ପଞ୍ଜାବ: ପଞ୍ଜାବର ହୁସେନାୱାଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ହେବାକୁ ଥିବା ଏକ ରାଲିକୁ ସୁରକ୍ଷା ଦୃଷ୍ଟିରୁ ବାତିଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ରାଲିକୁ ବାତିଲ କରାଯାଇଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ଯେଉଁ ଫ୍ଲାଏ ଓଭର ଦେଇ ଗସ୍ତ କରୁଥିଲେ, ସେହି ଫ୍ଲାଏ ଓଭରକୁ କିଛି ବିକ୍ଷୋଭକାରୀ ଅବରୋଧ କରିଥିଲେ।
ଏହାକୁ ‘ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାରେ ଏକ ପ୍ରମୁଖ ତ୍ରୁଟି’ ବୋଲି କହି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏହି ଘଟଣା ହୁସେନାୱାଲାର ଜାତୀୟ ଶହୀଦ ସ୍ମୃତି ପୀଠ ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଘଟିଛି। ବିବୃତିରେ କୁହାଯାଇଛି ଯେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଳୟ ଏକ ଫ୍ଲାଏ ଓଭରରେ ପହଁଚିଲା, ସେତେବେଳେ କିଛି ବିକ୍ଷୋଭକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଏକ ଫ୍ଲାଏ ଓଭରରେ ଅଟକି ରହିଥିଲେ। ଏଭଳି ସୁରକ୍ଷା ଜନିତ ତ୍ରୁଟି ଆଗରୁ କେବେ ଘଟିନଥିଲା। ଏହି ବିବୃତ୍ତିରେ କୁହାଯାଇଛି ଯେ ଶ୍ରୀ ମୋଦୀ ବଠିଣ୍ଡା ଠାରେ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ହୁସେନାୱାଲା ଯିବାକୁ ଥିଲା କିନ୍ତୁ ବର୍ଷ ଓ କମ ଦୃଶ୍ୟମାନ ହେବା ଯୋଗୁ ତାହା ସମ୍ଭବ ହୋଇନଥିଲା। ପ୍ରଧାନମନ୍ତ୍ରୀ ପାଗ ସଫା ହେବା ପାଇଁ ପ୍ରାୟ ୨୦ ମିନିଟ୍ ଅପେକ୍ଷା କରିଥିଲେ।
ପାଗ ଭଲ ନ ହେବାରୁ କାର ଯୋଗେ ପ୍ରଧାନମନ୍ତ୍ରୀ ଯାତ୍ରା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସଡକ ପଥ ଦେଇ ଯିବା ପାଇଁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥାନ୍ତା। ମନ୍ତ୍ରଣାଳୟ କହିଛି, ପଞ୍ଜାବ ଡିଜିପି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ପରେ ପ୍ରଧାନମନ୍ତ୍ରୀ ଯାତ୍ରା କରିଛନ୍ତି।ମନ୍ତ୍ରାଳୟ କହିଛି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଏବଂ ଯାତ୍ରା ଯୋଜନା ପଞ୍ଜାବ ସରକାରଙ୍କୁ ଆଗୁଆ ଭଲ ଭାବରେ ଜଣାଇ ଦିଆଯାଇଥିଲା। ପ୍ରକ୍ରିୟା ଅନୁଯାୟୀ ସେମାନଙ୍କୁ ସମସ୍ତ ସୁରକ୍ଷା ତଥା ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏଥିସହ ଜରୁରୀକାଳୀନ ବ୍ୟବସ୍ତାକୁ ଦୃଷ୍ଟିରେ ରଖି, ପଞ୍ଜାବ ସରକାରଙ୍କୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରିବା ଆବଶ୍ୟକ ଥିଲା।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ଗୁରୁତର ସୁରକ୍ଷା ତ୍ରୁଟି ସମ୍ପର୍କରେ ରାଜ୍ୟ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛି। ରାଜ୍ୟ ସରକାରଙ୍କୁ ମଧ୍ୟ ଏହି ତ୍ରୁଟି ପାଇଁ କିଏ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରାଳୟ କହିଛି।



