ଭୁବନେଶ୍ଵର: କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଆସନ୍ତା ଜାନୁଆରୀ ୮ରୁ ଓଡ଼ିଶାରେ ପ୍ରବାସୀ ଭାରତୀୟଙ୍କ ପାଇଁ ସ୍ଵତନ୍ତ୍ର ଉତ୍ସବ ପାଳନ କରିବେ । ୨୦୨୩ରେ ଏହି କାର୍ଯ୍ୟକ୍ରମ ଇନ୍ଦୋରରେ ହୋଇଥିବାବେଳେ ୨୦୨୫ରେ ଓଡ଼ିଶାରେ ଅନୁଷ୍ଠିତ ହେବ। ପ୍ରାୟ ୭ ହଜାର ପ୍ରବାସୀ ଏକାଠି ହେବା କାର୍ଯ୍ୟକ୍ରମ ରହିଛି । ପ୍ରବାସୀ ଭାରତୀୟ ଉତ୍ସବ ପ୍ରସ୍ତୁତିର ଆସନ୍ତାକାଲି (ମଙ୍ଗଳବାର) ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ।
ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ବିଦେଶର ପ୍ରାୟ ୨ ହଜାରରୁ ଊର୍ଦ୍ଧ ପ୍ରବାସୀ ଉତ୍ସବରେ ଭାଗ ନେବାକୁ ନାମ ପଞ୍ଜୀକରଣ କଲେଣି । ସେହିପରି ଭାରତର ପ୍ରାୟ ୭ଶହ ବ୍ୟକ୍ତିବିଶେଷ ନାମ ପଞ୍ଜିକୃତ କରିଛନ୍ତି। ଓଡ଼ିଶାର ପ୍ରାୟ ଏକ ହଜାର ବ୍ୟକ୍ତି ନାମ ପଞ୍ଜୀକରଣ କରିବେ ବୋଲି ଆକଳନ କରାଯାଉଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିପାରିବେ ଆଗ୍ରହୀ ବ୍ୟକ୍ତିବିଶେଷ ।
ସେହିପରି କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ସୋମବାର ରାଜଧାନୀ ଆସି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାଜ୍ୟର ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରାଜଧାନୀର ଏକ ପ୍ରତିଷ୍ଠିତ ହୋଟେଲରେ ପ୍ରବାସୀଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ଅତିଥି କ’ଣ ଖାଇବେ ଓ କେଉଁଠି ରହିବେ ସେନେଇ ଅବଗତ ହେବା ସହ ସୁରକ୍ଷା ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ।
ଆସନ୍ତା ୮ରେ ଯୁବ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ । ଏଥିରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୯ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରବାସୀ ଭାରତୀୟ ଦିବସର ସମ୍ମିଳନୀକୁ ଉଦ୍ଘାଟନ କରିବେ । ୧୦ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଲୋକସେବାଭବନରେ ଖୁବ୍ଶୀଘ୍ର କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ କ୍ୟାମ୍ପ କରାଯିବ । ଫଳରେ ପ୍ରବାସୀ ଭାରତୀୟ ଉତ୍ସବ ପରିଚାଳନା ସହଜ ହେବ।
ଅନ୍ୟପକ୍ଷରେ ଆସନ୍ତାକାଲି (୩୧)ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସମୀକ୍ଷା ବୈଠକରେ ମୁଖ୍ୟସଚିବ ମନୋଜ ଆହୁଜା ଏବଂ ପ୍ରବାସୀ ଭାରତୀୟ ଦିବସର ନୋଡାଲ ଅଧୂକାରୀ ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ହେଉଥିବା କାମର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରାଯିବ। ସମସ୍ତ କାମ ଯେଭଳି ସୂଚାରୁ ରୂପେ ହେବ ସେନେଇ ସବୁ ବିଭାଗକୁ ନିର୍ଦେଶ ଦିଆଯାଇଛି।



