ନନ୍ଦପୁର : ବହୁ କଷ୍ଟରେ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି କିନ୍ତୁ ବିହନ ମିଳୁନି। ଆଜି ଆସିବ, କାଲି ଆସିବ କହି ଉଦ୍ୟାନ ବିଭାଗ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଚୁପ୍ ବସିଛନ୍ତି। ବିହନ ଲଗାଇବା ସମୟ ଅତିବାହିତ ହେବାକୁ ଆଉ ଦିନ କେଇଟା ରହିଲା। ଏବେ କ’ଣ କରିବେ ସେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି କୋରାପୁଟ ଜିଲାର ଆଳୁ ଚାଷୀ। ଫଳରେ ଆଳୁ ମିଶନ ବିଫଳ ଅଭିଯୋଗ ହେଉଛି। ବିହନ ଅଭାବ ଚଳିତ ବର୍ଷା ଋତୁରେ ଆଳୁଚାଷ ଓ ଚାଷୀଙ୍କ ଉପରେ ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
ସୂଚନା ମୁତାବକ କୋରାପୁଟ ଜିଲାର ନନ୍ଦପୁର, ସେମିଳିଗୁଡା, ପଟାଙ୍ଗି, ଲମତାପୁଟ ଓ ଦଶମନ୍ତପୁର ବ୍ଲକ ଅଞ୍ଚଳର ମୃତ୍ତିକା ଆଳୁ ଚାଷ ପାଇଁ ଉପଯୋଗୀ ଥିବାରୁ ବହୁ ଚାଷୀ ଖରିଫ ଓ ରବି ଋତୁରେ ଆଳୁଚାଷ କରନ୍ତି। ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ଜିଲା ଓ ରାଜ୍ୟ ସରକାରଙ୍କ ଆଳୁ ମିଶନ ରହିଛି, କିନ୍ତୁ ଚଳିତବର୍ଷ ଖରିଫ ଋତୁର ଆଳୁଚାଷ ପାଇଁ ଅଦ୍ୟାବଧି ବିହନ ମିଳି ନ ଥିବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। କ୍ଷେତ୍ର ପ୍ରସ୍ତୁତ ସରିଥିଲେ ମଧ୍ୟ ଉଦ୍ୟାନ ବିଭାଗ ସମେତ ଅନୁବନ୍ଧିତ ସ୍ବେଛାସେବୀ ଅନୁଷ୍ଠାନ ବିହନ ଯୋଗାଇବାରେ ବିଫଳ ହୋଇଛନ୍ତି। ଗତବର୍ଷ କେବଳ ନନ୍ଦପୁର ବ୍ଲକ ଅଞ୍ଚଳରେ ୩୫୫ହେକ୍ଟର ଜମିରେ ଆଳୁ ଚାଷ କରାଯାଇଥିଲା। ସେଥିମଧ୍ୟରୁ ଉଦ୍ୟାନ ବିଭାଗ ଅନୁବନ୍ଧିତ ପ୍ରଗତି ଅନୁଷ୍ଠାନ ୨୮୦ହେକ୍ଟର ଜମି ପାଇଁ ହେକ୍ଟର ପିଛା ୫୦ବସ୍ତା ହିସାବରେ ୧୪୦୦୦ବସ୍ତା ଆଳୁ ବିହନ ଯୋଗାଇଥିଲା। ପ୍ରଦାନ ଅନୁଷ୍ଠାନ ପକ୍ଷରୁ ୧୪,୬୭ ହେକ୍ଟର ଜମି ପାଇଁ ହେକ୍ଟର ପିଛା ୩୦ବସ୍ତା ହିସାବରେ ୪୪୦ବସ୍ତା, ଏ.ଆଇ.ଇ.ଇ.ଟି ସଂସ୍ଥା ପକ୍ଷରୁ ୩୭,୯୬ହେକ୍ଟର ଜମିପାଇଁ ହେକ୍ଟର ପିଛା ୩୦ବସ୍ତା ହିସାବରେ ୧୧୪୯ବସ୍ତା ଓ ସ୍ପ୍ରେଡ ଅନୁଷ୍ଠାନ ପକ୍ଷରୁ ୨୩ହେକ୍ଟର ଜମିପାଇଁ ୬୯୦ବସ୍ତା ଆଳୁ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଥିଲା। ଚାଷୀ ବାହାର ବେପାରୀଙ୍କ ଠାରୁ ମଧ୍ୟ ବିହନ କିଣି ସମୁଦାୟ ୫୦୦ହେକ୍ଟରରୁ ଊର୍ଦ୍ଧ୍ବ ଜମିରେ ଆଳୁ ଚାଷ କରିଥିଲେ, କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ନନ୍ଦପୁର ବ୍ଲକ ପାଇଁ ଅଦ୍ୟାବଧି ମାତ୍ର ୪ ଗାଡ଼ି ଯଥା ୨୪୦୦ ବସ୍ତା ବିହନ ଆସିଛି। ପ୍ରଗତି ଅନୁଷ୍ଠାନ ଯାହା ସିଆଇପି ମାଧ୍ୟମରେ ଗତବର୍ଷ ୨୮୦ ହେକ୍ଟର ପାଇଁ ୧୪ହଜାର ବସ୍ତା ବିହନ ଯୋଗାଇ ଦେଇଥିଲା, ତାହା ମାତ୍ର ୨୦୦୦ବସ୍ତା ପାଇ ମାତ୍ର ୪୦ହେକ୍ଟର ଜମିରେ ଆଳୁ ଚାଷ ପାଇଁ ବିହନ ଯୋଗାଇ ଦେଇଛି। ଗତ ବର୍ଷର ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶି ବସ୍ତା ପିଛା ୧୦୦ଟଙ୍କା ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ରାଜ୍ୟ ସରକାର ଉଦ୍ୟାନ ବିଭାଗକୁ ସିଧାସଳଖ ବିହନ କିଣିବାକୁ ବାରଣ କରି ଓଡ଼ିଶା ବିହନ ନିଗମକୁ ବିହନ ଯୋଗାଣର ଦାୟିତ୍ବ ଦେଇଛନ୍ତି। ‘ଗୋ ସୁଗମ’ ପୋର୍ଟାଲ ମାଧ୍ୟମରେ ଚାଷୀ ବିହନ ପାଇଁ ଆବେଦନ କରିବାକୁ ଗଣମାଧ୍ୟମ ଜରିଆରେ ନିର୍ଦେଶ ଦେଇଛନ୍ତି। କିନ୍ତୁ ସବୁ ସରକାରୀ ନିର୍ଦ୍ଦେଶ ଅକାମୀ ହୋଇ ବିହନ ନିଗମ, ଉଦ୍ୟାନ ବିଭାଗ ଚାଷୀଙ୍କୁ ବିହନ ଯୋଗାଇବାରେ ବିଫଳ ହୋଇଛନ୍ତି। କିଛି ଚାଷୀ ବାହାର ବେପାରୀଙ୍କ ଜାଲରେ ପଡ଼ି ବସ୍ତା ପିଛା ୧୭୦୦ରୁ ୧୮୦୦ଟଙ୍କା ଦେଇ ନିମ୍ନମାନର ଆଳୁ ବିହନ କିଣି ନିଜ ଜମିରେ ବାଧ୍ୟ ହୋଇ ଲଗାଉଥିବା କହିଛନ୍ତି।
ଚାଷୀଙ୍କ ସମସ୍ୟା ସମ୍ପର୍କରେ କୋରାପୁଟ ଜିଲା ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମର ପୂର୍ବତନ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ବର୍ତ୍ତମାନ ବିହନ ନିଗମ ଦାୟିତ୍ୱରେ ନ ଥିବାରୁ ଚାଷୀଙ୍କ ଅସନ୍ତୋଷ ଦୂର କରିପାରୁ ନ ଥିବା କହି ତ୍ରୁଟି କେଉଁଠି ଅଛି ଖୋଜିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କୋରାପୁଟ ଜିଲା ଉଦ୍ୟାନ ବିଭାଗ ନିର୍ଦେଶକ ସୁଦାମ ଦଳେଇ କହିଛନ୍ତି, ଗତବର୍ଷ ଜିଲାରେ ଉଦ୍ୟାନ ବିଭାଗ ଅନୁବନ୍ଧିତ ସଂସ୍ଥା ଦ୍ବାରା ୫୭୦ହେକ୍ଟର ଓ ସିଆଇପି ମାଧ୍ୟମରେ ୪୭୦ହେକ୍ଟର ଜମିରେ ଆଳୁଚାଷ ପାଇଁ ୪୦୬୦୦ ବସ୍ତା ବିହନ ଯୋଗାଇ ଦିଆଯାଇଥିଲା। ଲୋକେ ବାହାର ବେପାରୀଙ୍କ ଠାରୁ ମଧ୍ୟ କିଛି ବିହନ କିଣି ଆଳୁଚାଷ କରିଥିଲେ। ଜିଲା ଆଳୁ ଚାଷ ପାଇଁ ଏକ ବିପ୍ଳବ ଆଣିଥିଲା, କିନ୍ତୁ ଚଳିତବର୍ଷ କିଛି ବିଭାଗୀୟ ତ୍ରୁଟି, ଅତ୍ୟଧିକ ବର୍ଷା ଓ ନିମ୍ନମାନର ବିହନ ଆସିଥିବାରୁ ଚାଷୀଙ୍କୁ ହଇରାଣ ହେବାକୁ ପଡ଼ିଛି ବୋଲି କହିଛନ୍ତି। କାର୍ଯ୍ୟରେ ୧୫ଦିନ ହେବ ଯୋଗ ଦେଇଛି। ଚାଷୀଙ୍କୁ ଓ ବିହନ ଯୋଗାଣ କାରୀ ସଂସ୍ଥାଙ୍କୁ ଗତବର୍ଷ ଦିଆଯିବାକୁ ଥିବା ପ୍ରୋତ୍ସାହନ ରାଶିର ଅନିୟମିତତା ଦୃଷ୍ଟିକୁ ଆସିଛି। ସେଥିପାଇଁ ଆଜି ହିଁ ଜଣେ ବିଭାଗୀୟ କ୍ଷୀପ୍ରଲେଖକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ଡ୍ରାଫ୍ଟ ଚାର୍ଜ କରାଯାଇଛି। ଜିଲାପାଳଙ୍କ ସହ ଆଲୋଚନା କରି ଅଳ୍ପଦିନ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ଦଳେଇ କହିଛନ୍ତି।



