ରୂପାନ୍ତରିକରଣ ଖୋଜୁଛି ଉପେକ୍ଷିତ ଶତାୟୁ ବିଦ୍ୟାଳୟ

ରେଙ୍ଗାଲି: ଶିକ୍ଷାନୁଷ୍ଠାନଗୁଡିକର ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରୁଛନ୍ତି ରୂପାନ୍ତରିକରଣ ଯୋଜନା। ଏହି ସ୍ୱତନ୍ତ୍ର ଯୋଜନା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରାଯାଇ ଅସଂଖ୍ୟ ସ୍କୁଲ କଲେଜର ଭିତ୍ତିଭୂମି ଚକାଚକ୍‌‌ ହୋଇଛି। ତେବେ ବିଡ଼ମ୍ବନାର ବିଷୟ ଯେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲଇଡାଠାରେ ଥିବା ୧୭୦ ବର୍ଷ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସରକାରଙ୍କ ତଥାକଥିତ ବହୁ ଚର୍ଚ୍ଚିତ ରୂପାନ୍ତରିକରଣରୁ କାଣି କଉଡିଟିଏ ବି ମିଳିନାହିଁ। ବ୍ରିଟିଶ ଶାସନ ଅମଳରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଜିଲ୍ଲାର ଅନ୍ୟତମ ପ୍ରାଚୀନ ବିଦ୍ୟାଳୟ। ଅଗଣିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଆଲୋକ ଦେଖାଇ ସମାଜରେ ପ୍ରତିଷ୍ଠିତ କରାଇଥିବା ଏହି ବିଦ୍ୟାଳୟର ଏକ ସ୍ୱତନ୍ତ୍ର ପରିଚୟ ଏବଂ ପ୍ରସିଦ୍ଧି ରହିଛି। ଗୋଟିଏ ପଟେ ବିଦ୍ୟାଳୟଗୁଡିକର ରୂପାନ୍ତରିକରଣ ଯୋଜନା କାର୍ଯ୍ୟକାରୀ ହେଉଛି। ଅନ୍ୟପଟେ ଶତାୟୁ ବିଦ୍ୟାଳୟଗୁଡିକୁ ଐତିହ୍ୟର ମାନ୍ୟତା ମିଳିବ ବୋଲି ଗତ ଫେବୃଆରୀ ମାସ ୩ ତାରିଖ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପୂର୍ବରୁ ଜାନୁଆରୀ ୧୯ ତାରିଖ ଦିନ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଘୋଷଣା କରିଥିଲେ ମଧ୍ୟ ଏହି ଶତାୟୁ ବିଦ୍ୟାଳୟକୁ ତାହା ଅପହଞ୍ଚ ହୋଇଛି। ସୂଚିତ ଯେ, ଏହି ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସେ ସମୟରେ ବିଦ୍ୟାଳୟରେ ଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତଥାପି ସମସ୍ୟା ଅସମାହିତ।

prayash

୧୭୦ ବର୍ଷ ପୁରାତନ ବ୍ରିଟିଶ ଶାସନ ଏବଂ ସ୍ୱାଧୀନତା ଆନ୍ଦୋଳନର ମୁକ ସାକ୍ଷୀ ଏବଂ ଐତିହ୍ୟର ଭଣ୍ଡାର ହୋଇଥିବା ଏହି ବିଦ୍ୟାଳୟ ନାନା ବିଧ ମୌଳିକ ସମସ୍ୟାରେ ଜର୍ଜରିତ। ବିଦ୍ୟାଳୟରେ ଥିବା ୧୧ଟି କୋଠରୀ ମଧ୍ୟରୁ ୪ଟି କୋଠରୀ ଦୀର୍ଘ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ପୁନଃ ନିର୍ମାଣକୁ ଅପେକ୍ଷା କରିଛି। ଜରାଜୀର୍ଣ୍ଣ ଥିବା ୪ କୋଠରୀ ଉପରେ ଆଜବେଷ୍ଟସ୍‌‌ ଓ ଖପର ଛାଉଣି ରହିଛି। କେତେବେଳେ ଭୁଷୁଡି ଯିବ କିଛି ଠିକ୍‌‌ ନାହିଁ। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୭ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଗତ ୧୦ ମାସ ହେଲା ଛାତ୍ରଛାତ୍ରୀଙ୍କ ଶୌଚାଳୟ ଭାଙ୍ଗି ଯାଇଥିଲେ ବି ଏହାର ମରାମତି ହେଉନାହିଁ କି ନୂତନ ଶୌଚାଳୟ ନିର୍ମାଣ ହେଉନାହିଁ। ସରକାର ସ୍ୱଚ୍ଛ ଭାରତ ଅଭିଯାନରେ ପରିବେଶକୁ ବାହ୍ୟ ମଳମୁତ୍ର ମୁକ୍ତ କରିବାକୁ ଅଭିଯାନ ଚଳାଉଥିବାବେଳେ ଏହି ବିଦ୍ୟାଳୟରେ ଶୌଚାଳୟ ନାହିଁ। ଶୌଚାଳୟ ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅସଂଖ୍ୟ ଥର ଦାବି କରାଯାଇଥିଲେ ମଧ୍ୟ ଫଳ ଶୂନ। ସ୍କୁଲର ଗୋଟିଏ ପାର୍ଶ୍ବ ପାଚେରୀ ଗତ ଅଗଷ୍ଟ ମାସରୁ ଭାଙ୍ଗି ଯାଇଥିଲେ ମଧ୍ୟ ଏହାର ମରାମତି ହେଉନାହିଁ। ସ୍ୱଚ୍ଛ ପାନୀୟ ଜଳ ମଧ୍ୟ ଅପହଞ୍ଚ। ସ୍କୁଲ ପରିସରରେ ଥିବା ଏକମାତ୍ର ନଳକୂପ ଗ୍ରୀଷ୍ମ ଋତୁ ନ ହେଉଣୁ ଶୁଷ୍କ ହୋଇଯାଏ। ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ କେବଳ ବାଳକ ଅଧ୍ୟୟନ କରୁଥିବାବେଳେ ଅଷ୍ଟମ ଶ୍ରେଣୀରେ ବାଳକ ଏବଂ ବାଳିକା ଅଧ୍ୟୟନ କରୁଛନ୍ତି। ବାଳିକାମାନଙ୍କ ପାଇଁ କମନ୍‌‌ ରୁମ୍‌ର ଜରୁରୀ ଆବଶ୍ୟକତା ଥିଲେ ମଧ୍ୟ ଏଠାରେ କମନ୍‌‌ ରୁମ୍‌‌ ନାହିଁ। ବିଦ୍ୟାଳୟରେ ୮ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ ପଢ଼ାଇବାକୁ ମାତ୍ର ୪ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଦୁଇଟି ଶ୍ରେଣୀକୁ ଜଣେ ଶିକ୍ଷକ। ଧନ୍ୟ ସେ ଶିକ୍ଷା ନୀତି ବୋଲି ସଚେତନ ନାଗରିକ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହି ବିଦ୍ୟାଳୟର ବହୁ ବର୍ଷ ପରେ ଖୋଲା ଯାଇଥିବା ଅନେକ ବିଦ୍ୟାଳୟମାନଙ୍କରେ ସ୍ମାର୍ଟ ବୋର୍ଡ ଖଞ୍ଜାଯାଇ ସଂପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଦାନ କରାଯାଉଛି। କିନ୍ତୁ ଏହି ଶତାୟୁ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌‌ ରୁମ୍‌‌ ନାହିଁ କି ସ୍ମାର୍ଟ ବୋର୍ଡ ନାହିଁ। ସରାକାର ଡିଜିଟାଲ୍‌‌ ଇଣ୍ଡିଆର ସ୍ଲୋଗାନ୍‌‌ ଦେଇ ବିଦ୍ୟାର୍ଥୀମାନଙ୍କୁ ଡିଜିଟାଲ୍‌‌ ଜ୍ଞାନ ପ୍ରଦାନ ପାଇଁ ସ୍ମାଟ୍‌‌ ବୋର୍ଡ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା କରିଥିବା ବେଳେ ୧୭୦ ବର୍ଷ ପୁରାତନ ବିଦ୍ୟାଳୟରେ ସ୍ମାର୍ଟ ବୋର୍ଡ ନାହିଁ କି ସ୍ମାର୍ଟ୍‌‌ କ୍ଳାସ୍‌‌ ରୁମ୍‌‌ ନାହିଁ। ଏଭଳି ଅଭାବନୀୟ ପରିବେଶ ପରିସ୍ଥିତିରେ ଚାଲିଛି ଏହି ଶତାୟୁ ଶିକ୍ଷାନୁଷ୍ଠାନ। ବିଦ୍ୟାଳୟ ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁକି ବୋଲି ପୁରାତନ ଛାତ୍ରଛାତ୍ରୀ ସଚେତନ ନାଗରିକ ଓ ଶିକ୍ଷାପ୍ରେମୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ପ୍ରାଚୀନ ଐତିହ୍ୟ ରୂପେ ଏହି ବିଦ୍ୟାଳୟକୁ ସଂରକ୍ଷିତ ଏବଂ ସୁରକ୍ଷିତ ରଖାଯିବାର ଅବଶ୍ୟକତା ଥିବାବେଳେ କ୍ରମାଗତ ଉପେକ୍ଷା ଓ ଅବହେଳା କରାଯିବା ଚରମ ବିଡମ୍ବନାର ବିଷୟ। ରୂପାନ୍ତରିକରଣ ଯୋଜନାରୁ ଏହି ବିଦ୍ୟାଳୟକୁ ବଞ୍ଚିତ କରାଯାଇଛି। ଶତାୟୁ ବିଦ୍ୟାଳୟକୁ ଐତିହ୍ୟର ମାନ୍ୟତା ମିଳିବ ବୋଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌‌ କରିଥିବା ଘୋଷଣା ଅନୁସାରେ ଏହି ବିଦ୍ୟାଳୟକୁ ଐତିହ୍ୟର ମାନ୍ୟତା ମିଳିବ ତ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

Comments are closed.