ଆଜି ଗୁରୁ ଦିବସ । ବ୍ରହ୍ମା ବିଷ୍ଣୁ ମହେଶ୍ବରଙ୍କ ତୁଲ୍ୟ ଗୁରୁଙ୍କ ପୂଜ୍ୟପୂଜାର ଦିନଟିଏ। ଏହି ମହାନ ଦିବସରେ ପୂର୍ବଘାଟ ପର୍ବତମାଳା ତଥା ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ପୁଟାସିଂରୁ ଜାଣିବା ଜଣେ ଆଦର୍ଶ ଶିକ୍ଷକ କିଭଳି ନିଜର କଠିନ ଅଧ୍ୟବସାୟ ବଳରେ ବିଦ୍ୟାଳୟକୁ ଜ୍ଞାନର ମନ୍ଦିର କରି ଗଢ଼ି ତୋଳିଛନ୍ତି। ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର ସବୁଠାରୁ ଦୁର୍ଗମ ଗିରି କନ୍ଦରରେ ରହିଥିବା ପୁଟାସିଂ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ। ବିଦ୍ୟାଳୟକୁ ଘେରି ରହିଛି ସବୁଜିମା ଭରା ପୂର୍ବଘାଟ ପର୍ବତଶ୍ରେଣୀ। ଆଦିମ ଜନଜାତି ଲାଞ୍ଜିଆ ସୌରା ସମ୍ପ୍ରଦାୟର ଆଦିବାସୀଙ୍କ ବସତି ପୁଟାସିଂ ଅଞ୍ଚଳ। ଏହି ସମ୍ପ୍ରଦାୟର ବାଳିକାମାନଙ୍କୁ ଶିକ୍ଷାଦାନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାକୁ ଆଦିବାସୀ କଲ୍ୟାଣ ବିଭାଗ ପକ୍ଷରୁ ଏଠାରେ ରହିଛି ବାଳିକା ଉଚ୍ଚ ବିଦ୍ୟାଳୟ। ଦୀର୍ଘ ୮ ବର୍ଷ ଧରି ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ବ ଗ୍ରହଣ କରିଛନ୍ତି ବିପିନ ବିହାରୀ ବିଶ୍ୱାଳ।
ବିଶ୍ୱାଳ ସାର। ଏହି ନାମରେ ଅଞ୍ଚଳରେ ସେ ବେଶ ପରିଚିତ। ହଁ ହେବେନି ବା କାହିଁକି? ସେ ଏକା ଧାରାରେ ସେ ଜଣେ ଶିକ୍ଷକ, ସୁବକ୍ତା, ସମାଜସେବୀ, କର୍ତ୍ତବ୍ୟ ପରାୟଣ ନିଷ୍ଠବାନ ବ୍ୟକ୍ତିତ୍ବ। ପୂର୍ବ ଦିଗରେ ସିନ୍ଦୁରା ଫାଟିବା ମାତ୍ରକେ କୋଡ଼ି, କୋଦାଳ, ବେଲଚା ଧରି ବିଦ୍ୟାଳୟ ହତାରେ ଥିବା ବାଡ଼ି ବଗିଚାରେ କାମରେ ଲାଗି ପଡ଼ନ୍ତି। ଅବସର ସମୟରେ ଆଦିବାସୀ ଅଞ୍ଚଳକୁ ଯାଇ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ଅନେକ ପ୍ରକାର ପ୍ରୟାସ କରିଥାନ୍ତି। ଆଦିବାସୀଙ୍କ ଜୀବନ ଶୈଳୀ ଓ ଜୀବିକା ସହ ଅଙ୍ଗାଙ୍ଗୀ ଜଡିତ ଥିବା ବିଶ୍ୱାଳ ସାର କେତେବେଳେ ଆଦିବାସୀଙ୍କ ସହ ଧାନ ରୁଆରେ ଲାଗି ପଡ଼ନ୍ତି ତ ଆଉ କେତେବେଳେ ସେମାନଙ୍କ ସହ ମିତ୍ରତା କରି ସୁଖଦୁଃଖରେ ଭାଗିଦାର ହୁଅନ୍ତି।
ବିଦ୍ୟାଳୟରେ ଥିବା ବେଳେ ସହ କର୍ମୀଙ୍କ ସହ ସମନ୍ୱୟ ରକ୍ଷାକରି ବିଦ୍ୟାଳୟ ଓ ପିଲାଙ୍କ ବିକାଶର ଖସଡ଼ା ପ୍ରସ୍ତୁତ କରନ୍ତି। ବିଶ୍ୱାଳ ସାରଙ୍କ ଅବଦାନ ପାଇଁ ଆଜି ଏହି ବିଦ୍ୟାଳୟକୁ ସ୍ୱଚ୍ଛ ବିଦ୍ୟାଳୟ, ଶ୍ରେଷ୍ଠ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଭଳି ଅନେକ ପୁରସ୍କାର ମିଳିପାରିଛି। ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଚଇତି, ଇଡିତଲ ଓ ସର୍ଗିଫୁଲ ଭଳି ସାଂସ୍କୃତିକ ଉତ୍ସବରେ କମ ନୁହଁନ୍ତି ଏହି ବିଦ୍ୟାଳୟର ଛାତ୍ରୀ। ଶିକ୍ଷା, ବିଜ୍ଞାନ ଓ ଆଦିବାସୀ କଳା ସଂସ୍କୃତି ରେ ଅନେକ ପୁରସ୍କାର ହାତେଇଛି ଏହି ବିଦ୍ୟାଳୟ।
ଓଡ଼ିଶାର ବରପୁତ୍ର ତଥା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନଶୈଳୀ ଓ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ତାଙ୍କ ଭଳି ଏକ ବନ ବିଦ୍ୟାଳୟର ପରିକଳ୍ପନା କରିଥିବା କହନ୍ତି ବିଶ୍ୱାଳ ସାର। ଏଠାରେ ଛାତ୍ରୀଙ୍କୁ ଶୃଙ୍ଖଳା, ଚରିତ୍ର ଗଠନ, ମାର୍ଜିତ ଜୀବନଶୈଳୀ କୌଶଳ, ସ୍ୱାବଲମ୍ବୀ ଶିକ୍ଷା ବ୍ୟବସ୍ଥାରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଭବିଷ୍ୟତରେ ସୁ ନାଗରିକ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖିଛନ୍ତି। ଏଭଳି ଛାତ୍ରବତ୍ସଳ, ମିଷ୍ଟଭାଷୀ, ନିଃସ୍ୱାର୍ଥପର ପ୍ରଧାନଶିକ୍ଷକଙ୍କୁ ପାଇ ଛାତ୍ରୀ, ସହକର୍ମୀ ଓ ଅଞ୍ଚଳବାସୀ ବେଶ ଆନନ୍ଦିତ ଓ ଗର୍ବିତ ମଧ୍ୟ।



