www.samajalive.in
Saturday, December 6, 2025
16.1 C
Bhubaneswar

ରାଫେଲ୍‍ ଡିଲ୍‍: ଚୁକ୍ତି ପୂର୍ବରୁ ଫ୍ରାନ୍ସ ଅଧିକାରୀଙ୍କୁ ଭେଟିଥିଲେ ଅନିଲ୍‍

ନୂଆଦିଲ୍ଳୀ: ବହୁଚର୍ଚ୍ଚିତ ରାଫେଲ ଡିଲ୍‍ ପୂର୍ବରୁ ଏହାର ଅଫସେଟ୍‍ ପାର୍ଟନର ରିଲାଏନ୍ସ ଡିଫେନ୍ସର ମାଲିକ ଅନିଲ ଅମ୍ବାନି ଫ୍ରାନ୍ସରେ ପ୍ରତିରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ର ରିପୋର୍ଟରୁ ଏହା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୨୦୧୫ ଏପ୍ରିଲ୍‍ ୯ ରୁ ୧୧ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏହାର ଦୁଇ ସପ୍ତାହ ପୂର୍ବରୁ ମାର୍ଚ୍ଚ ମାସରେ ଅନିଲ୍‍ ଅମ୍ବାନୀ ଫ୍ରାନ୍ସ ପ୍ରତିରକ୍ଷା ବିଭାଗ ମନ୍ତ୍ରୀ ଜିନ୍‍ ୟାଭେସ ଲି ଡ୍ରାଏନ୍‍ଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଡ୍ରାଏନ୍‍ଙ୍କ ସ୍ୱତନ୍ତ୍ର ଉପଦେଷ୍ଟା ଜିନ୍‍ କ୍ଲଡ୍‍ ମାଲେଟ୍‍, ଶିଳ୍ପ ଉପଦେଷ୍ଟା ଖ୍ରୀଷ୍ଟୋଫର ସାଲୋମନ୍‍, ଶିଳ୍ପ ବ୍ୟାପାର ଉପଦେଷ୍ଟା ଜିଓଫରି ବୁକେଟ୍‍ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଗୁପ୍ତ ବୈଠକ ସମ୍ପର୍କରେ ସାଲୋମନ୍‍ ୟୁରୋପ ପ୍ରତିରକ୍ଷା କମ୍ପାନୀକୁ ସୂଚନା ଦେଇଥିଲେ। ଉଭୟ ସାମରିକ ଓ ବେସାମରିକ କ୍ଷେତ୍ରରେ ନିୟୋଜିତ ଏୟାରବସ୍‍ ହେଲିକପ୍ଟର ନିର୍ମାଣରେ ସହଯୋଗୀ ପାଇଁ ଆଗ୍ରହୀ ଥିବା ଅନିଲ୍‍ ସୂଚନା ଦେଇଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଅବସରରେ ହେବାକୁ ଥିବା ବୁଝାମଣାପତ୍ରରେ ମଧ୍ୟ ତାଙ୍କର ଆଗ୍ରହ ଥିବା ଅନିଲ୍‍ କହିଥିଲେ। ସେହି ମାସର ଶେଷ ସପ୍ତାହ ଅର୍ଥାତ୍‍ ମାର୍ଚ୍ଚ ୨୮ ତାରିଖରେ ରିଲାଏନ୍ସ ଡିଫେନ୍ସ ପଞ୍ଜିକୃତ ହୋଇଥିଲା।
ଏପ୍ରିଲ୍‍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଅନିଲ୍‍ ସରକାରୀ ପ୍ରତିନିଧି ଦଳରେ ସାମିଲ୍‍ ହୋଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ପୂର୍ବରୁ ଏପ୍ରିଲ ୮ ତାରିଖ ଦିନ ବୈଦେଶିକ ବ୍ୟାପାର ସଚିବ ଏସ ଜୟଶଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ ରାଫେଲ୍‍ ଡିଲ୍‍ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ରାଫେଲ୍‍ ଜେଟ୍‍ କ୍ରୟ ପାଇଁ ଫ୍ରାନ୍ସ ସରକାର ଓ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ଜାରି ରହିଛି। ହାଲ୍‍କୁ ଏଥିରେ ଅଫ୍‍ସେଟ୍‍ ପାର୍ଟନର ଭାବେ ଚୟନ କରାଯିବାକୁ ଯୋଜନା ହେଉଥିବା ସେ ସୂଚନା ଦେଇଥିଲେ। ସେତେବେଳେ ୧୦୮ଟି ରାଫେଲ୍‍ ଜେଟ୍‍ ନିର୍ମାଣରେ ସହଯୋଗିତା ପାଇଁ ହାଲକୁ ଲାଇସେନ୍ସ ମିଳିଥିଲା। କିନ୍ତୁ ନୂଆ ଚୁକ୍ତିରେ ହାଲ୍‍କୁ ସାମିଲ୍‍ କରାଯାଇନଥିଲା।
ହାଲ ବଦଳରେ ରାଫେଲ୍‍ ଜେଟ୍‍ ନିର୍ମାତା ଡାସଲଟ ଏଭିଏସନ୍‍ର ଅଫସେଟ୍‍ ପାର୍ଟନର ରୂପେ ଅନିଲ୍‍ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ରିଲାଏନ୍ସ ଡିଫେନ୍ସକୁ ୩୦ ହଜାର କୋଟି ଟଙ୍କାର ଫାଇଦା ମିଳିବ ବୋଲି କୁହାଯାଉଥିଲେ ହେଁ ଏ ସମ୍ପର୍କରେ ବିଧିବଦ୍ଧଭାବେ କିଛି ଜଣାପଡ଼ିନାହିଁ। ସେହିପରି ଚୁକ୍ତିନାମା ଅନୁଯାୟୀ, ରିଲାଏନ୍ସ ଡିଫେନ୍ସ ଓ ଡାସଲ୍ଟ ଏଭିଏସନ୍‍ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି। ନାଗପୁରଠାରେ ପ୍ରତିଷ୍ଠିତ ଡାସଲ୍‍ଟ ରିଲାଏନ୍ସ ଏରୋସ୍ପେସ ଲିମିଟେଡ୍‍ ନାମକ ଏହି ଯୌଥ ଉଦ୍ୟୋଗରେ ରିଲାଏନ୍ସର ୫୧% ଓ ଡାସଲ୍ଟର ୪୯% ଅଂଶଧନ ରହିଛି। ଏହି ଉଦ୍ୟୋଗରେ ପ୍ରାରମ୍ଭିକ ଭାବେ ଡାସଲ୍ଟ ୪୦ କୋଟି ଟଙ୍କା ପୁଞ୍ଜି ନିବେଶ କରାଯାଇଛି।
ଏହି ଚୁକ୍ତିରେ ଅନିଲ୍‍ ଅମ୍ବାନିଙ୍କୁ ପ୍ରଭୂତ ଫାଇଦା ହୋଇଥିବା ଅଭିଯୋଗ ଆସିଛି। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‍ ହଲାଣ୍ଡେଙ୍କ ବନ୍ଧୁ ଜୁଲି ଗାୟେଟ୍‍ଙ୍କ ଏକ ସିନେମାରେ ଅନିଲ୍‍ ଅମ୍ବାନିଙ୍କ ମାଲିକାନାରେ ଥିବା ମନୋରଞ୍ଜନ ସଂସ୍ଥା ପୁଞ୍ଜି ନିବେଶ କରିଥିବାରୁ ପ୍ରତିବଦଳରେ ରିଲାଏନ୍ସ ଡିଫେନ୍‍ସ ରାଫେଲ୍‍ ଅଫସେଟ୍‍ ପାର୍ଟନର ହେବାର ସୁଯୋଗ ପାଇଲା ବୋଲି ଅଭିଯୋଗ ଆସିଛି। ଭାରତ ସରକାରଙ୍କ ସୁପାରିସ ଆଧାରରେ ରିଲାଏନ୍ସ ଡିଫେନ୍ସକୁ ରାଫେଲ ଜେଟ୍‍ର ଅଫ୍‍ସେଟ ପାର୍ଟନର ରୂପେ ଡାସଲ୍ଟ ଏଭିଏସନ୍‍ ଚୟନ କରିଥିଲା ବୋଲି ୨୦୧୮, ସେପ୍ଟେମ୍ବର ୨୧ ତାରିଖରେ ହଲାଣ୍ଡେ ଏକ ୱେବ୍‍ମିଡିଆକୁ କହିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories