www.samajalive.in
Saturday, December 13, 2025
15.1 C
Bhubaneswar

ଦ୍ରୁତ ବିକାଶ ପଥରେ ଅଗ୍ରସର ହେଉଛି ଭୁବନେଶ୍ୱର

 ସମ୍ବର୍ଦ୍ଧିତ ହେଲେ ୪ ଜଣ ଦୃଷ୍ଟିବାଧିତ ମହିଳା କ୍ରିକେଟର
 ଉନ୍ମୋଚିତ ହେଲା ସ୍ୱତନ୍ତ୍ର ପୋଷ୍ଟାଲ କଭର
ଭୁବନେଶ୍ୱର: ଦେଶର ପୂର୍ବାଞ୍ଚଳ ସହରଗୁଡ଼ିକ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଦ୍ରୁତ ବିକାଶପଥରେ ଅଗ୍ରସର ହେବା ସହ ସବୁ ଓଡ଼ିଆଙ୍କ ଗର୍ବ ଓ ଗୌରବ ଭାବେ ଉଭା ହୋଇଛି । ଭୁବନେଶ୍ୱର ନୂଆ ରାଜଧାନୀ ଭାବେ ପ୍ରତିଷ୍ଠା ହେବା ଦିନଠାରୁ ନିଜର ବାସିନ୍ଦାଙ୍କୁ ସୁଖସ୍ୱାଚ୍ଛନ୍ଦ ସହ ଏକ ସୁସ୍ଥ ସାମାଜିକ ପରିବେଶ ଯୋଗାଇ ଦେବାରେ ସଫଳ ହୋଇଛି ବୋଲି ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରକାଶ କରିଛନ୍ତି ।

ଆଜି ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବୈଷୟିକ ଶିକ୍ଷା, କ୍ରୀଡ଼ା, ସ୍ୱାସ୍ଥ୍ୟସେବା, ସୂଚନା ପ୍ରଯୁକ୍ତି, ଦକ୍ଷତା ବିକାଶ, ଭିତ୍ତିଭୂମି ସୁଦୃଢ଼ୀକରଣ ଆଦି ପ୍ରତ୍ୟେକ କ୍ଷେତ୍ରରେ ଭୁବନେଶ୍ୱର ଅନ୍ୟ ରାଜଧାନୀମାନଙ୍କ ପାଇଁ ଉଦାହରଣ ହୋଇପାରିଛି। ଖଣ୍ଡଗିରି, ଉଦୟଗିରି, ଧଉଳି ଆଦି ଜୈନ ଓ ବୌଦ୍ଧ କୀର୍ତ୍ତିରାଜି ସହ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର ଆମର ଅମୂଲ୍ୟ ସଂପଦ ଭାବେ ଦେଶବିଦେଶରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସିଛି।

- Advertisement -

ଓଡ଼ିଶାର ଉତ୍କର୍ଷ କଳାକୁ ବିଶ୍ୱ ଦରବାରରେ ପରିଚିତ ପ୍ରଦାନ କରିବା ପାଇଁ ହସ୍ତକଳା ସଂଗ୍ରହାଳୟ ‘କଳାଭୂମି’ ଏବଂ ଜନଜାତି ପାରମ୍ପରିକ କଳା ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଇନ୍‌ଫୋସିସ୍‌, ୱିପ୍ରୋ, ଟିସିଏସ୍‌, ଟେକ୍‌ ମହିନ୍ଦ୍ରା, ମାଇଣ୍ଡ ଟି୍ର ଭଳି ଆଗଧାଡ଼ିର ଆଇଟି କମ୍ପାନୀକୁ ହୋଷ୍ଟ କରି ଭୁବନେଶ୍ୱର ଦେଶର ଆଇଟି ମାନଚିତ୍ରର ଅଗ୍ରଣୀ ସ୍ଥାନରେ ରହିବା ସହ ଅନେକ ଆଇଟି ଶିକ୍ଷାଧାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଭୁବନେଶ୍ୱର ଆଜି ସମଗ୍ର ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଗୋଟେ ପରେ ଗୋଟେ ମାଇଲଖୁଣ୍ଟ ପ୍ରତିଷ୍ଠା କରି ଚାଲିଛି। କ୍ରମାଗତ ଦୁଇ ଦୁଇଥର ପୁରୁଷ ବିଶ୍ୱକପ୍‌ ହକି ସହ ଏସିଆନ୍‌ ଆଥଲେଟିକ୍‌ ମିଟ୍‌, ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌, ସାଫ ଫୁଟବଲ ଚମ୍ପିଆନ୍‌ସିପ୍‌ ସହ ଗତକାଲି କଳିଙ୍ଗ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ଏସିଆନ୍‌ ଅଣ୍ଡର-୧୪ ଟେନିସ୍‌ ଚମ୍ପିଆନ୍‌ସିପ୍‌ର ସଫଳ ଆୟୋଜନ କରିବାରେ ଆମେ ସମର୍ଥ ହୋଇପାରିଛୁ। କ୍ରୀଡ଼ା ଦୃଶ୍ୟପଟରେ କଳିଙ୍ଗ ଷ୍ଟାଡିୟମ୍‌ ଆଜି ଭୁବନେଶ୍ୱରକୁ ସମଗ୍ର ବିଶ୍ୱରେ ଏକ କ୍ରୀଡ଼ା ହବ୍‌ର ମାନ୍ୟତା ପ୍ରଦାନ କରିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ଉଲ୍ଲେଖ କରିଛନ୍ତି।

ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ଦେଶରେ ଭୁବନେଶ୍ୱର ମହିଳାମାନଙ୍କ ପାଇଁ ସୁରକ୍ଷିତ ନଗରୀ ଭାବେ ପରିଚିତି ଅର୍ଜନ କରିଛି। ସହରରେ ଶାନ୍ତି ଓ ମୈତ୍ରୀ ବଜାୟ ରଖିବାରେ ଭୁବନେଶ୍ୱରବାସୀ ସର୍ବଦା ସହଯୋଗ କରୁଥିବା ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ଭୁବନେଶ୍ୱର ମହାନଗର ନିଗମର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ମିହିର କୁମାର ରାଉତ ଭାରତର ସବୁଜ ଓ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱର ପ୍ରସିଦ୍ଧି ଅର୍ଜନ କରିଥିବା ଦର୍ଶାଇ ଏହି ସହରର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ସହରବାସୀଙ୍କ ସହଯୋଗ କାମନା କରିଥିଲେ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସାଧାରଣ ସଂପାଦକ ଶ୍ରୀ ସନତ ମିଶ୍ର ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନରେ ଭୁବନେଶ୍ୱର ମହାନଗର ନିଗମର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।
ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀନିବାସ ଘଟୁଆରୀ ଏବଂ ସୁଲଗ୍ନା ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି ଅବସରରେ ଭାରତର ଜାତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍‌ ଦଳରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ୪ ଜଣ ଦିବ୍ୟାଙ୍ଗ କ୍ରିକେଟ୍‌ ଖେଳାଳୀ ଫୁଲ ସୋରେନ୍‌, ବାସନ୍ତି ହାଂସଦା, ପଦ୍ମିନୀ ଟୁଡ଼ୁ ଓ ଝିଲି ବିରୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ଅପ୍ରେଲ ୨୫ରୁ ୩୦ ତାରିଖ ମଧ୍ୟରେ ନେପାଳ ବିରୁଦ୍ଧରେ ମ୍ୟାଚ୍‌ ଖେଳିବା ପାଇଁ ଜାତୀୟ ଦଳରେ ସାମିଲ ହୋଇଛନ୍ତି। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଡାକ ସେବା ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ବାରିକଙ୍କ ଉପସ୍ଥିତିରେ ଭାରତୀୟ ଡାକ ପକ୍ଷରୁ ଏକ ପୋଷ୍ଟାଲ କଭର ଉନ୍ମୋଚିତ ହୋଇଥିଲା।

ରାଜଧାନୀ ପ୍ରତିଷ୍ଠା ଦିବସର ପ୍ରଥମ ଦିନରେ ଆୟୋଜିତ ପ୍ୟାରେଡ୍‌ରେ ବରିଷ୍ଠ ସ୍ତରରେ ରୟାଲ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି ପ୍ରଥମ, ପୁଲିସ ମିତ୍ର ଦ୍ୱିତୀୟ ଏବଂ ମହର୍ଷି କଲେଜ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ପବ୍ଲିକ୍‌ ସ୍କୁଲ ସ୍ତରରେ ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ ପ୍ରଥମ, ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍‌ ସ୍କୁଲ ଦ୍ୱିତୀୟ ଏବଂ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ୍‌ ସ୍କୁଲ ଏବଂ ଓଡ଼ିଏମ୍‌ ପବ୍ଲିକ୍‌ ସ୍କୁଲ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଶୃଙ୍ଖଳିତ ଦଳ ଭାବେ ସୈନିକ ସ୍କୁଲ ଏବଂ ଏନ୍‌ସିସି ଫାଷ୍ଟ ବାଟାଲିୟନ୍‌ (ବାଳିକା) ଦଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ଦିନରେ ଆୟୋଜିତ ସାଂସ୍କୃତିକ ପ୍ରତିଯୋଗିତାରେ ମହାବିଦ୍ୟାଳୟ ସ୍ତରରେ ରାଜଧାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଥମ, ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ଏବଂ ମହର୍ଷି ମହାବିଦ୍ୟାଳୟ ତୃତୀୟ ସ୍ଥାନ ଓ ଉଚ୍ଚବିଦ୍ୟାଳୟ ସ୍ତରରେ ଚନ୍ଦ୍ରଶେଖର ଡିଏଭି ପବ୍ଲିକ୍‌ ସ୍କୁଲ ପ୍ରଥମ, ପୋଖରୀପୁଟ ଡିଏଭି ପବ୍ଲିକ୍‌ ସ୍କୁଲ ଦ୍ୱିତୀୟ ଏବଂ ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ ଏବଂ କପିଳପ୍ରସାଦ ସରକାରୀ (ମୁନିସିପାଲ) ଉଚ୍ଚ ବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

ଭୁବନେଶ୍ୱର ମହାନଗର ନିଗମ, ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ସଫଳତାର ସହ ଶେଷ ହୋଇଥିବାରୁ ଏଥି ସହିତ ସଂଶ୍ଳିଷ୍ଟ ବିଭିନ୍ନ ବିଭାଗ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories