www.samajalive.in
Monday, December 8, 2025
13.1 C
Bhubaneswar

ରେଙ୍ଗାଲି ଅଞ୍ଚଳରେ ଦୁଇ ଦଶନ୍ଧିର ଶିଳ୍ପାୟନ ; ଅସମାହିତ ନିଯୁକ୍ତି ଏବଂ ବିକାଶର ସ୍ୱପ୍ନ

ରେଙ୍ଗାଲି : ସରକାରଙ୍କ ଶିଳ୍ପ ମାନଚିତ୍ରରେ ରେଙ୍ଗାଲି ଗତ ଦୁଇ ଦଶନ୍ଧି ଧରି ଏକ ଗୁରୁତ୍ୱପୂର୍ଣ ସ୍ଥାନ ଅଧିକାର କରିଛି। କଳ କାରଖାନାର ନଭଶ୍ଚୁମ୍ଭୀ ଚିମିନରୁ ନିର୍ଗତ ଧୁଆଁ, ପାହାଡ ଭଳି ଗଦା ହେଉଥିବା ଆସ୍ ପଣ୍ଡ ସରାକାରୀ ହିସାବରେ ବିକାଶର ପରିଭାଷା ହୋଇ ଥିଲେ ମଧ୍ୟ ରେଙ୍ଗାଲି ଅଞ୍ଚଳବାସୀଙ୍କ ପାଇଁ ବେରୋଜଗାରୀ, ଦାରିଦ୍ର୍ୟ କ୍ରୁର ପରିହାସ କରୁଛି । ପାରିପାର୍ଶ୍ବିକ ବିକାଶର ସ୍ୱପ୍ନ ମଉଳି ଯାଉଛି । ଅଞ୍ଚଳରେ ପ୍ରଥମେ ହିଣ୍ଡାଲକୋ କୋଇଲା ଖଣି ପରେ ସରକାରଙ୍କ ଅତିପ୍ରିୟ ନବରତ୍ନ ଗ୍ରୁପର ଏନ୍ଏଲସିର କୋଇଲାଖଣି, ଆଦିତ୍ୟ ଆଲୁମିନା, ଭୂଷଣ ଷ୍ଟିଲ୍, ଆର୍ୟନ ଇସ୍ପାତ, ଶ୍ୟାମ୍ ମେଟାଲିକ୍ସ, ବିରାଜ୍ ଷ୍ଟିଲ୍ ଏଣ୍ଡ୍ ଏନର୍ଜି ଭଲି ଛତୁ ଫୁଟିଲା ପରି ବହୁରାଷ୍ଟ୍ରୀ କମ୍ପାନୀର ବିଶାଳ ଖଣି ଖାଦାନ ଓ କଳକାରଖାନା ପ୍ରତିଷ୍ଠା ହୋଇଥିଲେ ହେଁ ଶିଳ୍ପ ବିକାଶର ପ୍ରଭାବ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟାର ସମାଧାନରେ ସହାୟକ ହୋଇନାହିଁ । ଶିଳ୍ପାୟନ ହେଲେ ବିକାଶ ହେବ ବୋଲି ସରକାର ଜନସାଧାରଣଙ୍କୁ ହାତୀ ଦେବି ଘୋଡା ଦେବି ନୀତି ରେ ଦେଖାଇଥିବା ବିକାଶ ର ସ୍ୱପ୍ନ ଉପରେ ପ୍ରଦୁଷଣର କଳା ବାଦଳ ଢାଙ୍କି ଦେଇଛି । ଦୁଇ ଦଶନ୍ଧିରେ ସରକାର ବଦଳିଛି ନେତା ବଦଳିଛନ୍ତି ଅନେକ ନୀତି ବି ବଦଳିଛି । ଶିଳ୍ପାୟନ ପରେ ରେଙ୍ଗାଲି ରାଜସ୍ୱ ଆଦାୟ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ରେକର୍ଡ ସୃଷ୍ଟି କରୁଛି । କିନ୍ତୁ ରେଙ୍ଗାଲି ଅଞ୍ଚଳବାସୀଙ୍କୁ ଦେଖାଇଥିବା ନିଯୁକ୍ତି, ମୌଳିକ ବିକାଶର ସ୍ୱପ୍ନ ଏବେ ବି ଅଧୁରା ରହିଛି ।
ଅଞ୍ଚଳର ଜମି, ଜଳ, ଜଙ୍ଗଳ ଓ ପାଣି ଶିଳ୍ପାୟନ ଯଜ୍ଞରେ ଆହୁତି ଦିଆଯିବା ସତ୍ୱେ ମୌଳିକ ବିକାଶ, କଳ କାରଖାନା ମାନଙ୍କରେ ସ୍ଥାନୀୟ ବେକାର ଯୁବକ-ଯୁବତୀଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି,ପାରିପାର୍ଶ୍ବିକ ଉନ୍ନୟନ ଆଦି ଦାବୀ ନେଇ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ଏବଂ ପ୍ରଭାବିତ ଲୋକେ ବିଭିନ୍ନ ସଙ୍ଗଠନ ମାଧ୍ୟମରେ ବାରମ୍ବାର ଜନ ଆନ୍ଦୋଳନ, ଆମରଣ ଅନଶନ, ଗଣ ଧାରଣା ଦେବା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ଭଳି ଆନ୍ଦୋଳନର ଧାରା ଜାରି ରହିଛି । ବିଭିନ୍ନ ସମୟରେ କମ୍ପାନୀର ସ୍ୱାର୍ଥ ପାଇଁ ହେଉଥିବା ଆନ୍ଦୋଳନକୁ ଦବାଇବା ତଥା ଦମନ କରିବା ସକାଶେ ୧୪୪ ଧାରା ଜାରି ଏବଂ ସଶସ୍ତ୍ର ପୁଲିସ ମୁତୟନ କରି ଜଙ୍ଗଲର ଗଛ କାଟି ଖଣି ଖାଦାନର କାମ ଆରମ୍ଭ ହେବାର ପଥ ସୁଗମ କରାଯାଇଥିବାର ନଜିର୍ ମଧ୍ୟ ଦେଖିବାକୁ ମିଳିଛି । ଶିଳ୍ପାୟନ ପୂର୍ବରୁ ରେଙ୍ଗାଲି ଅଞ୍ଚଳ କୃଷି ସମୃଦ୍ଧ ଥିଲା। ସଂଖ୍ୟାଧିକ ଅଧିବାସୀଙ୍କ ମୁଖ୍ୟ ଜୀବିକା ଥିଲା କୃଷି । ରେଙ୍ଗାଲି, ନିଶାନଭଙ୍ଗା,ତୁରିଟିକ୍ରା, ଲପଙ୍ଗା, ଖିଣ୍ଡା, ଧୁବେନଛାପଲ, ବଂଶିମାଲ, ଲାଣ୍ଡୁପାଲି, ଚାଲଟିକ୍ରା, ନୁଆଖିଣ୍ଡା, ତଲାବିରା, ଦନ୍ତାମୁରା ଆଦି ଅଞ୍ଚଳରୁ ଉତ୍ପାଦିତ ପନିପରିବାର ସମ୍ବଲପୁର ଏବଂ ଝାରସୁଗୁଡା ବଜାରରେ ସ୍ୱତନ୍ତ୍ର ଚାହିଦା ଥିଲା । ସମୟ ଏମିତି ଥିଲା ସମ୍ବଲପୁର ଏବଂ ଝାରସୁଗୁଡା ଭଳି ସହର ରେଙ୍ଗାଲିର ପନିପରିବା ଉପରେ ନିର୍ଭର କରୁଥିଲେ। ବିଶେଷତଃ ଲପଙ୍ଗା ଏବଂ ଖିଣ୍ଡାରେ ଉତ୍ପାଦିତ ଶୀତ ଦିନିଆଁ ପନିପରିବାର ସ୍ୱତନ୍ତ୍ର ଚାହିଦା ଥିଲା।

ତେବେ ୯୦ ଦଶକରୁ ରେଙ୍ଗାଲିରେ ଆରମ୍ଭ ହୋଇଥିବା ବିକାଶ ନାଁ ରେ ଶିଳ୍ପାୟନର ଧାରାରେ ରେଙ୍ଗାଲିର ଚିତ୍ର ଏବଂ ଚରିତ୍ର ସଂପୂର୍ଣ ଓଲଟି ଗଲା। କୃଷି ସମୃଦ୍ଧ ରେଙ୍ଗାଲି ଶିଳ୍ପ ବହୁଳ ଅଞ୍ଚଳରେ ପରିଣତ ହେବା ସହିତ ଶିଳ୍ପ କରିଡର୍ ରୂପେ ବିବେଚିତ ହେଲା । ସରକାରଙ୍କ ଦ୍ରୁତ ଶିଳ୍ପାୟନ ନୀତିରେ ଏ ଅଞ୍ଚଳରେ ଦ୍ରୁତଗତିରେ ଶିଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ଚାଷ ଉପେକ୍ଷିତ ହୋଇ ଶିଳ୍ପ ପାଇଁ ଜମି ଅଧିଗ୍ରହଣ କୃଷି କ୍ଷେତ୍ର ମଧ୍ୟ ସଙ୍କୁଚିତ ହେଲା । ନିଯୁକ୍ତିର ସୁଯୋଗ ଏବଂ ପାରିପାର୍ଶ୍ବିକ ବିକାଶର ସମ୍ଭାବନା ଥିବାରୁ ଶିଳ୍ପାୟନ ପ୍ରକ୍ରିୟାକୁ ସ୍ଥାନୀୟ ଲୋକେ ପ୍ରାରମ୍ଭରେ ଶିଳ୍ପାୟନକୁ ସ୍ୱାଗତ କରୁଥିଲେ । କିନ୍ତୁ ବର୍ଷ କେଇଟା ପରେ ସେମାନଙ୍କ ଅଶା ନିରାଶାରେ ପରିଣତ ହେବା ସହିତ ଶିଳ୍ପାୟନର କୁପ୍ରଭାବରେ କବଳିତ ହୋଇପଡିଛି। ରେଙ୍ଗାଲି ଅଞ୍ଚଳର ପରିବେଶ ଭୟଙ୍କର ଭାବରେ ପ୍ରଦୁଷିତ ହୋଇ ବିଷାକ୍ତ ଧୂଳି ଧୂଆଁ ପାଉଁଶ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଂଶ ବିଶେଷ ପାଲଟି ଯାଇଛି । ପରିବେଶ ପ୍ରଦୂଷିତ ହେବା ସହିତ ଶିଳ୍ପାୟନ ପରେ ସାମାଜିକ କ୍ଷେତ୍ର ମଧ୍ୟ ପ୍ରଦୁଷିତ ହୋଇ ସମାଜରେ ଅପରାଧ ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି । ଶିଳ୍ପାଞ୍ଚଳକୁ ଗଲେ ବିହାର, ପଶ୍ଚିମବଙ୍ଗ, ଛତିଶଗଡର ଭ୍ରମ ସୃଷ୍ଟି ହେଉଛି । ଅଞ୍ଚଳର ସାମାଜିକ ବିଧି ବ୍ୟବସ୍ଥାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି।
ରେଙ୍ଗାଲି ଅଞ୍ଚଳରେ ଜମି ଜଙ୍ଗଲ ଅଧିଗ୍ରହଣ କରି କଳ କାରଖାନା, ଖଣି ଖାଦାନ ପ୍ରତିଷ୍ଠା ହେଲା। ନିଯୁକ୍ତି ଏବଂ ପାରିପାର୍ଶ୍ବିକ ବିକାଶର ପ୍ରତିଶ୍ରୁତି ଦିଆଗଲା । କିନ୍ତୁ ଆମକୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତ ନଦେଇ ରାଜ୍ୟ ବାହାର ଜିଲ୍ଲା ବାହାରର ଲୋକଙ୍କୁ ଆଣି ନିଯୁକ୍ତି ଦିଆଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ସମାନ ଅଭିଜ୍ଞତା, ଯୋଗ୍ୟତା ଥାଇ ମଧ୍ୟ ରାଜ୍ୟବାହାର, ଜିଲ୍ଲାବାହାର ଲୋକଙ୍କୁ ନିଯୁକ୍ତି ଦେବା ବନ୍ଦ କରି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଅସଂଖ୍ୟ ଆନ୍ଦୋଳନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ଏସଂକ୍ରାନ୍ତରେ ଅଞ୍ଚଳରୁ ନିର୍ବାଚିତ ହେଉଥିବା ଜନପ୍ରତିନିଧି ମାନେ ଅବଗତ ଥିଲେ ମଧ୍ୟ ସେମାନେ ଯେଭଳି ପଦକ୍ଷେପ ନେବା କଥା ନେଉ ନାହନ୍ତି ବୋଲି ଅଭିଯୋଗ ହେଉଛି । ନିର୍ବାଚନ ସମୟରେ ନିଯୁକ୍ତି ଏବଂ ପାରିପାର୍ଶ୍ବିକ ବିକାଶ ପାଇଁ ତୁମ୍ବି ତୋଫାନ ଏବଂ ଗର୍ଜନ ତର୍ଜନ କରୁଥିବା ନେତା ମାନେ ନିର୍ବାଚନ ପରେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି । ଫଳରେ ସମସ୍ୟା ଅସମାହିତ ହୋଇ ରହିଯାଉଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ସେହିପରି ପାରିପାର୍ଶ୍ବିକ ବିକାଶର ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟିଛି । ଅଞ୍ଚଳର ଅନେକ ଅପହଞ୍ଚ ଗାଁରୁ ବ୍ଳକ୍ ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଅପନ୍ତରା ହୋଇ ପଡିଛି । ଆରପିଡିଏସି ବୈଠକରେ ଗୃହୀତ ହୋଇଥିବା ବିଭିନ୍ନ ବିକାଶ ଯୋଜନା କାର୍ଯ୍ୟକାରୀ ନହୋଇ ଶୀତଳ ଭଣ୍ଡାରରେ ଖତ ଖାଉଛି । ଏତେ ବଡ ଶିଳ୍ପାୟନ ଅଞ୍ଚଳରେ ଶୌଚାଳୟ ଟିଏ ନାହିଁ । ଟ୍ରମା ସେଣ୍ଟର, ଟାଉନ୍ ହଲ୍, ପାର୍କ, ଉନ୍ନତମାନର ଇଏସ୍ଆଇ ଡାକ୍ତରଖାନା, ସୁପର ସ୍ପେସାଲିଟି ହସ୍ପିଟାଲ୍ ପ୍ରତିଷ୍ଠା ଆଦି ଅତି ଜରୁରୀ ହୋଇ ଥିଲେ ମଧ୍ୟ ଏଥିପାଇଁ କାହାରି ଆନ୍ତରିକତା ନାହିଁ । ଏସବୁର ସମଧାନ ପାଇଁ ଆନ୍ଦୋଳନ ହେଲେ କଳେ ବଳେ କୌଶଳେ ଆନ୍ଦୋଳନକୁ ପ୍ରଶମିତ କରି ଦିଆଯାଉଥିବାରୁ ସ୍ଥାନୀୟ ନିଯୁକ୍ତି ଏବଂ ବିକାଶର ସ୍ୱପ୍ନ ଶିଳ୍ପାୟନର ଦୁଇ ଦଶନ୍ଧି ବିତିଗଲା ପରେ ମଧ୍ୟ ସାକାର ହୋଇ ପାରି ନାହିଁ ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories