ଭୁବନେଶ୍ବର: ବିରୋଧୀ କଂଗ୍ରେସ ଓ ବିଜେଡିର ତୀବ୍ର ବିରୋଧ ଏବଂ କକ୍ଷତ୍ୟାଗ ସତ୍ତ୍ବେ ଆଜି ବିଧାନସଭାରେ ଓଡ଼ିଶା ଜନ ବିଶ୍ବାସ ବିଲ-୨୦୨୫ ବିଧାନସଭାରେ ଗୃହୀତ ହୋଇଛି। ଏ ସମ୍ପର୍କରେ ଉତ୍ତର ରଖି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ, ଏହି ବିଲ ତରବରିଆ ଭାବେ ନୁହେଁ, ପୁଙ୍ଖାନୁପୁଙ୍ଖ ବିଚାର ବିମର୍ଷ ପରେ ଆଗତ କରାଯାଇଛି। କେନ୍ଦ୍ର ସରକାରଙ୍କ ବିଲକୁ ମଧ୍ୟ ସମୀକ୍ଷା କରାଯାଇଛି। ସମୁଦାୟ ୧୬ଟି ଆଇନରେ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଇଛି। ଅନେକ ଆଇନଗତ ବ୍ୟବସ୍ଥାର ସରଳୀକରଣ କରାଯାଇଛି। ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ନୁହେଁ, ବରଂ କଠୋର ଦଣ୍ଡ ବିଧାନକୁ ସୁନିଶ୍ଚିତ କରାଯାଇଛି। ପୂର୍ବରୁ ଜୁଆ ଖେଳ ପାଇଁ ୧୦୦ ଟଙ୍କା ଜୋରିମାନା ଥିବା ବେଳେ ଏବେ ତାହା ୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି କାରାଦଣ୍ଡ ବଦଳରେ ୭୫ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ହୋଇଛି।
ଛୋଟ ମୋଟ ଅପରାଧ ପାଇଁ ଗରିବ ଲୋକଙ୍କୁ ଜେଲ ଯିବାକୁ ପଡୁଥିଲା। ତେବେ ଏଥିରେ ସେମାନଙ୍କ ସୁବିଧା ପାଇଁ ଜୋରିମାନା ଲାଗୁ ହୋଇଛି। ଫୌଜଦାରୀ ମାମଲାକୁ ଦେୱାନୀ ମାମଲାରେ ପରିବର୍ତ୍ତନ କରାଯାଇଛି। ସରକାରଙ୍କ ଉତ୍ତରଦାୟିତ୍ବ ସୁନିଶ୍ଚିତ କରାଯାଇଛି। ସହଜରେ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଏବଂ ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ଲାଗି ଉକ୍ତ ବିଲରେ ଉପଯୁକ୍ତ ପଦକ୍ଷେପ ନିଆଯାଇଛି। ମନ୍ତ୍ରୀ କହିଥିଲେ ଯେ ଟିକସ ଚୋରି ପାଇଁ ମଧ୍ୟ ସ୍ବତନ୍ତ୍ର ଦଣ୍ଡବିଧାନ ଅଛି। ତେଣୁ ଏହାକୁ ସିଲେକ୍ଟ କମିଟିକୁ ପଠାଇବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀ ଉତ୍ତର ରଖୁଥିବା ସମୟରେ ବିରୋଧୀ ଦଳର ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ।



