୧୯୯୧ ମସିହା ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି କରୋନା ମହାମାରୀ ପ୍ରପୀଡ଼ିତ ରାଷ୍ଟ୍ର ପାଇଁ ଏବେକାର ଅର୍ଥନୈତିକ ଅବସ୍ଥା ଓ ଆଗାମୀ ରାସ୍ତା ଆହୁରି ଭୟଙ୍କର ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ କହିଛନ୍ତି। ସେ ଦେଶର ଅର୍ଥମନ୍ତ୍ରୀ ଥିବାବେଳେ ୩୦ ବର୍ଷ ପୂର୍ବେ ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଐତିହାସିକ ସଂସ୍କାରକୁ ମନେ ପକାଇ ଏହା କହିଛନ୍ତି।
ସେ କହିଛନ୍ତି, ଗତ ତିନି ଦଶନ୍ଧି ମଧ୍ୟରେ ଆମ ଦେଶରେ ହୋଇଥିବା ବିପୁଳ ଅର୍ଥନୈତିକ ପ୍ରଗତିକୁ ଦେଖିଲେ ଯଦିଓ ଖୁସି ଲାଗେ କିନ୍ତୁ କୋଭିଡ -୧୯ ମହାମାରୀ ଯୋଗୁଁ ଘଟିଥିବା ବିନାଶ ଏବଂ ଲକ୍ଷ ଲକ୍ଷ ସାଥୀ ଭାରତୀୟଙ୍କ ମୃତ୍ୟୁରେ ମୁଁ ଗଭୀର ଦୁ ଦୁଃଖିତ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ର ପଛରେ ପଡିଛି ଏବଂ ଆମର ଆର୍ଥିକ ପ୍ରଗତି ସହିତ ଗତି କରୁନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଅତ୍ୟଧିକ ଜୀବନ ଏବଂ ଜୀବିକାହରାଇଛେ ଯାହା ହେବା ଉଚିତ ନୁହେଁ। ଏହା ଆନନ୍ଦର ସମୟ ନୁହେଁ ବରଂ ଚିନ୍ତା କରିବାର ସମୟ। ୧୯୯୧ ସଙ୍କଟ ଅପେକ୍ଷା ଆଗାମୀ ରାସ୍ତା ଆହୁରି ଭୟଙ୍କର ବୋଲି ସେ କହିଛନ୍ତି।
ଭାରତରେ ଅର୍ଥନୈତିକ ସଂସ୍କାରର ସ୍ଥପତି ଡଃ ସିଂ ପରାମର୍ଶ ଦେଇଛନ୍ତି ଯେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସୁସ୍ଥ ଏବଂ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ପାଇଁ ଦେଶର ପ୍ରାଥମିକତାକୁ ପୁନଃ ଆକଳନ କରାଯିବା ଆବଶ୍ୟକ। ସେ କହିଛନ୍ତି,”୧୯୯୧ରେ ଅର୍ଥମନ୍ତ୍ରୀ ଭାବରେ ମୁଁ ଭିକ୍ଟର ହୁଗୋଙ୍କ ଉଦ୍ଧେଶ୍ୟରେ ମୋର ବଜେଟ୍ ଭାଷଣ ଦେଇଥିଲି ଓ ତାହା ଥିଲା ଯେ ପୃଥିବୀର କୌଣସି ଶକ୍ତି ସମୟ ସହ ଆସୁଥିବା ଧାରାକୁ ରୋକି ପାରିବେ ନାହିଁ। ୩୦ ବର୍ଷ ପରେ ଏକ ରାଷ୍ଟ୍ର ଭାବରେ ଆମକୁ ରୋବର୍ଟ ଫ୍ରଷ୍ଟଙ୍କ କବିତା ମନେ ରଖିବାକୁ ହେବ, ତାହା ହେଉଛି, ନିଦ୍ରା ଯିବା ପୂର୍ବରୁ ମାଇଲ୍ ମାଇଲ୍ ଯିବାକୁ ଅଛି, ଦେଇଥିବା କଥା ସବୁ ପୁରାଣ କରିବାର ଅଛି।
ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଦଳ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣି ଆମ ଦେଶର ଅର୍ଥନୀତି ପାଇଁ ଏକ ନୂତନ ପଥ ପରିଷ୍କାର କରିଛି। ଆହୁରି ମଧ୍ୟ, ଗତ ତିନି ଦଶନ୍ଧି ମଧ୍ୟରେ କ୍ରମାଗତ ସରକାରମାନେ ଆମ ଦେଶକୁ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପ୍ରବେଶ କରିବାକୁ ଏହି ପଥ ଅନୁସରଣ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମୟ ମଧ୍ୟରେ ପ୍ରାୟ ୩୦୦ ନିୟୁତ ସାଥୀ ଭାରତୀୟଙ୍କୁ ଦାରିଦ୍ର୍ୟରୁ ବାହାରକୁ ଅଣାଯାଇ ପାରିଛି ଏବଂ ଆମ ଯୁବକମାନଙ୍କ ପାଇଁ ଶହ ଶହ କୋଟି ନୂତନ ନିଯୁକ୍ତି ଯୋଗାଇ ଦିଆଯାଇଛି। ସଂସ୍କାର ପ୍ରକ୍ରିୟା ମୁକ୍ତ ଉଦ୍ୟୋଗର ଆତ୍ମାକୁ ଉନ୍ମୁକ୍ତ କରିଛି ଯାହାକି କିଛି ବିଶ୍ୱସ୍ଥରୀୟ କମ୍ପାନୀ ଉତ୍ପାଦନରେ ସାହାଯ୍ୟ କରିଛି ଏବଂ ଭାରତକୁ ଅନେକ କ୍ଷେତ୍ରରେ ବିଶ୍ୱ ଶକ୍ତି ଭାବରେ ଉଭା ହେବାକୁ ସାହାଯ୍ୟ କରିଛି ବୋଲି ସେ କହିଛନ୍ତି।
କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ ସମୃଦ୍ଧିର ଇଚ୍ଛା, ଆମର ସାମର୍ଥ୍ୟ ଉପରେ ବିଶ୍ୱାସ ଏବଂ ସରକାରଙ୍କ ଦ୍ୱାରା ଅର୍ଥନୀତିର ନିୟନ୍ତ୍ରଣ ତ୍ୟାଗ କରିବାର ଆତ୍ମବିଶ୍ୱାସ ଉପରେ ଭାରତର ଅର୍ଥନୈତିକ ସଂସ୍କାରର ମୂଳଦୁଆ ନିର୍ମାଣ କରାଯାଇଛି। ଡଃ ସିଂହ କଂଗ୍ରେସ ଦଳର ଅନେକ ସହକର୍ମୀଙ୍କ ସହ ଏହି ସଂସ୍କାର ପ୍ରକ୍ରିୟାରେ ଏକ ଭୂମିକା ଗ୍ରହଣ କରିବାର ସୌଭାଗ୍ୟ ପାଇଥିବା କହିଛନ୍ତି।



