ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ; ଉଦଘାଟନ କରିବେ ମହାତ୍ମା ଗାନ୍ଧୀ ସଂଗ୍ରହାଳୟ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନିକିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହି ଅବଦରରେ ପ୍ରଧାନମନ୍ତ୍ରୀ ଆନନ୍ଦଠାରେ ଖାଦ୍ୟ ପ୍ରକ୍ରିୟାକରଣ ସୁବିଧା ସମେତ ଅମୂଲର ଆଧୁନିକ ଚକଲେଟ ପ୍ଳାଣ୍ଟକୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟର ଖାଦ୍ୟ ପ୍ରକ୍ରିୟାକରଣରେ ଅଙ୍କୁରଣ ତଥା ଉତ୍କର୍ଷ କେନ୍ଦ୍ର ଏବଂ ମୁଝାକୁୱା ଗ୍ରାମରେ ଏକ ସୌର ସମବାୟ ସମିତିର ମଧ୍ୟ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଆନନ୍ଦ ଏବଂ ଖତରାଜରେ ଅମୂଲ ଉତ୍ପାଦନ ସୁବିଧା କେନ୍ଦ୍ରର ସମ୍ପ୍ରସାରଣ ଲାଗି ଶିଳାନ୍ୟାସ କରିବେ । ସେ ଏଠାରେ ଉପସ୍ଥିତ ଜନସଭାରେ ଉଦବୋଧନ ଦେବେ ।
ଏହାପରେ ପ୍ରଧାନମନ୍ତ୍ରୀ ଅଞ୍ଜାର ଗସ୍ତ କରିବେ । ସେ ସେଠାରେ ମୁନ୍ଦ୍ରା ଏଲଏନଜି ଟର୍ମିନାଲ, ଅଞ୍ଜାର-ମୁନ୍ଦ୍ରା ପାଇପଲାଇନ ପ୍ରକଳ୍ପ ଏବଂ ପାଲନପୁର-ପାଲି-ବାଡ଼ମେର ପାଇପଲାଇନ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ । ସେ ଏଠାରେ ଉପସ୍ଥିତ ଜନସଭାରେ ଉଦବୋଧନ ଦେବେ ।
ଏହାପରେ ପ୍ରଧାନମନ୍ତ୍ରୀ ରାଜକୋଟ ଯିବେ । ସେ ମହାତ୍ମା ଗାନ୍ଧୀ ସଂଗ୍ରହାଳୟର ଉଦଘାଟନ କରିବେ । ଏହି ସଂଗ୍ରହାଳୟର ନିର୍ମାଣ ରାଜକୋଟରେ ଅଲଫ୍ରେଡ ଉଚ୍ଚ ବିଦ୍ୟାଳୟରେ ନିର୍ମାଣ କରାଯାଇଛି । ଯାହାକି ମହାତ୍ମାଗାନ୍ଧୀଙ୍କ ସୃଜନାତ୍ମକ ବର୍ଷର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଥିଲା । ଏହା ଗାନ୍ଧୀବାଦୀ ସଂସ୍କୃତି, ମୂଲ୍ୟବୋଧ ଏବଂ ଦର୍ଶନ ବିଷୟରେ ସଚେତନତା ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ ୬୨୪ ଆବାସ ବିଶିଷ୍ଟ ଏକ ସର୍ବସାଧାରଣ ବାସଭବନ ପ୍ରକଳ୍ପକୁ ଫଳକ ଉନ୍ମୋଚନ ପୂର୍ବକ ଉଦଘାଟନ କରିବେ । ଏହି ଅବସରରେ ସେ ୨୪୦ ହିତାଧିକାରୀ ପରିବାରର ଇ-ଗୃହ ପ୍ରବେଶ ସମାରୋହରେ ମଧ୍ୟ ଉପସ୍ଥିତ ରହିବେ ।