ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’ ଜୁନ୍ ୩ ତାରିଖରେ ପରଦାକୁ ଆସିବ। କିନ୍ତୁ ମୁକ୍ତିଲାଭ ହେବା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଇଁ ‘ପୃଥ୍ବୀରାଜ’ର ଏକ ସ୍ବତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହେବ। ଏନେଇ ଫିଳ୍ମର ନିର୍ଦେଶକ ଡା. ଚନ୍ଦ୍ରପ୍ରକାଶ ଦ୍ବିବେଦୀ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ଜୁନ୍ ୧ ତାରିଖରେ ଗୃହମନ୍ତ୍ରୀ ଏହି ଚଳଚ୍ଚିତ୍ର ଦେଖିବେ।
ନିର୍ଦେଶକ କହିଛନ୍ତି, ରିଲିଜ୍ ହେବାର ଦୁଇ ଦିନ ପୂର୍ବରୁ ଗୃହମନ୍ତ୍ରୀ ଚଳଚ୍ଚିତ୍ର ଦେଖିବେ। ଏହା ଆମ ପାଇଁ ସମ୍ମାନର ବିଷୟ ଯେ, ଦେଶର ମାନ୍ୟବର ଗୃହମନ୍ତ୍ରୀ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଭାରତ ମାତାର ବୀର ପୁତ୍ରମାନଙ୍କ ମଧ୍ୟରୁ ଜଣେ ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଗୌରବମୟ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦେଖିବେ। ତେବେ ଏପର୍ଯ୍ୟନ୍ତ ଫିଲ୍ମର ସ୍କ୍ରିନିଂ ସମ୍ବନ୍ଧୀୟ ଅଧିକ ତଥ୍ୟ ମିଳିନାହିଁ। ଏହା ମଧ୍ୟ ଜଣାପଡ଼ିନାହିଁ ଯେ, ସ୍କ୍ରିନିଂ ଦିଲ୍ଲୀରେ ହେବ ନା ଗୃହମନ୍ତ୍ରୀ ମୁମ୍ବାଇ ଆସିବେ।



