www.samajalive.in
Saturday, December 6, 2025
26.1 C
Bhubaneswar

ଫ୍ଲଡ୍‌ ଲାଇଟ୍‌ ଅଚଳ ପ୍ରସଙ୍ଗରେ ଜୋର ଧରିଲା ରାଜନୀତି

ଭୁବନେଶ୍ବର:ବାରବାଟୀ ଷ୍ଟାଡିୟମରେ ଗତକାଲି ଭାରତ-ଇଂଲଣ୍ଡ ମଧ୍ୟରେ ଆୟୋଜିତ କ୍ରିକେଟ ମ୍ୟାଚ ସମୟରେ ଫ୍ଲଡ ଲାଇଟ ଅଚଳ ଯୋଗୁଁ ଅଧାରୁ ଖେଳ ବନ୍ଦ ରହିଥିଲା। ଏଥିପାଇଁ ଓଡ଼ିଶା ସମଗ୍ର ବିଶ୍ବରେ ନିନ୍ଦିତ ହୋଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ବେଶ୍ ଉଷ୍ଣ ହୋଇପଡ଼ିଛି। ବିରୋଧୀ କଂଗ୍ରେସ, ବିଜେଡି ସହିତ ଆମ୍ ଆଦ୍‌ମୀ ପାର୍ଟି ନୈତିକତା ଦୃଷ୍ଟିରୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି।

କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ବାରବାଟୀରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍ ସମୟରେ ଲାଇଟ କଟିବା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ବାରବାଟୀ ବିଫଳତା ପାଇଁ ସରକାର ଦାୟୀ। ଓଡ଼ିଶାର କଥା ବାହାରେ ପଡ଼ିଛି। ଯେଉଁମାନେ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ମିଳିବା ଉଚିତ୍। ବିଶ୍ୱରେ ରାଜ୍ୟ ନିନ୍ଦିତ ହୋଇଛି। ଟିକଟ କଳାବଜାର ପ୍ରସଙ୍ଗରେ ସେ କହିଛନ୍ତି, ସରକାର ଟିକଟ ଦଳୀୟ କର୍ମୀଙ୍କୁ ଦେଇଛନ୍ତି। ବିଜେପି ସରକାରରେ ପରସ୍ପର ମଧ୍ୟରେ ସହଯୋଗ ନାହିଁ। ଟିକଟ ଜାଲିଆତିକୁ ନେଇ ସରକାର ଶ୍ବେତପତ୍ର ଜାରି କରିବାକୁ ସେ ଦାବି କରିଛନ୍ତି। ଏ ପ୍ରସଙ୍ଗ କଂଗ୍ରେସ ବିଧାନସଭାରେ ଉଠାଇବ ବୋଲି ସେ କହିଛନ୍ତି।

- Advertisement -

ସର୍ବଦା ଓଡ଼ିଆ ଅସ୍ମିତାକୁ ଆଳ କରୁଥିବା ବିଜେପି ସରକାର ଅନ୍ତର୍ଜାତୀୟସ୍ତରରେ ଅସ୍ମିତା ଓ ସ୍ବାଭିମାନକୁ ଅନ୍ଧକାରାଚ୍ଛନ୍ନ କରିଦେଇଛି। ଏଭଳି ଏକ ସଙ୍ଗିନ ଘଟଣାକ୍ରମରୁ ନିଜ ଦୋଷ ଲୁଚାଇବାକୁ ଯାଇ କ୍ରୀଡ଼ାମନ୍ତ୍ରୀଙ୍କ ଇଙ୍ଗିତରେ ଓସିଏ ସମ୍ପାଦକ ବ୍ୟାକଅପ୍ ଜେନେରେଟର ଗାଡ଼ି ସାମନାରେ ଖେଳାଳିଙ୍କ ବସ୍ ରହିଥିବାର ସଫେଇ ଆଦୌ ଗ୍ରହଣୀୟ ନୁହେଁ ବୋଲି ଆମ୍‌ ଆଦମୀ ପାର୍ଟି (ଆପ୍) ରାଜ୍ୟ ମୁଖ୍ୟ ପ୍ରବକ୍ତା ଲଳିତ ମୋହନ ଦାସଅଧିକାରୀ, ରାଜ୍ୟ ସଙ୍ଗଠନ ସମ୍ପାଦକ ସନ୍ଦୀପ୍ତ ଦାସ, ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀକାନ୍ତ କୁମାର ପାଣି ଏବଂ କଟକ ଜିଲା ସଭାପତି ଦୁର୍ଗା ପ୍ରସାଦ ପରିଡ଼ା ପ୍ରମୁଖ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ବାରବାଟୀ ଷ୍ଟାଡିୟମରେ ଗତକାଲି ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ବେଳେ ଫ୍ଲଡ଼ ଲାଇଟ ବିଭ୍ରାଟ ପାଇଁ ପ୍ରାୟ ୨୬ ମିନିଟ୍‌ କାଳ ଖେଳ ବନ୍ଦ ରହିଥିଲା। ଏହା ବିଶ୍ବର କ୍ରୀଡ଼ାପ୍ରେମୀଙ୍କ ସମ୍ମୁଖରେ ଓଡ଼ିଶାକୁ ଲଜ୍ଜିତ କରିଛି। ନୈତିକତା ଦୃଷ୍ଟିରୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।

ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ପ୍ରାୟ ୬ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କ୍ରିକେଟ ଖେଳକୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀ ମହଲରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା। ଏଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଓ ରାଜ୍ୟ ସରକାରଙ୍କ ଗୁରୁଦାୟିତ୍ବ ରହିଥିଲା। ଖେଳ ଆୟୋଜନ ପୂର୍ବରୁ ପ୍ରଶାସନିକ ସ୍ତରରେ ବାରମ୍ବାର ସମୀକ୍ଷା ହୋଇଥିଲା।

ରାଜ୍ୟର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମୀକ୍ଷା ବୈଠକରେ ଭାଗ ନେବା ସହିତ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ସ୍ଥିତି ଓ ପ୍ରସ୍ତୁତିର ତଦାରଖ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଏକ ସମୀକ୍ଷା କରିଥିଲେ। ମାତ୍ର ଫ୍ଲଡଲାଇଟ ବିଭ୍ରାଟ ଘଟିବା ଯୋଗୁଁ ସମସ୍ତ ଆୟୋଜନ ଫସର ଫାଟିଯାଇଛି। ବିଦ୍ୟୁତ୍ ବିଭାଗର ଇଞ୍ଜିନିୟର ସେଠାରେ କ’ଣ ପାଇଁ ଉପସ୍ଥିତ ନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଫ୍ଲଡ ଲାଇଟ୍ ଓ ଜେନେରେଟର ବିଦ୍ୟୁତ ଯୋଗାଣ ବାବଦରେ ବିଦ୍ୟୁତ ବିଭାଗର କୌଣସି ଯନ୍ତ୍ରୀ ଏହି ବିଦ୍ୟୁତ୍ ଯୋଗାଣକୁ ସ୍ୱୀକୃତି ପ୍ରଦାନ କରିଥିଲେ କି ? ଏହି ଘଟଣା ଯୋଗୁଁ ଓଡ଼ିଶା କ୍ରୀଡ଼ା ପ୍ରେମୀଙ୍କ ଆଗରେ ନିନ୍ଦିତ ହୋଇଛି। ଦେଶ ଓ ବିଦେଶରେ ଓଡ଼ିଶା ନିନ୍ଦିତ ହେଉଛି। ଓସିଏକୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ। ତୁରନ୍ତ କ୍ରୀଡ଼ା ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଡ.ମହାନ୍ତି ଦାବି କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories