Patra electronics

କେନ୍ଦୁଝରଗଡ଼ରେ ରଜ, କାଳୀପଡ଼ିଆରେ ଦଶମ ରଜ ମହୋତ୍ସବ ଉଦ୍‌‌ଘାଟିତ

କେନ୍ଦୁଝରଗଡ଼଼: ଘରେ ଘରେ କୁଣିଆଁ ସହ ଆରମ୍ଭ ହାଇଛି ଗଣପର୍ବ ରଜ। ଏଥିପାଇଁ ସମଗ୍ର ଜିଲା ହୋଇଉଠିଛି ବେଶ୍‌‌ ଉତ୍ସବମୁଖର। ଜିଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ଜିଲାବାସୀ ବେଶ୍‌‌ ଗର୍ବିତ ଥିବାବେଳେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ରଜ ମହୋତ୍ସବ ଏକ ଗଣ ପର୍ବ ଭାବେ ପାଳିତ ହୋଇଆସୁଛି। ଧନୀ-ଦରିଦ୍ର ମଧ୍ୟରେ କୌଣସି ବିଭେଦ ରଖୁନଥିବା ଏହି ପର୍ବ ଜିଲାବ୍ୟାପୀ ଖୁବ ଜାକଜମକରେ ପାଳିତ ହୋଇଆସୁଛି। ଶୁକ୍ରବାର ଠାରୁ ଆରମ୍ଭ ଏହି ରଜ ଉତ୍ସବ ୩ ଦିନ ପାଇଁ ଗାଁରୁ ସହର ସବୁଠି ହୋଇଛଠିଛି ଚଳଚଞ୍ଚଳ।

ଏହି ଅବସରରେ କେନ୍ଦୁଝର ସହର କାଳୀପଡ଼ିଆରେ ଆୟୋଜିତ ଦଶମ ରଜ ମହୋତ୍ସବକୁ କମିଟିର ବରିଷ୍ଠ ସଦସ୍ୟ ନେତ୍ରାନନ୍ଦ ନାଏକ ଉଦ୍‌‌ଘାଟନ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଗ୍ରାମ ଦେହୁରୀ ଚମ୍ପା ନାଏକ ଓ ଦୋଳି ପ୍ରସ୍ତୁତକାରୀ ମୁଖ୍ୟ ମହାରଣା ହଳଧର ପଇଦା ଦୋଳିକୁ ଯଥାରୀତି ପୂଜାର୍ଚ୍ଚନା କରିବା ପରେ ଦୋଳି ଖେଳ ଆରମ୍ଭ ହୋଇଥିଲା। ଏହି ରଜ ମହୋତ୍ସବକୁ ଅଧିକ ଆକର୍ଷଣ କରିବା ପାଇଁ ୧୪ ତାରିଖରୁ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୨୪ ତାରିଖ ଉଦ୍‌‌ଯାପିତ ହେବବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ମହୋତ୍ସବର ଉଦ୍‌‌ଯାପନୀ ସମାରୋହ ସନ୍ଧ୍ୟାରୁ ଉଦ୍‌‌ଯାପନୀ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ରଜ ମହୋତ୍ସବ କମିଟି ସଭାପତି କୃଷ୍ଣଚନ୍ଦ୍ର ରାଉତ ଏହି ସୂଚନା ପ୍ରଦାନ କରିଛନ୍ତି। ମହୋତ୍ସବ କମିଟି ସଦସ୍ୟା ସୋନାଲୀ ନାଏକ, ଝୁନୀ ବେହେରା, ଶାଇଦା ଖାତୁନ, ସଦସ୍ୟ ସୂର୍ଯ୍ୟ ନାରାୟଣ ସ୍ୱାଇଁ, ବିକଳ ଜେନା, ହେମନ୍ତ ନାଏକ, ଲକ୍ଷ୍ମୀଧର ମହାନ୍ତ, ଶରତ ନାଏକ ଓ ଭରତ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଓ ଆୟୋଜନରେ ସହଯୋଗ କରିଆସୁଛନ୍ତି।

ଗାଁ ମୁଣ୍ଡ ତୋଟା ମାନଙ୍କରେ ଭଳିକି ଭଳି ଦୋଳି ଲାଗିଛି। କେଉଁଠି ପଟା ଦୋଳି ତ ଆଉଁ କେଉଁଠି ଚକ୍ରି ଓ ଖାଇ ଦୋଳି। ବାଉଁଶ ଦୋଳି ସାଙ୍ଗକୁ ଏମିତି କେତେ ପ୍ରକାରର ଦୋଳି ଲାଗିଛି ଗାଁ ମୁଣ୍ଡ ଆମ୍ବତୋଟା ମାନଙ୍କରେ। ଜିଲାବ୍ୟାପୀ ରଜ ୩ଦିନ ମହିଳା ଓ ପୁରୁଷ ସମସ୍ତେ ମଉଜ ମଜଲିସ୍‌‌ରେ ବ୍ୟସ୍ତ। ଏହି ୩ଦିନ ଶ୍ରମଜୀବୀ ଖଣିଖାଦାନ ଠାରୁ ଆରମ୍ଭ କରି ସବୁଠି ସେମାନଙ୍କ ଶ୍ରମଦାନ ବନ୍ଦ କରି ତାସ୍‌‌, କବାଡି ଓ ପାରମ୍ପରିକ ଆଦିବାସୀ ଲୋକ ନୃତ୍ୟଗୀତର ତାଳେ ତାଳେ ମଜ୍ଜିଥାନ୍ତି। ଏମିତିରେ କୁଆଁରୀମାନେ ରଜରେ କୁଟା ଖଣ୍ଡେକୁ ଦି’ଖଣ୍ଡ କରନ୍ତି ନାହିଁ। ଖିଲିପାନ ଖାଇ ଘର ଘର ବୁଲି କୁଣିଆ ହୋଇ ଆମୀଷ ଭୋଜନ ସହ ଦୋଳି ସାଙ୍ଗକୁ ପୁଚି ଖେଳର ବେଶ୍‌‌ ମଜା ଉଠାଇଥାନ୍ତି। ବସୁନ୍ଧରା ରଜସ୍ୱଳା, ବିଲକୁ କୃଷକ ଯିବା ମନା। ନୂଆ ବାହା ହୋଇ ଆସିଥିବା ବୋହୁ ଘରେ ପହଞ୍ଚି ଯାଇଥାଏ ବାପ ଘରୁ ଭଳିକି ଭଳି ରଜ ଭାର। ଆମ୍ବ, ପଣସ, କଦଳୀ, ନୂଆ ଶାଢ଼ୀ ସାଙ୍ଗକୁ ଜ୍ୱାଇଁ ପୁଅର ପୋଷାକ ସହ ଆହୁରି କେତେ କ’ଣ। ସଂକ୍ରାନ୍ତି ସତ୍ତ୍ବେ କେନ୍ଦୁଝର ଜିଲାର ପ୍ରାୟ ଘରେ ଘରେ ଆମୀଷଭୋଜନ ରଜ ମଜାକୁ ଦ୍ୱିଗୁଣିତ କରିଥାଏ। ଜିଲାର ଖଟିଖିଆ ଶ୍ରମିକଶ୍ରେଣୀର ଲୋକଙ୍କ ପକ୍ଷରୁ ଏହି ପର୍ବ ବେଶ୍‌‌ ଧୂମଧାମ୍‌‌ରେ ପାଳିତ ହୋଇଆସୁଛି। ଶିଶୁ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନୂତନ ବସ୍ତ୍ର ପରିଧାନ ସହ ରଜ ମଉଜରେ ବ୍ୟସ୍ତ ରହୁଥିବାରୁ ଜିଲାରେ ହୋଟେଲ ବ୍ୟବସାୟ ଓ ଦୋକାନବଜାର ପ୍ରାୟ ସପ୍ତାହେବ୍ୟାପୀ ବନ୍ଦ ରହିଥାଏ। ଏହି ଉତ୍ସବରେ ଦୋଳି ଖେଳ ମୁଖ୍ୟ ଆକର୍ଷଣ ହୋଇଥିଲେ ହେଁ ଶହ ଶହ ବର୍ଷର ପୌରାଣିକ କିମ୍ବଦନ୍ତୀ ଜଡ଼ିତ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବହନ କରିଆସୁଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଆଦିବାସୀ ସମ୍ପଦାୟ ପକ୍ଷରୁ ଦୋଳିଖେଳ ସାଙ୍ଗକୁ ଲୋକନୃତ୍ୟ ଓ ପାରମ୍ପରିକ ରଜ ଗୀତ ପ୍ରତିଦ୍ୱନ୍ଦିତା ବେଶ୍‌‌ ମନୋରଞ୍ଜନଧର୍ମୀ ହୋଇଥାଏ। ଜିଲାର ସଦର ବ୍ଲକ ପୁଟୁଳିଆ, ରାଇସୁଆଁ, ଜଳବଙ୍ଗ, ବିସ୍ତାପାଳ, ପଳାଶପଙ୍ଗା, ମୁରୁସୁଆଁ, ନରଣପୁର, ଡିମ୍ବୋ, ଝୁମ୍ପୁରା ବ୍ଲକ ମଲଦା, ଅସନପାଟ, ବାଲିବନ୍ଧ, ଘଟଗାଁ ବ୍ଲକର ଉପରଡିହା, ବିଣାଝରୀ, ଗଦାଧରପୁର ଓ ସୀତାବିଞ୍ଜ, ଘସିପୁରା, ଆନନ୍ଦପୁର ଏବଂ ହାଟଡିହୀ ବ୍ଲକର ଶାଳବଣୀ ଠାରେ ରଜ ମହୋତ୍ସବ ପ୍ରତିବର୍ଷ ଧୁମ୍‌‌ଧାମରେ ପାଳିତ ହୋଇଆସୁଛି। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରଜମଜାକୁ ଦ୍ୱିଗୁଣିତ କରିଛି।

କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ଜାମୁପଶି, ମୁରୁସୁଆଁ ଓ ଜାମୁଡିହା ଗ୍ରାମରେ ପାରମ୍ପରିକ ରଜ ମହୋତ୍ସବ-୨୦୨୪ ଶୁକ୍ରବାର ଅପରାହ୍ନରେ ଉଦ୍‌‌ଘାଟିତ ହୋଇଯାଇଛି। ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ପକ୍ଷରୁ ରଜ ମହୋତ୍ସବ ଖୁବ୍‌‌ ଧୂମଧାମରେ ଆରମ୍ଭ ହୋଇଛି। ଏହି ଅବସରରେ ପାରମ୍ପରିକ ରଜ ଦୋଳି ଗୀତ ସାଙ୍ଗକୁ ନୃତ୍ୟ, ପୁଚି, କବାଡି, ମ୍ୟୁଜିକ୍‌‌ ଚେୟାର ଆଦି ପ୍ରତିଯୋଗିତା ଆରମ୍ଭ ହୋଇଛି। ଉକ୍ତ ୩ ଗ୍ରାମର ଯୁବଗୋଷ୍ଠୀ ଓ ମହିଳାଙ୍କ ସହଯୋଗରେ ୩ ଦିନବ୍ୟାପୀ ଏହି ରଜ ମହୋତ୍ସବରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ମଉଜ ମଜଲିସ୍‌‌ କରିଥିବା ବେଳେ ଆସନ୍ତା ରବିବାର ସନ୍ଧ୍ୟାରେ ଏହାର ଉଦଯାପନ ସମାରୋହ ଧୁମଧାମରେ ପାଳନ ହେବବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Comments are closed.