ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଏନ.ଡି.ଏ ସରକାରଙ୍କ ଦ୍ୱାରା ଦିଆଯାଥିବା ଠିକା ପୂର୍ବତନ ୟୁ.ପି.ଏ. ସରକାରଙ୍କ ବୁଝାମଣା ତୁଳନାରେ ଶତକଡା ୨.୮୬ ଭାଗ ଶସ୍ତା ରହିଛି। ଭାରତୀୟ ବିମାନ ବାହିନୀରେ ପୁଞ୍ଜି ବ୍ୟୟ କାର୍ଯ୍ୟ କୁଶଳତା ଅଡିଟ୍ ସଂକ୍ରାନ୍ତ ସି.ଏ.ଜି. ରିପୋର୍ଟକୁ ବୁଧବାରଦିନ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି. ରାଧାକ୍ରିଷ୍ଣନ୍ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ରିପୋର୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୩୬ଟି ଯୁଦ୍ଧ ବିମାନ କିଣିବା ପାଇଁ ୨୦୧୫ରେ ହୋଇଥିବା ବୁଝାମଣା ସମୟରେ ବିମାନ ବାହିନୀ ଉପମୁଖ୍ୟଙ୍କ ନେତୃତ୍ୱରେ ଭାରତୀୟ ବୁଝାମଣାଦଳ ବିମାନ ସଂଖ୍ୟା କମ୍ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ କୁହାଯାଇଛି କଂଗ୍ରେସ ନେତୃତ୍ବାଧୀନ ସରକାର ସମୟରେ ୧୨୬ଟି ଯୁଦ୍ଧ ବିମାନ କିଣିବା ପାଇଁ ହୋଇଥିବା ବୁଝାମଣା ତୁଳନାରେ ନୂଆ ଠିକାରେ ଭାରତ ଶତକଡା ୧୭.୦୮ ଭାଗ ଅର୍ଥ ସଞ୍ଚୟ କରିପାରିଛି। ଏହାର ଲକ୍ଷ୍ୟ ଥିଲା ୩୬ଟି ରାଫେଲ ଯୁଦ୍ଧ ବିମାନ କମ୍ ଖର୍ଚ୍ଚରେ କିଣିବା । ସି.ଏ.ଜି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଏହା ଏନ.ଡି.ଏ. ସରକାରଙ୍କ ଦାବିକୁ ସତ୍ୟ ପ୍ରମାଣିତ କରିଛି। ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ସିଏଜି ରିପୋର୍ଟ କଂଗ୍ରେସର ସବୁଠୁ ବଡ ମିଥ୍ୟାକୁ ପଦାରେ ପକାଇଛି।
Popular Categories



