ଚୌଦ୍ୱାର : ଚୌଦ୍ୱାର ପୁଲିସ୍ ଗତ ଦୀପାବଳି ସମୟରେ ବିଭିନ୍ନ ସ୍ଥାନରୁ ଜବତ କରିଥିବା ବେଆଇନ୍ ଫୋଟକା ସବୁକୁ ଗୁରୁବାର ଦିନ ନଷ୍ଟ କରିଛି । ବୋମା ନିଷ୍କ୍ରିୟ ଟିମ ଓ ପୁଲିସ ମିଳିତ ଭାବେ ସ୍ଥାନୀୟ ବଧୀ ପଡିଆରେ ଏକ ବଡ଼ ଗାତ ଖୋଳି ଜବତ ହୋଇଥିବା ବାଣ ସବୁକୁ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ବାଣ ସବୁ ଜଳି ଗଲାପରେ ଚୌଦ୍ୱାର ଦମକଳ ବାହିନୀ ଜଳୁଥିବା ନିଆଁକୁ ଲିଭାଇଥିଲେ। ବାଣ ନଷ୍ଟ ସମୟରେ ଦୀର୍ଘ ସମୟ ଧରି ଆକାଶରେ ନିଆଁ ଓ ଧୂଆଁ ଉଠିବା ସହିତ ପ୍ରଚଣ୍ଡ ବାଣ ବିସ୍ଫୋରଣ ଶଦ୍ଧ ଶୁଭିଥିଲା । ଦୀର୍ଘ ସମୟ ଧରି ଏତେ ପରିମାଣର ବାଣ ଫୁଟୁଥିବା ଶୁଣି ଅଞ୍ଚଳବାସୀ ହଠାତ୍ କିଛି ବୁଝି ନପାରି ଭୟଭୀତ ହୋଇ ଯାଇଥିଲେ। କଣ ହେଉଛି ବୋଲି ସମସ୍ତେ ଚକିତ ହେଇ ଯାଇଥିବା ବେଳେ ସ୍ଥାନୀୟ ପୁଲିସ୍ ଜବତ୍ ବାଣ ନଷ୍ଟ କରୁଥିବା ଜାଣିବା ପରେ ସହରରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ କରୋନା କଟକଣା ଜାରୀ ରହିଥିବା ବେଳେ ଚୌଦ୍ୱାରରେ ବେଆଇନ ଭାବେ ଚୋରାରେ ବାଣ ବିକ୍ରୀ ହେଉଥିବା ସ୍ଥାନ ମାନଙ୍କରେ ପୁଲିସ ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରିବା ସହିତ ଏସଂକାନ୍ତରେ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
Popular Categories



