ରେଙ୍ଗାଲି: ରେଙ୍ଗାଲି ବ୍ଲକ୍ ଠେଲକଲୋଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଦୋକାନ ସମ୍ପୂର୍ଣ୍ଣ ପୋଡିଯାଇଛି। ତେବେ ସୌଭାଗ୍ୟବଶତଃ ଦୋକାନ ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାରୁ ପ୍ରକାଶ ଯେ, ପି ଲକ୍ଷ୍ମଣ ରେଡ୍ଡୀ ନାମକ ଜଣେ ବ୍ୟକ୍ତି ଦୀର୍ଘଦିନ ହେଲା ଠେଲାକୋଲୋଇରେ ନିଜ ପରିବାର ସହ ରହି ଆସୁଛନ୍ତି । ନିକଟସ୍ଥ କାରଖାନାରେ ସେ କାମ କରିବା ସହିତ ଘର ନିକଟରେ ଏକ ଛୋଟ ଜଳଖିଆ ଦୋକାନ କରି ପରିବାର ପୋଷଣ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ସେ ଦୋକାନରେ ଥିବା ସମୟରେ ସେଠାରେ ଥିବା ତେଲ କଢ଼େଇରେ ଅକସ୍ମାତ ନିଆଁ ଲାଗିଯାଇଥିଲା। ସେ କିଛି ଜାଣିବା ଆଗରୁ ନିଆଁ ପୁରା ଦୋକାନକୁ ବ୍ୟାପି ଯାଇଥିଲା। ଏହି ସମୟରେ ନିକଟରେ ହେଉଥିବା ଏକ ବ୍ରତଘରରେ କାର୍ଯ୍ୟରତ ଥିବା ସୁନୀଲ ନାଥ ଓ ବିକାଶ ନାଥ ଦେଖିପାରି ଜଳୁଥିବା ନିଆଁକୁ ଆୟତ୍ତ କରିଥିଲେ ଓ ଦୋକାନ ଭିତଳେ ଥିବା ଆହତ ଲକ୍ଷ୍ମଣ ରେଡ୍ଡୀଙ୍କୁ ଉଦ୍ଧାର କରିଥିଲେ। ପରେ ୧୦୮ ଆମ୍ବୁଲାନ୍ସକୁ ଡାକି ଆହତ ରେଡ୍ଡୀଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ସୁନିଲ ଓ ବିକାଶଙ୍କ ସାହସିକ କାର୍ଯ୍ୟ ଯୋଗୁଁ ଲକ୍ଷ୍ମଣ ରେଡ୍ଡୀ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।



