ସମାଜ ପୋର୍ଟାଲ ଡେସ୍କ: ରବିବାର ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ମାରାଥନ ବୈଠକ ପରେ ପ୍ରତ୍ୟେକ ରାଜ୍ୟ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ସହମତ ହୋଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି, ‘ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିଲା ଏବଂ କିଛି ସର୍ତ୍ତାବଳୀରେ ସମସ୍ତେ ସହମତ ହୋଇଥିଲୁ। ମହାରାଷ୍ଟ୍ର ପରି ରାଜ୍ୟ ସରକାରଙ୍କର ପ୍ରକୃତ ଚିନ୍ତା ଥିଲା କାରଣ ସେଠାରେ ସର୍ବାଧିକ କୋଭିଡ -୧୯ ମାମଲା ରହିଛି ତେଣୁ ଆମେ ମୁମ୍ବାଇକୁ କମ୍ ବିମାନ ଚଳାଇବାକୁ ନିଷ୍ପତ୍ତି ହୋଇଛି। ମୁମ୍ବାଇକୁ କେବଳ ୨୫ଟି ବିମାନ ଚଳାଚଳ କରିବ। ସେହିପରି ବାତ୍ୟା ଅମ୍ଫନ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଯୋଗୁଁ ପଶ୍ଚିମବଙ୍ଗକୁ ବିଳମ୍ବରେ ଉଡାଣ ପାଇଁ ନିଷ୍ପତ୍ତି ହୋଇଛି।’
ସେ କହିଛନ୍ତି ଯେ ଦେଶରେ ବେସାମରିକ ବିମାନ ଚଳାଚଳ କାର୍ଯ୍ୟ ଆରମ୍ଭ କରିବାକୁ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଦୀର୍ଘ ଦିନ ଧରି ଆଲୋଚନା ହେଉଥିଲା। ଆନ୍ଧ୍ରପ୍ରଦେଶକୁ ୨୬ରେ ଏବଂ ପଶ୍ଚିମବଙ୍ଗକୁ ୨୮ରେ ବିମାନ ଚଳାଚଳ ଆରମ୍ଭ ହେବ କିନ୍ତୁ ଆଜିକାଲି ଠାରୁ ସାରା ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବ।



