ଭୁବନେଶ୍ୱର: ରଥଯାତ୍ରା ପରଦିନ ଭୋରରୁ ଶରଧାବାଲିରେ ଶହ ଶହ ଲୋକ ରଥ ପାଖରେ ରୁଣ୍ଡ ହୋଇଥିଲେ। ସେଠାରୁ କିଛି ଦୂରରେ ଟାଉନ୍ ଥାନା ପରିସରରେ ନିର୍ମିତ ମୁଖ୍ୟ ନିୟନ୍ତ୍ରଣ କକ୍ଷ ଏବଂ ରଥ ନିକଟରେ ଏକାଧିକ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। କିନ୍ତୁ ଭୋର ୩ଟାରେ ରଥ ଆଗରେ ଦଳାଚକଟା ଘଟି ୩ ଜଣଙ୍କ ପ୍ରାଣହାନି ଓ ଅନେକ ଆହତ ହେବା ଘଟଣା ସମ୍ପର୍କରେ ସେମାନେ ଡ୍ୟୁଟି ସାରି ସକାଳ ୬ରେ ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ। ଏଭଳି ସ୍ଥିତିରେ ଦଳାଚକଟା ଘଟଣାରେ ଉନ୍ନୟନ ଆୟୁକ୍ତ ସରକାରଙ୍କୁ ଦେଇଥିବା ରିପୋର୍ଟ ଆଧାରରେ ଗୃହ ବିଭାଗ ପକ୍ଷରୁ ପୁଣି ୬ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ରଥଯାତ୍ରାରେ ଗୁରୁତର ଅବହେଳା ପାଇଁ ଗୃହ ବିଭାଗ ପକ୍ଷରୁ ପୁରୀ ନିୟନ୍ତ୍ରଣ କକ୍ଷ ଦାୟିତ୍ବରେ ଥିବା ଏସିଏଫ୍ ଅଶୋକ କୁମାର ବେହେରା, ପୁରୀ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବିଭୂତି ଭୂଷଣ ନାୟକ, ଶୁକୃଳି ଅତିରିକ୍ତ ତହସିଲଦାର ରାଜକିଶୋର ଜେନା, ଗଁଦିଆ ଅତିରିକ୍ତ ତହସିଲଦାର ସୌଭାଗ୍ୟ କୁମାର ମହାନ୍ତି, ଢେଙ୍କାନାଳ ସହକାରୀ ଜିଲାପାଳ ଦୟାନିଧି ପାତ୍ର, ଏଡିଏମ୍ ଶରତ ଚନ୍ଦ୍ର ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କ ବିଭାଗକୁ ପତ୍ର ଲେଖାଯାଇଛି। ଏହାପୂର୍ବରୁ ତଦନ୍ତ ରିପୋର୍ଟ ଆଧାରରେ ୭ ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ନିୟନ୍ତ୍ରଣ କକ୍ଷରେ ଡ୍ୟୁଟି କରୁଥିବା ଏଡିଏମ୍ ଶରତ ଚନ୍ଦ୍ର ମହାପାତ୍ର କହିଥିଲେ, ସକାଳ ୫ଟା ବେଳେ ଆମ୍ବୁଲାନ୍ସର ସାଇରନ୍ ଶବ୍ଦ ଶୁଣିବା ପରେ ଦଳାଚକଟା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଆଉ କିଛି ଅଧିକାରୀଙ୍କ ଆଖି ସାମ୍ନାରେ ଦଳାଚକଟା ଘଟି ଯାଇଥିଲେ ବି ସେମାନେ ଜାଣିପାରି ନଥିଲେ କିମ୍ବା ଜିଲାପାଳ, ଏସପିଙ୍କୁ ଏସମ୍ପର୍କରେ କିଛି ସୂଚନା ଦେଇ ନଥିଲେ। ସେମାନଙ୍କ ମଧ୍ୟରୁ କିଛି ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ଶରଧାବାଲି ଦଳାଚକଟାରେ ୩ ଜଣ ପ୍ରାଣ ହରାଇଲେ ଏବଂ ୨୦ରୁ ଅଧିକ ଆହତ ହେଲେ। ଦଳାଚକଟା ଘଟଣାରେ ଉନ୍ନୟନ ଆୟୁକ୍ତ ସରକାରଙ୍କୁ ଦେଇଥିବା ରିପୋର୍ଟ ଆଧାରରେ ଗୃହ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିବା ପତ୍ରରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି, ରଥଯାତ୍ରା ଡ୍ୟୁଟିରେ ଅବହେଳା କରିଥିବା ଅଧିକାରୀମାନେ ନିଜ ଦାୟିତ୍ବକୁ ହାଲୁକା ଭାବେ ନେଲେ। ସେମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସୁଦ୍ଧା ନିଜ ବୁଦ୍ଧି, ବିବେକର ଉପଯୋଗ କଲେ ନାହିଁ। ସେମାନଙ୍କ ଉପସ୍ଥିତ ବୁଦ୍ଧି ଓ କର୍ତ୍ତବ୍ୟପରାୟଣତା ଏତେ ବଡ଼ ଅଘଟଣକୁ ରୋକିବାରେ ସହାୟକ ହୋଇଥାନ୍ତା।
ଏଥିରେ ଦର୍ଶାଯାଇଛି, ତଦନ୍ତ ସମୟରେ ତିନି ଜଣ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ନିଜ ବୟାନରେ କହିଛନ୍ତି ଯେ ଘଟଣା ସମୟରେ ସେମାନେ ରଥ ନିକଟସ୍ଥ ବ୍ୟାରିକେଡ୍ ଭିତରେ ଥିଲେ। ଭିଡ଼ ଭିତରେ କ’ଣ ହେଉଛି ତାହା ଦେଖିପାରି ନଥିଲେ। ସେମାନେ ଚୁପ୍ଚାପ ବସି ନରହି ନିୟନ୍ତ୍ରଣ କକ୍ଷରେ ଥିବା ଏଡିଏମଙ୍କୁ ସୂଚନା ଦେଇପାରିଥାନ୍ତେ। ସେମାନେ ଏହା କରିନଥିଲେ। ସେହିପରି ଅଧିକାଂଶ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ପୁରୀ ଏବଂ ରଥଯାତ୍ରା ଭଳି କାର୍ଯ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲେ। ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ ସେମାନଙ୍କ ଆଦୌ ଧାରଣା ନଥିଲା। ରଥ ଆଗରେ ଭିଡ଼ ବଢ଼ିବାର ପ୍ରକୃତ କାରଣ ଏବଂ ଏହାର ସମ୍ଭାବ୍ୟ ପରିସ୍ଥିତି ସମ୍ପର୍କରେ ଆକଳନ କରିପାରିଲେ ନାହିଁ।
ପ୍ରକାଶଯୋଗ୍ୟ, ୨୯ ତାରିଖ ଭୋରରୁ ଘଟିଥିବା ଦଳାଚକଟା ଘଟଣା ପରେ ରାଜ୍ୟ ସରକାର ପୁରୀ ଜିଲାପାଳ ଓ ଏସପିଙ୍କୁ କାର୍ଯ୍ୟରୁ ଅପସାରଣ କରିଥିଲେ। ଏଥିସହ ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରାଜ୍ୟ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ଏହାର ତଦନ୍ତ କରି ଜୁଲାଇ ୩୦ରେ ରିପୋର୍ଟ ପ୍ରଦାନ କରିଥିଲେ।



