ରେଙ୍ଗାଲିକ୍ୟାମ୍ପ: ଆଜିକୁ ପାଖାପାଖି ଗୋଟିଏ ମାସ ବିତିଗଲା ମଣ୍ଡି ଖୋଲାଯିବା ଓ ରବିଧାନ୍ ସଂଗ୍ରହ କରିବା। ହେଲେ ଆଜି ଅନେକ ଚାଷୀ କହୁଛନ୍ତି ଟୋକନ ବାତିଲ ହୋଇଗଲା । ଧାନ ବିକ୍ରି କରିପାରିବୁ ନାହିଁ । ଆରମ୍ଭରୁ ଧାନ କିଣାବିକା ରେ ଅନିୟମିତତା ଦେଖାଯାଇଛି। ତେଣୁ ବରଗଡ଼ ଜିଲ୍ଲା ଅତାବିରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ସଭାପତି ହାରାଧନ ପ୍ରଧାନଙ୍କ ସଭାପତିତ୍ୱରେ ଚାଷୀଙ୍କ ଧାନ ବିକ୍ରି ଓ ବହୁବିଧ ସମସ୍ୟା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ରବି ଋତୁର ଧାନ ପଞ୍ଜି କରଣ,ଅନ୍ ଲାଇନ୍ ଜଳକର, ଟୋକନ ଇତ୍ୟାଦି ସମ୍ବନ୍ଧରେ ଦେଖା ଦେଇଥିବା ସମସ୍ୟା ବାବଦ ରେ ସମାଧାନ ପାଇଁ ବିଭିନ୍ନ ପର୍ୟ୍ୟାୟରେ ଯୋଗାଣ ଅଧିକାରୀ,କମିଶନର, ଯୋଗାଣ ମନ୍ତ୍ରୀ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ଦିଆ ଯାଇଥିଲା। ପରିତାପର ବିଷୟ ଏହିକି ଯେ, ଉପରୋକ୍ତ ସମସ୍ୟାର ସମାଧାନ ପରିବର୍ତ୍ତେ ଚାଷୀଙ୍କ ଉପରେ ଆହୁରି ବହୁବିଧ ସମସ୍ୟା ଲଦିଦିଆଗଲା।ଓଡ଼ିଶାର ଚାଷୀଙ୍କୁ ଏମଏସପି ଦେବା ପାଇଁ ୨୦୦୨ମସିହାରୁ ମଣ୍ଡି ବ୍ୟବସ୍ଥା କାର୍ୟ୍ୟକାରୀ କରାଯାଇଛି।ଯେଉଁ ଚାଷୀ ମଣ୍ଡି ବ୍ୟବସ୍ଥା ରେ ଧାନ ବିକ୍ରି କରିପାରୁଛନ୍ତି ସେମାନଙ୍କୁ ଅନଲାଇନ ମାଧ୍ୟମରେ ଟଙ୍କା ପୈଠ କରାଯାଉଛି। ତଥ୍ୟ ଅନୁସାରେ ସାରା ଦେଶରେ ମାତ୍ର ୬ପ୍ରତିଶତ ଖାଦ୍ୟ ଶସ୍ୟ ଏମଏସପିରେ କିଣା ଯାଉଛି। ଓଡ଼ିଶାରେ ଏହାର ପରିମାଣ ମାତ୍ର ୨୦ରୁ୨୫ ପ୍ରତିଶତ ରେ କାର୍ୟ୍ୟକାରୀ ହେଉଛି। ଏଥିରୁ ଜଣାଯାଉଛି ସମସ୍ତ ଚାଷୀ ସେମାନଙ୍କ ଖାଦ୍ୟଶସ୍ୟକୁ ଏମଏସପିରେ ବିକି ପାରିବେ ନାହିଁ ତାହା ଆଶା କରିବା ବୃଥା।ସେଥିପାଇଁ ପ୍ରଶାସନ ଚାଷୀଙ୍କ ଜମି ପରିମାଣ ଅନୁସାରେ ଟୋକନରେ ଧାନର ପରିମାଣ ଦେଇନାହାନ୍ତି। କେତେକ ଚାଷୀଙ୍କର ପାଞ୍ଚ ଛଅ ଏକର ଜମି ପାଇଁ ଧାନର ପରିମାଣ ଯଥା କ୍ରମେ ୨୫ରୁ ୩୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଛି।
ଚଳିତ ରବି ୠତୁ ପାଇଁ ବରଗଡ଼ ଜିଲ୍ଲାରେ ୭୦ହଜାର ପଞ୍ଜିକୃତ ଚାଷୀଙ୍କ ପାଇଁ ୪୦ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯିବାର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଛି। ତେବେ ୭୦ ହଜାର ଚାଷୀଙ୍କ ଜମିର ପରିମାଣ କେତେ ଓ ୨୬କ୍ୱିଣ୍ଟାଲ ଏକର ପ୍ରତି ହିସାବରେ ଧାନର ପରିମାଣ କେତେ ହେବ ତାହା ପ୍ରଶାସନ ପ୍ରକାଶ କଲେ ୪୦ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହରେ ପଞ୍ଜିକୃତ ଚାଷୀ ତଥା ଜମି ଅନୁଯାୟୀ ଧାନର ପରିମାଣ ସ୍ଥାନିତ ହେଉଛି କି ନାହିଁ ସମସ୍ତ ଚାଷୀ ଜାଣି ପାରନ୍ତେ।

ଧାନ କିଣାକୁ ସ୍ୱଚ୍ଛ କରିବା ପାଇଁ ସରକାର ଟୋକନର ପ୍ରଚଳନ କଲେ। ଟୋକନର ଅବଧି ସଂକୁଚିତ କରିବା ଫଳରେ ଯେଉଁ ଚାଷୀଙ୍କର ଟୋକନ ଆସିଛି ତଥା ଧାନ ଅମଳ କରିପାରି ନାହାନ୍ତି ସେମାନେ ବେପାରୀ ତଥା ଧାନ ମିଲର୍ସଙ୍କ ଏଜେଣ୍ଟ ଜରିଆରେ ମଣ୍ଡି କର୍ମଚାରୀଙ୍କୁ ବସ୍ତା ପ୍ରତି ୧୨ଟଙ୍କା, ମିଲର୍ସ ଏଜେଣ୍ଟକୁ ୪୦ଟଙ୍କା, ମିଲର ଛଟନି ପାଇଁ ୨ରୁ ୩କେଜି ଅର୍ଥାତ ୪୦ରୁ ୬୦ ଟଙ୍କା,ବସ୍ତା କିଣା ପେକେଟ ପ୍ରତି ୨୫ଟଙ୍କା ହିସାବ ରେ ୨ପେକେଟକୁ ୫୦ଟଙ୍କା, ମଣ୍ଡି ପର୍ୟ୍ୟନ୍ତ ଧାନର ପରିବହନ ଖର୍ଚ୍ଚ ୨୦ରୁ ୩୦ ଟଙ୍କା ଇତ୍ୟାଦି ବାବଦକୁ ବସ୍ତା ପ୍ରତି ୨୦୦ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟ ବର୍ଷ ମାନଙ୍କରେ ଏହି ଖର୍ଚ୍ଚ ବାବଦକୁ ୧୦୦ ମଧ୍ୟରେ ସିମୀତ ଥିଲା। ତେବେ ସରକାର ଯଦି ଚାଷୀଙ୍କ ହିତ ଚାହୁଁଛନ୍ତି ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ। ଚାଷୀଙ୍କ ଠାରୁ କ୍ରୟ ସଂସ୍ଥା ଧାନ କିଣି ନିଜ ଗୋଦାମରେ ଗଚ୍ଛିତ କରୁ।ଓଜନ,ମାପ,ଛଟନି ମଣ୍ଡିରେ ହେଉ। ଧାନ କିଣାରେ ଷଡଯନ୍ତ୍ର କରି ଚାଷୀଙ୍କୁ ମିଲର୍ସଙ୍କ ଆତ୍ମ ସମର୍ପଣ କରାନ୍ତୁ ନାହିଁ। ଯେତେ ଦିନ ପର୍ୟ୍ୟନ୍ତ ସରକାର ମିଲର୍ସ ଙ୍କ ଦୟାରେ ଧାନ କିଣୁଥିବେ, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରିବେ ନାହିଁ। ସେତେଦିନ ପର୍ଯ୍ୟନ୍ତ ଜଣା ପଡିବ ଯେ ସରକାର ସ୍ୱଚ୍ଛତା ନାଁରେ ଦୁର୍ନୀତି କରୁଛନ୍ତି ଓ ଟୋକନ ଜରିଆରେ ନିଜେ ବ୍ୟବସାୟ କରୁଛନ୍ତି। ଧାନ କିଣାରେ କେନ୍ଦ୍ର ସରକାର ଦେଉଥିବା ଟଙ୍କାରୁ ୧୦ ପ୍ରତିଶତ ମିଲର୍ସ, କ୍ରୟ କେନ୍ଦ୍ର ଅଧିକାରୀ, ଧାନ ବେପାରୀ ଇତ୍ୟାଦିଙ୍କ ଜରିଆରେ ସଂଗ୍ରହ କରି ନିଜେ ଟୋକାନ ବ୍ୟବସାୟ କରୁଛନ୍ତି।



