ଚଣ୍ଡିଗଡ: ପଞ୍ଜାବରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ରାଜ୍ୟର ୧୬୯୮ ଗାଁ ବନ୍ୟା ପାଣି ଘେରରେ ରହିଛି। ରାଜ୍ୟର ୩.୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ରିଲିଫ୍ ଯୋଗାଣ ଲାଗି ରାଜ୍ୟ ସରକାର ଡ୍ରୋନ ମୁତୟନ କରିଛନ୍ତି। ଡ୍ରୋନ ସାହାଯ୍ୟରେ ପ୍ରଭାବିତ ଲୋକଙ୍କ ନିକଟକୁ ଶୁଖିଲା ଖାଦ୍ୟ, ପାନୀୟ ଜଳ, ଶିଶୁଙ୍କ ପାଇଁ କ୍ଷୀର, ଔଷଧ, ଟର୍ଚ୍ଚ ଓ ଅନ୍ୟାନ୍ୟ ଜିନିଷପତ୍ର ପଠାଯାଉଛି। ଗୁରୁଦାସପୁର, ଅମୃତସର, ଅଜନାଲା, ଫାଜିଲକା ଓ ପଠାନକୋଟ୍ ଭଳି ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଡ୍ରୋନ ଦ୍ବାରା ପଠାଯାଉଥିବା ରିଲିଫ୍ ସାମଗ୍ରୀ ସବୁ ଘରର ଛାତ ଉପରେ ପକାଯାଉଛି। କେତେକ ସ୍ଥାନରେ ଡ୍ରୋନ ସାହାଯ୍ୟରେ ୧୦ରୁ ୧୫ କିମି ଦୂର ପର୍ଯ୍ୟନ୍ତ ରିଲିଫ ପଠାଯାଉଛି। ରିଲିଫ୍ ଯୋଗାଣ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିଜେ ଅନୁଧ୍ୟାନ କରୁଛନ୍ତି। ଡ୍ରୋନ ସାହାଯ୍ୟରେ ରିଲିଫ୍ ଯୋଗାଣ ଭଳି ପଦକ୍ଷେପ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଶଂସାର ବିଷୟ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ଡ୍ରୋନ ରିଲିଫ୍ ଯୋଗାଣକୁ ସରଳ କରିବା ସହିତ ଏହା ଏବେ ଅନେକ ଲୋକଙ୍କ ପାଇଁ ଜୀବନ ରେଖା ପାଲଟିଛି। ବନ୍ୟା ଅଞ୍ଚଳରୁ ସ୍ଥାନାନ୍ତରିତ ହୋଇଥିବା ୨୦,୬୭୯ ଜଣଙ୍କୁ ୨୧୧ଟି ରିଲିଫ୍ ଶିବିରରେ ରଖାଯାଇଛି। ବନ୍ୟା ଯୋଗୁଁ ଗତ ୪ଦିନ ମଧ୍ୟରେ ୩୯ଜଣଙ୍କର ମୃତ୍ୟୁ ହେଲାଣି। ୧,୫୮,୫୧୬ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।
ପଞ୍ଜାବ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ୨୨ଟି ଏନଡିଆରଏଫ ଦଳ ମୁତୟନ ହୋଇଛନ୍ତି। ଏହା ସହିତ ସେନା, ନୌସେନା, ବାୟୁସେନା, ବିଏସଏଫ୍ ପକ୍ଷରୁ ୩୦ରୁ ୩୫ଟି ହେଲିକପ୍ଟର ମୁତୟନ କରାଯାଇଛି। ଏନଡିଆରଏଫ୍ ଦଳର ୧୨୩ଟି ଡଙ୍ଗା ମଧ୍ୟ ନିୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ମନ୍ତ୍ରୀ ଓ ବିଧାୟକମାନେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୂର୍ବକ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଅନୁଧ୍ୟାନ କରୁଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀରେ ଦେଖାଯାଇଥିବା ବନ୍ୟା ପରିସ୍ଥିତିରେ କୌଣସି ପ୍ରକାର ସୁଧାର ଆସିପାରି ନାହିଁ। ଗୁରୁବାର ସନ୍ଧ୍ୟାରେ ପୁରୁଣା ରେଲୱେ ବ୍ରିଜ୍ ନିକଟରେ ଯମୁନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଦେଖାଯାଇଛି। ଏଠାରେ ନଦୀର ଜଳସ୍ତର ୨୦୭.୪୮ ମିଟର ନିକଟରେ ପ୍ରବାହିତ ହେଉଛି। ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ତଳିଆ ଅଞ୍ଚଳରେ ଜଳମଗ୍ନ ହୋଇ ରହିଛି।
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



