www.samajalive.in
Wednesday, December 10, 2025
18.1 C
Bhubaneswar

କୋହଲିଙ୍କ ଶତକ ; ପ୍ଲେଅଫ୍ ଦୌଡ଼ରେ ଆର୍‌ସିବି

ହାଇଦରାବାଦ : ଆଇପିଏଲ୍‌ ଇତିହାସରେ ଯୁଗ୍ମ ସର୍ବାଧିକ ୬ଷ୍ଠ ଶତକ ହାସଲ କରିଛନ୍ତି ବିରାଟ କୋହଲି। ତାଙ୍କର ଶତକ ଓ ଫାଫ୍ ଡୁ ପ୍ଲେସିଙ୍କ ୭୧ ରନ୍‌ ବଳରେ ଗୁରୁବାର ସନ୍‌ରାଇଜର୍ସ ହାଇଦରାବାଦକୁ ୮ ୱିକେଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରାସ୍ତ କରିଛି। ଚଳିତ ସଂସ୍କରଣରେ ୭ମ ବ୍ୟାଟ୍‌ସମ୍ୟାନ ଭାବେ ହେନ୍‌ରିକ୍‌ କ୍ଲାସେନ୍‌ ଶତକ ମାରିଥିଲେ। ଫଳରେ ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ୫ ୱିକେଟ୍‌ରେ ୧୮୬ ରନ୍‌ କରିଥିଲା। ପରେ କୋହଲି ଓ ଡୁ ପ୍ଲେସିଙ୍କ ମଧ୍ୟରେ ୧୭୨ ରନ୍‌ର ଓପ୍‌ନିଂ ଭାଗିଦାରୀ ଯୋଗୁଁ ୪ଟି ବଲ୍‌ ବାକିଥାଇ ୨ ୱିକେଟ ହରାଇ ଆର୍‌ସିବି ଜିତିଥିଲା। ଏହାକୁ ମିଶାଇ ୧୩ଶ ମ୍ୟାଚ୍‌ରେ ୭ମ ବିଜୟ ପରେ ପ୍ଲେଅଫ୍‌ ଦୌଡ଼ରେ ରହିଛି ଆର୍‌ସିବି। ଏହି ମ୍ୟାଚ୍‌ ପୂର୍ବରୁ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିବା ସନ୍‌ରାଇଜର୍ସ ୧୩ଶ ମ୍ୟାଚ୍‌ରେ ୯ମ ପରାଜୟ ପରେ ଅନ୍ତିମ ସ୍ଥାନରେ ରହିଛି।
ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ଏହାର ଦୁଇ ଅଭିଜ୍ଞ ତଥା ତାରକା ଓପ୍‌ନର ବିରାଟ କୋହଲି ଓ ଫାଫ୍ ଡୁ ପ୍ଲେସି ଚମତ୍କାର ବ୍ୟାଟିଂ କରିଥିଲେ। ଇନିଂସର ପ୍ରଥମ ୨ଟି ବଲ୍‌ରୁ ଚୌକାମାରି କୋହଲି ଇନିଂସ ଆରମ୍ଭ କରିଥିଲେ। ୬ ଓଭରର ପାୱରପ୍ଲେରେ ଆର୍‌ସିବି ୬୪ ରନ୍‌ କରି ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିଲା। ୧୫ଶ ଓଭରରେ ୧୮ ରନ୍‌ ହେବା ସହ ଆର୍‌ସିବି ୧୫୦ ରନ୍‌ରେ ପହଞ୍ଚିଥିଲା। ବିରାଟ କୋହଲି ୩୭ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିବା ପରବର୍ତ୍ତୀ ୨୫ ବଲ୍‌ରୁ ୫୦ ରନ୍‌କରି ଶତକ ପୂରଣ କରିଥିଲେ। ଛକାମାରି ଶତକ ପୂରଣ କରିବାର ପର ବଲ୍‌ରେ କୋହଲି ଆଉଟ୍‌ ହୋଇ ଯାଇଥିଲେ। ଏହି ବ୍ୟାଟିଂ ସୁପରଷ୍ଟାର ୬୩ ବଲ୍‌ରୁ ୪ଟି ଛକା ଓ ୧୨ଟି ଚୌକା ସହ ୧୦୦ ରନ୍‌ କରିଥିଲେ। ଚଳିତ ଆଇପିଏଲ୍‌ରେ ଏହା ୮ମ ଶତକ। ପୁଣି ଆଇପିଏଲ୍‌ରେ ସର୍ବାଧିକ ୬ଷ୍ଠ ଶତକ ହାସଲକରି କ୍ରିସ୍‌ ଗେଲ୍‌ଙ୍କ ସମକକ୍ଷ ହୋଇଛନ୍ତି କୋହଲି। ୧୧ ବଲ୍‌ରୁ ୧୦ ରନ୍‌ ଆବଶ୍ୟକ ଥିବା ବେଳେ ଡୁ ପ୍ଲେସି ଆଉଟ୍‌ ହୋଇଥିଲେ। ଚଳିତ ସଂସ୍କରଣରେ ସର୍ବାଧିକ ରନ୍‌ କରିଥିବା ଡୁ ପ୍ଲେସି ୪୭ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୭୧ ରନ୍‌ କରିଥିଲେ। ଗ୍ଲେନ୍‌ ମ୍ୟାକ୍ସୱେଲ ୫ ଓ ମାଇକେଲ ବ୍ରେସ୍‌ୱେଲ ୪ ରନ୍‌କରି ଅପରାଜିତ ଥିଲେ।
ଟସ୍ ଜିତି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫିଲ୍‌ଡିଂ ନେଇଥିଲା। ସନ୍‌ରାଇଜର୍ସ ହାଇଦରାବାଦର ଓପ୍‌ନିଂ ଯୋଡ଼ି ୪ ଓଭରରେ ୨୭ ରନ୍‌ କରିଥିଲେ। ଅଭିଷେକ ଶର୍ମା ୧୧ ରନ୍‌ କରିଥିବା ବେଳେ ରାହୁଲ ତ୍ରିପାଠୀ ୧୫ ରନ୍‌ କରିଥିଲେ। ୨୮ ରନ୍‌ରେ ସନ୍‌ରାଇଜର୍ସର ୨ଟି ୱିକେଟ ପଡ଼ିବା ପରେ ଦକ୍ଷିଣ ଆଫ୍ରିକାର ଦୁଇ ବ୍ୟାଟ୍‌ସମ୍ୟାନ୍ ଐଡେନ୍ ମାର୍କରାମ ଓ ହେନ୍‌ରିକ୍ କ୍ଲାସେନ୍‌ ୭୬ ରନ୍‌ ଯୋଡ଼ିଥିଲେ। ମାର୍କରାମ ଜଗିରଖି ଖେଳିଥିବା ବେଳେ କ୍ଲାସେନ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅଧିନାୟକ ଐଡେନ୍ ମାର୍କରାମ ୨୦ ବଲ୍‌ରୁ ବିନା ବାଉଣ୍ଡରୀରେ ୧୮ ରନ୍‌ କରିଥିଲେ। ପରେ କ୍ଲାସେନ୍ ଓ ହ୍ୟାରି ବ୍ରୁକ୍‌ ୪ର୍ଥ ୱିକେଟ ପାଇଁ ବିଧ୍ବଂସୀ ବ୍ୟାଟିଂକରି ମାତ୍ର ୩୬ ବଲ୍‌ରୁ ୭୪ ରନ୍‌ ଯୋଗ କରିଥିଲେ। ହେନ୍‌ରିକ୍ କ୍ଲାସେନ୍ ମାତ୍ର ୫୧ ବଲ୍‌ରୁ ୬ଟି ଛକା ଓ ୮ଟି ଚୌକା ସହ ୧୦୪ ରନ୍‌କରି ଆଉଟ୍‌ ହୋଇଥିଲେ। ଇନିଂସର ଶେଷ ବଲ୍‌ରେ ଆଉଟ୍‌ ହୋଇଥିବା ଗ୍ଲେନ୍ ଫିଲିପ୍‌ସ ୫ ରନ୍‌ କରିଥିଲେ। ବ୍ରୁକ୍‌ ୧୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍‌କରି ଅପରାଜିତ ଥିଲେ। ମାଇକେଲ ବ୍ରେସ୍‌ୱେଲ ୨ଟି ୱିକେଟ ନେଇଥିଲେ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories