ଗୁରୁବାର ଶପଥ ନେବେ ରେବନ୍ତ ରେଡ୍ଡି

ହାଇଦରାବାଦ: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଥିବା କଂଗ୍ରେସ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୂଡାନ୍ତ କରିଛି। କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତି ଅନୁଯାୟୀ ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ ହେବେ। ରେବନ୍ତଙ୍କ ନାମ ଉପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମନୋନୟନ ନିମନ୍ତେ ମଙ୍ଗଳବାର କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ମନୋନୟନ ନିଷ୍ପତ୍ତି ଦଳର ହାଇକମାଣ୍ଡ (ସଭାପତି)ଙ୍କୁ ଉପରେ ନ୍ୟସ୍ତ କରାଯାଇଥିଲା। ବୈଠକର ନିଷ୍ପତ୍ତିକୁ ନେଇ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଡିକେ ଶିବକୁମାର ଓ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସଭାପତିଙ୍କୁ ଭେଟିଥିଲେ। ଶେଷରେ ସଭାପତି ରେବନ୍ତଙ୍କ ନାମକୁ ଅନୁମୋଦନ କରିଥିଲେ। ରେବନ୍ତ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ମନୋନୀତ ହେବା ସମ୍ପର୍କରେ କେସି ବେଣୁଗୋପାଳ ଘୋଷଣା କରିଛନ୍ତି। ଗୁରୁବାର (ଡିସେମ୍ବର ୭)ରେ ସେ ଶପଥ ଗ୍ରହଣ କରିବେ। ଶେଷ ହୋଇଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ୬୪ଟି ଆସନ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛି।

Comments are closed.