ରେଙ୍ଗାଲିକ୍ୟାମ୍ପ: ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧୀନରେ ଥିବା ଗୋଡ଼ଭଗା ମାର୍କେଟ ୟାର୍ଡରେ ରବି ଧାନ ସଂଗ୍ରହ ଶୁଭାରମ୍ଭ ହୋଇଛି। ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଲକଡାଉନ ନିୟମ ପାଳନ ପୂର୍ବକ ମଣ୍ଡିର ଶୁଭାରମ୍ଭ କରିଥିଲେ।ସରକାରଙ୍କ ଗାଇଡ ଲାଇନ୍ ଅନୁଯାୟୀ ଚଳିତ ବର୍ଷ ରାବିଧାନ ସଂଗ୍ରହ କରାଯିବ ବୋଲି ଜଣାପଡିଛି। ପୂର୍ବଥରମାନଙ୍କରେ ଧାନ କିଣା ବିକା ତଥ୍ୟ ସବୁ ଖାତା ପତ୍ର ମାଧ୍ୟମରେ ଚାଲୁଥିଲା। କିନ୍ତୁ ଚଳିତ ବର୍ଷ ତାହା ଅନଲାଇନ ମାଧ୍ୟମରେ କରାଯିବ। ଚାଷୀଙ୍କ ଟୋକନରେ ଯେତିକି ପରିମାଣର ଧାନ ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ ଥିବ ସେତିକି ପରିମାଣର ଧାନ ପୂର୍ଣ୍ଣମାତ୍ରାରେ ନ ଆଣିଲେ ତାହା ଗ୍ରହଣ କରାଯିବ ନାହିଁ ବୋଲି ସରକାରୀ ନିୟମରେ ଉଲ୍ଲେଖ ଥିବା ଜଣାପଡିଛି। ତେଣୁ ଚାଷୀମାନେ ନିଜର ସମସ୍ତ ଧାନ ଉତ୍ପାଦନ କରି ସାରିବା ପରେ ହିଁ ବିକ୍ରୟ କରି ପାରିବେ ବୋଲି ଜଣାପଡୁଛି।
ପୂର୍ବରୁ ଚାଷୀଙ୍କ ଟୋକନ୍’ର ଧାର୍ଯ୍ୟ ସମୟ ୩୦ଦିନ ରହିଥିଲା ହେଲେ ଚଳିତ ବର୍ଷ ସରକାର ତାକୁ ୩୦ ଦିନ ବଦଳରେ ୧୫ ଦିନ ଧାର୍ଯ୍ୟ କରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ଆଜି ଶୁଭାରମ୍ଭ ପରେ ମଣ୍ଡିକୁ ଆଂଶିକ ଧାନ ବିକ୍ରୟ ପାଇଁ ପହଞ୍ଚିଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରିତା ସାହୁ, ଉପାଧ୍ୟକ୍ଷ ସୁଦାମ ଜାଲ, ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୁରେନ୍, ଡିଆରସିଏସ ଭକ୍ତବନ୍ଧୁ ସାହୁ, ଏଆରସିଏସ ଗଜିନ୍ଦ୍ର ପଣ୍ଡା, ଅତାବିରା ଯୋଗାଣ ନିରୀକ୍ଷକ ଅଧିକାରୀ ବିଶ୍ବରଂଜନ ସାହୁ ଓ ଅତାବିରା ଆରଏମସି ସମ୍ପାଦକ ପ୍ରଦୀପ ବେସନ ପ୍ରମୁଖ ଉପସ୍ଥିତ ଥିଲେ।



