ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦୀ ପ୍ରେରଣ କରିବା ଭଳି ହୀନ କାର୍ଯ୍ୟକୁ ପାକିସ୍ତାନ ନିୟମିତ ଭାବେ ଅନୁସରଣ କରିଚାଲିଛି। ପାକିସ୍ତାନର ଏହି ଆତଙ୍କବାଦୀ କାର୍ଯ୍ୟର ଉପଯୁକ୍ତ ଜବାବ ଯଥା ସମୟରେ ଦିଆଯିବ ବୋଲି ସ୍ଥଳ ସେନାମୁଖ୍ୟ ଜେନେରାଲ ଏମ୍ଏମ ନରବଣେ କହିଛନ୍ତି। ଏକ ସାକ୍ଷାତକାରରେ ସେନାମୁଖ୍ୟ କହିଛନ୍ତି ଯେ ଭାରତର ବିଶାଳ ସୈନ୍ୟବାହିନୀ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପର ଉପଯୁକ୍ତ ଜବାବ ଦେବାକୁ ପ୍ରସ୍ତୁତ ରହିଛି। ଜାମ୍ମୁ-କାଶ୍ମୀର ହଣ୍ଡୱାରାରେ ଆମର ସୁରକ୍ଷାକର୍ମୀମାନେ ଜୀବନକୁ ବାଜି ଲଗାଇ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସରକାରଙ୍କ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ କାଶ୍ମୀର ଅଶାନ୍ତ ହୋଇଚାଲିଛି। ପାକିସ୍ତାନ ତାର ଏହି ସରକାରୀ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ଭାରତ କାର୍ଯ୍ୟାନୁଷ୍ଠାନ ନେବା ଜାରି ରଖିବ। େଜନେରାଲ ନରବଣେ କହିଛନ୍ତି ପାକିସ୍ତାନ କରୋନା ମହାମାରୀର ମୁକାବିଲା କରିବା ପରିବର୍ତ୍ତେ ନିୟନ୍ତ୍ରଣ ରେଖା ନିକଟ ଦେଇ ଭାରତକୁ ଆତଙ୍କବାଦୀ ପ୍ରେରଣ କରୁଛି। ପାକିସ୍ତାନ ସରକାର ଓ ସେନା ଏହାର ନାଗରିକଙ୍କ ସୁରକ୍ଷା ପରିବର୍ତ୍ତେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି। ଆତଙ୍କବାଦକୁ ନିୟନ୍ତ୍ରଣ କରୁଥିବା ଆନ୍ତର୍ଜାତିକ ସଂସ୍ଥା ଏଫଏଟିଏଫର ପ୍ରସ୍ତାବକୁ ପାକିସ୍ତାନ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଆତଙ୍କବାଦୀ ସଂଗଠନର ନାମ ପରିବର୍ତ୍ତନ କରି ଏହାକୁ ପ୍ରୋତ୍ସାହନ ଦେଉଛି।
ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପର ଉପଯୁକ୍ତ ଜବାବ ଦିଆଯିବ: ସେନାମୁଖ୍ୟ
Popular Categories



