ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ରବିବାର ପାଳିତ ହୋଇଛି ରକ୍ଷାବନ୍ଧନ ଉତ୍ସବ। ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଶ୍ରୀଜଗନ୍ନାଥଙ୍କୁ ରାଖି ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା। ପାଟରା ବିଶୋଇ ସେବକ ବାସୁଙ୍ଗା ପାଟରେ ପ୍ରସ୍ତୁତ କରିଥିବା ରାଖି ଶ୍ରୀଜୀଉମାନଙ୍କୁ ଲାଗି କରାଯାଇଛି। ବଡ଼ଠାକୁର ଶ୍ରୀବଳଭଦ୍ର ବାଇଗଣି ଓ ନୀଳ ଏବଂ କାଳିଆ ଠାକୁର ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ରାଖି ପରିଧାନ କରିଛନ୍ତି। ଏହାଛଡା ମହାପ୍ରଭୁଙ୍କୁ ଦୁଇଟି ଲେଖାଏ ଗୁଆମାଳ ପିନ୍ଧାଯାଇଛି। ଶ୍ରୀମନ୍ଦିର ରତ୍ନସିଂହାସନରେ ଭୋଗମଣ୍ଡପ ନୀତି ଶେଷ ହେବାପରେ ଘଣ୍ଟଛତା ସର୍ବାଙ୍ଗ ଅନୁଷ୍ଠିତ ହୋଇଥିଲା। ଶ୍ରୀଜୀଉଙ୍କୁ ନୂଆଲୁଗା ସମେତ ସୁବର୍ଣ୍ଣ ଅଳଙ୍କାରରେ ବେଶ କରାଯାଇଥିଲା। ପରମ୍ପରା ଅନୁଯାୟୀ ପାଳିଆ ସେବାୟତ ଦାରୁବ୍ରହ୍ମଙ୍କୁ ରାଖି ଏବଂ ଗୁଆମାଳି ଲାଗି କରିଥିଲେ। ସେହିପରି ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ପାଳନ କରାଯାଇଛି। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ପାଇବା ପରେ ଚକ୍ରରାଜ ଶ୍ରୀସୁଦର୍ଶନ ମାର୍କଣ୍ଡେୟ ତୀର୍ଥ ପୁଷ୍କରିଣୀକୁ ବିଜେ କରିଥିଲେ। ସେଠାରେ ଥିବା ମଣ୍ଡପରେ ସୁଦର୍ଶନଙ୍କୁ ବିଜେ କରାଯାଇଥିଲା। କୁମ୍ଭକାର ସେବକ ମାଟିରେ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରି ସେବାୟତଙ୍କୁ ଯୋଗାଇ ଥିଲେ। ପୂଜାପଣ୍ଡା ସେଥିରେ ଜୀବନ୍ୟାସ କରିଥିଲେ। ଏହାପରେ ଜାତକର୍ମ ଅନୁଷ୍ଠିତ ହୋଇଥିଲା। ଶ୍ରୀସୁଦର୍ଶନଙ୍କୁ ଭୋଗ ଏବଂ ବନ୍ଦାପନା କରାଯାଇଥିଲା। ବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହେବାପରେ ଶ୍ରୀସୁଦର୍ଶନ ଘଣ୍ଟ, ଛତା ଓ କାହାଳୀ ସହ ସେବକଙ୍କ ମେଳରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
Popular Categories



