ପୁରୀ : ଏଣିକି ସିଂହଦ୍ବାର ନିକଟରୁ ଭକ୍ତଙ୍କୁ ମିଳିବ ପତିତପାବନ ଦର୍ଶନ। ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ବ୍ୟାରିକେଡ୍ ପ୍ରାୟ ୨୦ଫୁଟ ପଛକୁ ଘୁଞ୍ଚାଇ ଦିଆଯାଇଛି। ଆଗ୍ରହୀ ଭକ୍ତମାନେ ବ୍ୟାରିକେଡ୍ରେ ଯାଇ ପତିତପାବନଙ୍କୁ ଦର୍ଶନ ପରେ ଅନ୍ୟ ରାସ୍ତାଦେଇ ଫେରିବା ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ଏବଂ କାକୁଡିଖାଇ ଛକରୁ ଭକ୍ତମାନେ ସିଂହଦ୍ବାରକୁ ଯାଇ ପତିତପାବନଙ୍କୁ ଦର୍ଶନ କରିବେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅରୁଣସ୍ତମ୍ଭ ପାଖରୁ ପତିତପାବନଙ୍କୁ ଦର୍ଶନ ପାଇଁ ସୁଯୋଗ ଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ମଙ୍ଗଳବାର ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ତେବେ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ କୌଣସି ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି।
ବ୍ୟାରିକେଡ୍ ଭିତର ଦେଇ ଭକ୍ତମାନେ ଅରୁଣସ୍ତମ୍ଭ ପାଖକୁ ଯାଇପାରିବେ। ସେଠାରେ ଛିଡାହୋଇ ପତିତପାବନଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ବୁଧବାରଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଏଣିକି ସିଂହଦ୍ବାର ନିକଟରୁ ଭକ୍ତଙ୍କୁ ମିଳିବ ପତିତପାବନ ଦର୍ଶନ
Popular Categories



