ ମହଲରେ ବେଶ ପ୍ରଶଂସା ସାଉଁଟିଛନ୍ତି।

- Advertisement -

ଜଣେ ଖେଳ ଜଗତର ହୋଇଥିବା ବେଳେ ଆଉ ଜଣେ ସାମାଜସେବା କ୍ଷେତ୍ରର ବ୍ୟକ୍ତିତ୍ୱ। ହେଲେ ଏସବୁ ଭିତରେ ନୂତନ ଓ ରୋଶନାରାଙ୍କ ଭିତରେ ଗଲା ୬/୭ ବର୍ଷ ମଧ୍ୟରେ ଏକ ନିଆରା ବନ୍ଧୁତ୍ୱର ସମ୍ପର୍କ ଗଢି ଉଠିଛି। ଦୁହେଁ ଦୁହିଁଙ୍କୁ ବେଶ ଭଲ ପାଆନ୍ତି। ଦୁଃଖ ସୁଖରେ ପରସ୍ପରକୁ ସହଯୋଗର ହାତ ବଢାନ୍ତି। ଦୁହେଁ ଭିନ୍ନ ଭିନ୍ନ ସମ୍ପ୍ରଦାୟ ତଥା ଧର୍ମରୁ ଆସୁଥିଲେ ହେଁ ତାହା କେବେ ତାଙ୍କ ବନ୍ଧୁତ୍ୱକୁ ଫିକା କରିପାରିନି। ମଣିଷ ମଣିଷ ଭିତରେ ଥିବା ଭାବଗତ ସମ୍ପର୍କ ହିଁ ସେମାନଙ୍କୁ ଏକ କରି ରଖିଛି।

ନୂତନ କହିବା ଅନୁସାରେ, ସେ କେବେ ଭାବି ନାହଁନ୍ତି ଯେ, ରୋଶନାରା କେଉଁ ଧର୍ମର, କଣ ତାଙ୍କ ବିଚାର। କେବଳ ଏତିକି ଭାବନ୍ତି ଯେ, ସେ ଜଣେ ମଣିଷ। ଆଉ ସେ ଜଣେ ମଣିଷକୁ ଭଲ ପାଆନ୍ତି। ତାଙ୍କ ସହ ଭାବର ଆଦାନ ପ୍ରଦାନ କରନ୍ତି। ରୋଶନାରାଙ୍କ ଘରେ ଯାହା କିଛି ତାଙ୍କ ସାମାଜିକ କାର୍ୟ୍ୟ ହୁଏ ସେଥିରେ ସେ ଓ ତାଙ୍କ ପୁଅ ଯାଆନ୍ତି। ସମସ୍ତଙ୍କ ସହ ମିଳି ମିଶି ପୂଜାର୍ଚ୍ଚନା କରି ଆସନ୍ତି। ଠିକ ସେହିପରି ରୋଶନାରା ମଧ୍ୟ ନୂୂତନଙ୍କ ଘରେ ହେଉଥିବ ବିଭିନ୍ନ ପୂଜା ବିଧି କାର୍ୟ୍ୟରେ ଯୋଗ ଦିଅନ୍ତି। ଗତ ଶନିବାର ଦିନ ଗଣେଶ ପୂଜା ଅବସରରେ ନିଜେ ଭଗବାନ ଗଣେଶଙ୍କୁ ଆଳତୀ ଆରଧନା କରିଥିଲେ। ପବିତ୍ର ନୂଆଖାଇ ଅବସରରେ ଦୁହେଁ ଏକାଠି ମିଶି ଚୁରାକୁଣା ଖାଇଛନ୍ତି। ଜାତି,ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଆମେ ସମସ୍ତେ ସମାନ ଆଉ ଏକ ବୋଲି ବାର୍ତ୍ତା ଦେଇଛନ୍ତି ଏହି ଦୁଇ ମହିଳା ବନ୍ଧୁ। ଆଉ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପରମ୍ପରା ଦୁଇ ଧର୍ମକୁ ଗୋଟିଏ ଛାତ ତଳେ ଏକାଠି କରି ଭାଇଚାରାର ବାର୍ତ୍ତା ଦେଇଛିି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories