ରେଙ୍ଗାଲି : ସରକାର ଗରିବ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଅଜସ୍ର ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଏହା ସତ୍ତେ୍ୱ ଅନେକ ଗରିବ ଅସହାୟଙ୍କ ପାଇଁ ଆବାସ ଯୋଜନାରେ ଘରଟିଏ ପାଇବା ସାତ ସପନ ହୋଇ ପଡୁଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ କିନାଲୋଇ ପଞ୍ଚାୟତର ଅବିବାହିତ ଆଦିବାସୀ ଯୁବତୀ ପାର୍ବତୀ କିସାନ ଏହାର ଜ୍ୱଳନ୍ତ ଉଦାହରଣ ଅଟନ୍ତି। ପାର୍ବତୀ ଏକ ଭଙ୍ଗା ଘରରେ ଅସହାୟ ଅବସ୍ଥାରେ ବହୁ କଷ୍ଟରେ ରହୁଥିଲେ ମଧ୍ୟ ତାଙ୍କ ପାଇଁ ଆବାସ ଯୋଜନା ଅପହଞ୍ଚ ହୋଇ ରହିଯାଇଛି।
୨୦୨୧/୨୨ ଆର୍ଥିକ ବର୍ଷରେ ଆବସ ଯୋଜନା ହିତାଧିକାରୀ ତାଲିକାରେ ପାର୍ବତୀ କିସାନଙ୍କ ନାମ ଥିଲା। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଚଳିତ ଆର୍ଥିକ ବର୍ଷରେ ପାର୍ବତୀ କିସାନଙ୍କ ନାମରେ ଆବାସ ଯୋଜନାରେ ଏକ ଘର ମଞ୍ଜୁର ହୋଇଥିବା ସଂକ୍ରାନ୍ତରେ ହିତାଧିକାରୀ ତାଲିକାରେ ନାମ ରହିଥିଲା। ବିଭାଗୀୟ କର୍ମଚାରୀମାନେ ପାର୍ବତୀ କିସାନ ଠାରୁ ଆବସ ଯୋଜନା ପାଇଁ ଆବଶ୍ୟକ କାଗଜର ଜେରକ୍ସ କପି ସଂଗ୍ରହ କରି ନେଇଥିଲେ। ତେବେ ବିଡମ୍ବନାର ବିଷୟ ଯେ ପଞ୍ଚାୟତରେ ପ୍ରକାଶିତ ହିତାଧିକାରି ବ୍ୟାନର୍ ତାଲିକାରେ ପାର୍ବତି କିସାନଙ୍କ ନାମ କଟିଯାଇଛି। ପ୍ରଥମ ତାଲିକାରେ ପାର୍ବତୀର ନାମ ହିତାଧିକାରୀ ତାଲିକାରେ ରହିଥିବା ବେଳେ ପରିବର୍ତ୍ତି ସମୟରେ ବ୍ୟାନର୍ ରେ ପ୍ରକାଶିତ ତାଲିକାରେ ତାଙ୍କର ନାମ କେମିତି କଟିଗଲା ବୋଲି ପ୍ରଶ୍ନ ହେଉଛି। କିନାଲୋଇ ସରପଞ୍ଚ ସରୋଜୀନି କାଲୋଙ୍କୁ ଏସଂକ୍ରାନ୍ତରେ ପଚରା ଯିବାରୁ ତାଲିକାରେ ନାମ ଥିଲା ମୁଁ ଦେଖିଥିଲି । କିନ୍ତୁ କାହିଁକି କାଟିଲା ମୁଁ ଜାଣି ନାହିଁ। ଏସବୁ ବିଷୟ ବ୍ଳକ୍ ଉନ୍ନୟନ ଅଧିକାରୀ ବୁଝୁଛନ୍ତି। ତାଙ୍କ ସହିତ ଆଲୋଚନା କରି ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ସରପଞ୍ଚ କହିଛନ୍ତି। ଦୀର୍ଘ ବର୍ଷର ଅପେକ୍ଷା ପରେ ଘରଟିଏ ମଞ୍ଜୁର ହୋଇଥିଲା । ହାତ ପାହାନ୍ତରୁ କଟିଗଲା ବୋଲି ପାର୍ବତୀ ହତାସ୍ ସ୍ୱରରେ କ୍ଷୋଭ ପ୍ରକାଶ କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଭଙ୍ଗା ଘରେ ରହୁଥିବା ଅସହାୟ ପାର୍ବତିଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ସଚେତନ ନାଗରିକ ମହଲରେ ଦାବୀ ହେଉଛି।
ଭଙ୍ଗା ଘରେ ବିତୁଛି ପାର୍ବତୀଙ୍କ ଜୀବନ ; ଆବାସ ଯୋଜନା ସାତ ସପନ
Popular Categories



