ପୁରୀ: ପୁରୀ ବେଳାଭୂମିରେ ଚାଲିଛି ନେଚରପାଥି ଚିକିତ୍ସା । ଏହି ଗ୍ରୁପର ମୁଖ୍ୟ ଖଡଗପୁରର ଡ.ଅମୋଦ କୁମାର ୨୦ବର୍ଷ ଧରି ନେଚରପାଥିକୁ ଆପଣାଇଛନ୍ତି । ଦୀର୍ଘ ୧୫ବର୍ଷ ଧରି ଲୋକଙ୍କୁ ନେଚରପାଥି ଚିକିତ୍ସା ଯୋଗାଇ ଦେବା ପାଇଁ ସେ ପୁରୀ ବେଳାଭୂମିକୁ ଆସୁଛନ୍ତି । ଚଳିତବର୍ଷ ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ସେ ପୁରୀ ବେଳାଭୂମିରେ ଏହି ଚିକିତ୍ସା କରଯାଉଛି । ଏହି ନେଚରପାଥି ଶିବିରରେ ବିଭିନ୍ନ ରାଜ୍ୟର ପ୍ରାୟ ୩୦ଜଣ ଡାକ୍ତର ଭାଗ ନେଇଛନ୍ତି । ନେଚରପାଥି ଚିକିତ୍ସା ସମ୍ପର୍କରେ ଡ. ଅମୋଦ କୁମାର କହିଛନ୍ତି ଯେ ସୂର୍ଯ୍ୟ ସକଳ ଶକ୍ତିର ଆଧାର । ମଣିଷ ଶିଶୁଭାବେ ଜନ୍ମ ବେଳେ କୌଣସି ରୋଗ ନେଇ ଆସି ନଥାଏ । କିନ୍ତୁ କାଳକ୍ରମେ ବୟସ ବଢିବା ସହ ଚାଲି ଚଳନ, ଖାଦ୍ୟପେୟ ଏବଂ ଜୀବନଚର୍ଯ୍ୟାରେ ଅନେକ ପରିବର୍ତ୍ତନ ଘଟିଥାଏ । ଆଧୁନିକତା ଛାପର ବଶବର୍ତ୍ତୀ ହୋଇ ନିଜ ଜୀବନଚର୍ଯ୍ୟାରେ ଅସାମାନ୍ୟ ପରିବର୍ତ୍ତନ ଆଣି ବିଭିନ୍ନ ରୋଗରେ ପୀଡିତ ହୋଇଥାଏ । ପରେ ରୋଗରୁ ନିରାକରଣ ପାଇଁ ଏଲୋପାଥି ବ୍ୟବସ୍ଥାକୁ ଗ୍ରହଣ କରି ସାମାନ୍ୟ ଉପଶମ ପରେ ପୁଣି ତ୍ରୁଟିପୂର୍ଣ୍ଣ ଜୀବନଚର୍ଯ୍ୟା ପାଇଁ ରୋଗରେ ଘାଣ୍ଟଇ ହୋଇଥାଏ । କିନ୍ତୁ ନେଚରପାଥି ହେଉଛି ହଜାର ବର୍ଷ ତଳର ଚିକିତ୍ସା ପଦ୍ଧତି ।
ଯାହାକୁ ଗ୍ରହଣ କରିବା ପୂର୍ବରୁ ପ୍ରଥମେ ବ୍ୟକ୍ତି ନିଜର ଚାଲିଚଳନ, ଖାଦ୍ୟପେୟ ଏବଂ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣିବାକୁ ହୋଇଥାଏ । ପୁରୀ ବେଳାଭୂମିର ସୂର୍ଯ୍ୟକିରଣ, ବେଳାଭୂମି ବାଲି ଏବଂ ପ୍ରାକୃତିକ ଔଷଧ ଲେପନ ଦ୍ୱାରା ଏହି ନେଚରପାଥି ଚିକିତ୍ସା କରାଯାଉଛି । ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ନେଚରପାଥିକୁ ଆପଣାଇ ମାତ୍ର ୩ମାସ ମଧ୍ୟରେ ରୋଗରୁ ମୁକ୍ତି ପାଇଥିବା ଜଣାପଡିଛି । ଏହି ଚିକିତ୍ସାରେ କୌଣସି ଔଷଧ ସେବନ କରିବାକୁ ପଡୁନାହିଁ । କେବଳ ନିଜ ଜୀବନଚର୍ଯ୍ୟାକୁ ପରିବର୍ତ୍ତନ କରି ପ୍ରକୃତିର ଉର୍ଜାରୁ ମିଳୁଥିବା ଶକ୍ତିରେ ଚିକିତ୍ସା କରାଯାଉଛି । ଯାହା ସାଧାରଣ ମଣିଷକୁ ସୁସ୍ଥ, ନିରୋଗ ଏବଂ ଚଳଚଞ୍ଚଳ ରଖିଛି ।



