www.samajalive.in
Saturday, December 6, 2025
26.1 C
Bhubaneswar

ବଢୁଛି ଜବରଦଖଲ, ଭାସୁଛି ନର୍ଦମା ଜଳ

ପୁରୀ : ସୌନ୍ଦର୍ଯ୍ୟ ହରାଉଛି ବିଶ୍ୱପ୍ରସିଦ୍ଧ ପୁରୀ ବେଳାଭୂମି। ଅଧିକାଂଶ ଅଞ୍ଚଳ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। କେତେକ ସ୍ଥାନରେ ଦିନରାତି ୨୪ଘଣ୍ଟା ନର୍ଦମା ଜଳ ଭାସୁଛି। ଏଥିଯୋଗୁଁ ସ୍ୱର୍ଣ୍ଣାଭ ବେଳାଭୂମି ଦିନକୁ ଦିନ କଳା ପଡ଼ିବାରେ ଲାଗିଛି। ପର୍ଯ୍ୟଟକ ଏଠାରୁ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି।
ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇଥିବା ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପୁରୀ ବେଳାଭୂମିର ବିକାଶ ପ୍ରତି ଧ୍ୟାନ ଦିଆଯାଉନି। ପୌରସଂସ୍ଥା ଏବଂ ପୁଲିସର ଅବହେଳା ଯୋଗୁଁ ଗାନ୍ଧୀଘାଟଠାରୁ ହଂସ କୋକୋପାମ ପର୍ଯ୍ୟନ୍ତ ବେଳାଭୂମିର ଅଧିକାଂଶ ଅଞ୍ଚଳକୁ ଉଠା ଦୋକାନୀ ଅବରୋଧ କରିଛନ୍ତି। ସ୍ୱର୍ଗଦ୍ୱାର ଏବଂ ଚୈତନ୍ୟ ଛକ ସମ୍ମୁଖ ବେଳାଭୂମିରେ ଏବେ ଏଭଳି ଅବସ୍ଥା ହୋଇଛି ଯେ ପାଦ ପକାଇବାକୁ ଜାଗା ମିଳୁନି। ମହୋଦଧି ତୀର୍ଥ ଭାବେ ଖ୍ୟାତି ଅର୍ଜନ କରିଥିବା ଶ୍ରୀକ୍ଷେତ୍ରର ପବିତ୍ର ବେଳାଭୂମିରେ ପଚାମାଛ, ଚିକେନ ଏବଂ ଅଣ୍ଡାରେ ପସ୍ତୁତ ଖାଦ୍ୟ ଅବାଧ ବିକ୍ରି କରାଯାଉଛି। ଚପଲ ଦୋକାନଠାରୁ ଆରମ୍ଭ କରି ଜଳଖିଆ ଦୋକାନ ଏବଂ ଚୋରା ନିଶା ଦ୍ରବ୍ୟ ବିକ୍ରି ଦୋକାନ ଗଢ଼ି ଉଠିଛି। ଉଠା ଦୋକାନୀଙ୍କ ସଂଖ୍ୟା ଛତୁ ଫୁଟିଲା ପରି ବୃଦ୍ଧି ପାଇଛି। ବେଳାଭୂମି ଅବରୋଧ ସୀମା ଟପି ଗଲାଣି। କେତେକ ବ୍ୟକ୍ତି ସମ୍ପୂର୍ଣ୍ଣ ଅନଧିକାର ଭାବେ ଉଠା ଦୋକାନୀଙ୍କୁ ବେଳାଭୂମିର ବିଭିନ୍ନ ଅଞ୍ଚଳ ଦଖଲ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ପୁରୀ ବେଳାଭୂମିର ପ୍ରମୁଖ ଅଞ୍ଚଳ ପ୍ରାୟ ୮୦% ଜବରଦଖଲ ହୋଇଛି। ଏପରିକି ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମି ଏବେ ଝୁମ୍ପୁଡ଼ି ବସ୍ତି ପରି ଦେଖାଯାଉଛି। ଶତାଧିକ ବ୍ୟକ୍ତି ବେଳାଭୂମିରେ ପଥର ପକାଇ ପିଣ୍ଡି ନିର୍ମାଣ କରିଛନ୍ତି। ସନ୍ଧ୍ୟା ପରେ ବେଳାଭୂମି ମାର୍ଗରେ ବହୁସଂଖ୍ୟକ ଠେଲାଗାଡ଼ି ପକାଯାଉଛି। ସେଥିରେ ପଚାମାଛରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯିବା ସହ ବିକ୍ରି କରାଯାଉଛି। ଏଭଳି ଦୁର୍ଗନ୍ଧ ହେଉଛି ଯେ ବେଳାଭୂମି ନିକଟ ରାସ୍ତା ଦେଇ ଯାତାୟାତ କଷ୍ଟକର ହୋଇପଡୁଛି। ଶ୍ରୀଜଗନ୍ନାଥ ମନ୍ଦିର ଏବଂ ସମୁଦ୍ର ବେଳାଭୂମି ପୁରୀର ମୁଖ୍ୟ ଆକର୍ଷଣ। ତେଣୁ ମହାପ୍ରଭୁଙ୍କୁ ଦର୍ଶନ ପରେ ଅଧିକାଂଶ ପର୍ଯ୍ୟଟକ ସମୁଦ୍ରକୂଳ ଦେଖିବାକୁ ଯାଉଛନ୍ତି। କିନ୍ତୁ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇଥିବା ପୁରୀ ବେଳାଭୂମିର ସୁରକ୍ଷା ପ୍ରତି ଜିଲା ପ୍ରଶାସନ, ପୌରସଂସ୍ଥା, ପର୍ଯ୍ୟଟନ ବିଭାଗ ଏବଂ ପୁଲିସ ତତ୍ପରତା ପ୍ରକାଶ କରୁନାହାନ୍ତି। ଏଥିଯୋଗୁଁ ପୁରୀକୁ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। କିଛି ବ୍ୟକ୍ତି ବେଳାଭୂମିରେ ଅନଧିକାରଭାବେ ଚୌକି ପକାଇ ପର୍ଯ୍ୟଟକଙ୍କଠାରୁ ବଳପୂର୍ବକ ଅର୍ଥ ଆଦାୟ କରୁଛନ୍ତି। ରାସ୍ତା ପାର୍ଶ୍ବରେ ଥିବା ପୌରସଂସ୍ଥା ନଳା ସମେତ ସ୍ୱେରେଜ୍‌ ବୋର୍ଡ ମ୍ୟାନହୋଲ ଚାମ୍ବରରୁ ପ୍ରାୟ ପ୍ରତ୍ୟେକ ଦିନ ନର୍ଦମା ଜଳ ବାହାରି ବେଳାଭୂମି ଦେଇ ସମୁଦ୍ରରେ ମିଶୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବେଳାଭୂମି ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଚକ୍ରତୀର୍ଥ ଅଞ୍ଚଳରେ କେତେକ ପ୍ରଭାବଶାଳୀ ହୋଟେଲ ମାଲିକ ବେଳାଭୂମି ଜବରଦଖଲ କରିଛନ୍ତି। ପୁରୀ ବେଳାଭୂମିକୁ ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲାପାଳଙ୍କୁ ଚିଠି ପରେ ଚିଠି ଲେଖାଯାଇଛି। ରାଜନେତା, ହୋଟେଲ ମାଲିକ ଏବଂ ଜମି ମାଫିଆଙ୍କ ଚାପରେ ପ୍ରଶାସନ ତାହାକୁ କାର୍ଯ୍ୟକାରୀ କରୁନାହିଁ।
ପୁରୀ ବେଳାଭୂମିର ବିକାଶ ଏବଂ ସୁରକ୍ଷା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବେଳାଭୂମି ଉନ୍ନୟନ କମିଟି ଦୀର୍ଘବର୍ଷ ତଳୁ ଗଠନ କରାଯାଇଛି। ଆରକ୍ଷୀ ଅଧୀକ୍ଷକ, ପୌରସଂସ୍ଥା ଅଧିକାରୀ, ପିକେଡିଏ ସଚିବ, ତହସିଲଦାର, ପର୍ଯ୍ୟଟନ ଅଧିକାରୀ ଓ ସମୁଦ୍ରକୂଳ ଥାନା ଅଧିକାରୀ ଏହି କମିଟିରେ ସଭ୍ୟ ରହିଛନ୍ତି। କିନ୍ତୁ ଦୀର୍ଘଦିନ ଧରି ଏହି କମିଟିର ବୈଠକ ବସିନାହିଁ। ଚକ୍ରତୀର୍ଥ ବେଳାଭୂମିରେ କିଛି ବ୍ୟକ୍ତି ଝୁମ୍ପୁଡ଼ି ଘର ଏବଂ ଚାଳିଆ ନିର୍ମାଣ କରି ବ୍ୟାପକ ଅଞ୍ଚଳ ଅବରୋଧ କରିଛନ୍ତି। ଐତିହ୍ୟ ବାଙ୍କି ମୁହାଣ ପଛପାର୍ଶ୍ବ ବେଳାଭୂମିରେ ନର୍ଦମା ଜଳର କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ପୁରୀବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୁରୀ ବେଳାଭୂମିକୁ ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ ଏବଂ ପ୍ରଦୂଷଣ ମୁକ୍ତ କରାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।
ପୁରୀ ପୌରସଂସ୍ଥା କାର୍ଯନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ବେଳାଭୂମିରୁ ବିଭିନ୍ନ ସମୟରେ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି। ପୌରସଂସ୍ଥା ପାଇଁ ନିୟମିତ ପ୍ରବର୍ତ୍ତନ ଅଧିକାରୀଙ୍କ ଆବଶ୍ୟକତା ରହିଛି। ବେଳାଭୂମିରେ ଜବରଦଖଲ ବୃଦ୍ଧି ପାଇଥିବାରୁ ଆଗାମୀ ଦିନରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories