ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟା ୮ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭରେ ଜାମ୍ମୁ-କାଶ୍ମୀର, ଲଦାଖ ଓ ଦେଶର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ଜାମ୍ମୁ-କାଶ୍ମୀରରେ ନୂଆଯୁଗର ଆରମ୍ଭ ହୋଇଛି। ମୋଦୀ କହିଥିଲେ, ପୁରା ଦେଶ ଏକ ଐତିହାସିକ ନିଷ୍ପତି ନେଲା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବାବା ସାହେବ ଆମ୍ବେଦକର, ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଅଟଳଜୀଙ୍କ ସ୍ୱପ୍ନ ପୂରଣ ହେଲା। ଧାରା ୩୭୦ ଯୋଗୁ ଲଦାଖ ଓ ଜାମ୍ମୁ-କାଶ୍ମୀର ଲୋକଙ୍କର କ୍ଷତି ହେଉଥିଲା ଓ ପାକିସ୍ତାନ ସେମାନଙ୍କୁ କେବଳ ଏକ ଶସ୍ତ୍ରଭାବେ ବ୍ୟବହାର କରୁଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା କେବଳ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିଲା ଓ ଏଥିପାଇଁ ୪୨ ହଜାର ନିରୀହ ଲୋକଙ୍କ ଜୀବନ ଯାଇଥିବା ସେ କହିଛନ୍ତି।
ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଧାରା ୩୭୦ ଯୋଗୁଁ ଜାମ୍ମୁ-କାଶ୍ମୀରର ଛାତ୍ରଛାତ୍ରୀ ଶିକ୍ଷା ସହ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେଉଥିଲେ ଏବଂ ଦଳିତଙ୍କୁ ଅତ୍ୟାଚାରରୁ ରୋକିବା ପାଇଁ ଦେଶର ଅନ୍ୟ ରାଜ୍ୟରେ ଶକ୍ତ ଆଇନ ଥିବା ବେଳେ ଜାମ୍ମୁ-କାଶ୍ମୀରରେ ଏପରି ଆଇନ ନ ଥିଲା। ଏଥି ଯୋଗୁ ଜାମ୍ମୁ-କାଶ୍ମୀରରେ ସର୍ବନିମ୍ନ ମଜୁରୀ ଲାଗୁ ହୋଇ ପାରି ନଥିଲା ଓ ଅନୁସୂଚିତ ଜାତି ଜନଜାତିଙ୍କୁ ସଂରକ୍ଷଣ ମଧ୍ୟ ମିଳୁ ନ ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ୟ ରାଜ୍ୟରେ ପୁଲିସ ଓ ସରକାରୀ କର୍ମଚାରୀଙ୍କୁ ସୁବିଧା ମିଳୁ ଥିବା ବେଳେ ଜାମ୍ମୁ-କାଶ୍ମୀରରେ ସେ ବ୍ୟବସ୍ଥା ନ ଥିଲା କିନ୍ତୁ ବହୁ ଶୀଘ୍ର ଏହି ସୁବିଧା ଜାମ୍ମୁ-କାଶ୍ମୀର ପୁଲିସ ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ।
ମୋଦୀ କହିଥିଲେ, ସେଠାକାର ଯୁବକଙ୍କୁ ରୋଜଗାର ଦେବା ପାଇଁ ଅନେକ ଯୋଜନା ଆରମ୍ଭ କରାଯିବ। ସରାକାରୀ ସଂସ୍ଥା ସହ ବେସରକାରୀ ସଂସ୍ଥା ଯେଭଳି ରୋଜଗାର ସୃଷ୍ଟି କରିବେ ସେଥିପାଇଁ ଉଦ୍ୟମ କରାଯିବ। ସେନା ଓ ଅର୍ଦ୍ଧ ସାମିରିକ ବଳରେ ସ୍ଥାନୀୟ ଯୁବକଙ୍କୁ ଭର୍ତ୍ତି କରାଯିବା ପାଇଁ ରାଲି କରାଯିବ ଓ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ଦିଆଯିବ।
ସେ କହିଛନ୍ତି ଯେ ଧାରା ୩୭୦ ହଟିବା ପରେ କିଛି ସମୟ ପାଇଁ ସମ୍ପୃକ୍ତ ଅଂଚଳକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ରଖାଯାଇଛି । ରାଜ୍ୟପାଳ ଶାସନ ପରେ ସୁଶାସନ ଆସିଛି। ନୂଆ ଯୋଜନା ଲାଗୁ କରାଯାଇଛି। ଜାମ୍ମୁ-କାଶ୍ମୀର ପ୍ରଶାସନରେ ନୂତନତ୍ୱ ଆଣିବା ପାଇଁ ମଧ୍ୟ ପ୍ରୟାସ କରାଯାଇଥିବା ସେ କହିଛନ୍ତି। ଭାରତରେ ଗଣତନ୍ତ୍ର ବୋ ଲୋକତନ୍ତ୍ର ବେଶ୍ ଶକ୍ତିଶାଳୀ, ମାତ୍ର ଜାମ୍ମୁ-କାଶ୍ମୀରରେ ଏପରି ଲୋକ ରହିଛନ୍ତି ଯେଉଁମାନେ ଲୋକସଭାରେ ତ ମତଦାନ କରନ୍ତି, ମାତ୍ର ସ୍ଥାନୀୟ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ମତଦାନ କରିପାରନ୍ତି ନାହିଁ, ତେବେ ସେମାନଙ୍କ ପ୍ରତି ଏପରି ଅନ୍ୟାୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇ କହିଛନ୍ତି, ଆପଣଙ୍କ ଜନ ପ୍ରତିନିଧି ଆପଣଙ୍କ ଭିତରୁ ଆସିବେ। ଆଗପରି ବିଧାୟକ, ମନ୍ତ୍ରୀ ପରିଷଦ ଓ ମୁଖ୍ୟମନ୍ତ୍ରୀ ହେବେ। ସେ କହିଛନ୍ତି, ଆମେ ସମସ୍ତେ ମିଶି ଆତଙ୍କବାଦ ଓ ବିଚ୍ଛିନ୍ନତା ବାଦରୁ ମୁକ୍ତି ପାଇବାକୁ ହେବା। ଜାମ୍ମୁ -କାଶ୍ମୀରକୁ ସାରା ବିଶ୍ୱରେ ବିକଶିତ କରିବାକୁ ହେବ। ସମସ୍ତ ନାଗରିକଙ୍କୁ ସବୁ ଅଧିକାର ଓ ସୁବିଧା ଦେବାକୁ ହେବ।
ଆମେ ଚାହୁଁଛୁ ଜାମ୍ମୁ-କାଶ୍ମୀରରେ ନିର୍ବାଚନ ହେବ, ତେଜସ୍ୱୀ ଯୁବକ ନେତା, ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହେବେ। ଆପଣମାନଙ୍କୁ କଥା ଦେଉଛି ପାରିଦର୍ଶିତାର ସହ ଜାମ୍ମୁ-କାଶ୍ମୀରେର ନିର୍ବାଚନ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ଧାରା ୩୭୦ ଉଚ୍ଛେଦ ହେବା ପରେ ନୂଆ ପଞ୍ଚାୟତ ବେଶ୍ ଭଲ ଭାବରେ କାମ କରିବ ଓ ଜାମ୍ମୁ-କାଶ୍ମୀରର ନାଗରିକ ବିଚ୍ଛିନ୍ନତାବାଦକୁ ଶେଷ କରି ବିକାଶ ଦିଗରେ କାମ କରିବେ ଏବଂ ନିଜ ଲକ୍ଷ୍ୟ ହାସଲ କରିବେ। ପରିବାରବାଦ ପ୍ରସଙ୍ଗ ଉତଥାପନ ମୋଦୀ କହିଛନ୍ତି, ଆଗରୁ ଜାମ୍ମ-କାଶ୍ମୀରରେ ପରିବାରବାଦ ଚାଲିଥିଲା ଯାହା ଫଳରେ ନୂଆ ଯୁବକ ଆଗକୁ ଆସୁ ପାରୁନଥିଲେ କିନ୍ତୁ ଏବେ ଯୁବ ଶକ୍ତି ଆଗକୁ ଆସିବେ। ସେ ଆହ୍ୱାନ ଦେଇଛନ୍ତି, ଜାମ୍ମୁ-କାଶ୍ମୀର ଓ ଲଦାଖର ଯୁବକ ଆଗକୁ ଆସନ୍ତୁ।
ଜାମ୍ମୁ-କାଶ୍ମୀର ଓ ଲଦାଖ ବିଶ୍ୱର ସର୍ବଶ୍ରେଷ୍ଠ ପର୍ଯ୍ୟଟନସ୍ଥଳ ଓ ଏହାର ବିକାଶ ଦିଗରେ ସରକାର ଶତପ୍ରତିଶତ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ଓ ସେଥିପାଇଁ ପୁରା ଭାରତବାସୀଙ୍କ ସହଯୋଗ କାମନା କରିଛନ୍ତି। ସେ କହିଛନ୍ତି, ଆଗରୁ ଜାମ୍ମୁ-କାଶ୍ମୀରରେ ବଲିଉଡ୍ରେ ଅନେକ ଚଳଚ୍ଚିତ୍ର ସୁଟିଂ ହେଉଥିଲା। ଏବେ ସ୍ଥିତି ସ୍ୱାଭାବିକ ହେଲେ ହିନ୍ଦୀ, ତେଲଗୁ ଓ ତାମିଲ ସିନେମା ଉଦ୍ୟୋଗ ଜାମ୍ମୁ-କାଶ୍ମୀରରେ ସିନେମା ଉଦ୍ୟୋଗ ଲଗାଇବା ପାଇଁ ଉଦ୍ୟମ କରନ୍ତୁ। ଜ୍ଞାନକୌଶଳର ବିକାଶ ହେଲେ ଜାମ୍ମୁ-କାଶ୍ମୀର ବିକାଶ ଓ ସେଠାର ଜନସାଧାରଣଙ୍କର ବିକାଶ ହେବ ଓ ରୋଜଗାର ବଢିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀର ଶେଓ, କେଶର ଓ ଶାଲ୍, ଲଦାଖର ଅର୍ଗାନିକ ଉତ୍ପାଦ ଓ ଔଷଧ ବିଶ୍ୱବ୍ୟାପୀ ପହଞ୍ଚିବା ଆବଶ୍ୟକ ବୋଲି କହିଛନ୍ତି। ଲଦାଖରେ ସୋଲ ନାମକ ଗୁଳ୍ମ ଉଚ୍ଚ ସ୍ଥାନରେ ରହୁଥିବା ଲୋକଙ୍କୁ ସଞ୍ଜିବନୀ ପରି କାମ କରିଥାଏ ଏବଂ ଏହି ଅଦ୍ଭୂତ ଜିନିଷ ସାରା ଦୁନିଆରେ ମିଳିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଏହା ଫଳରେ ଲଦାଖର ଉନ୍ନତି ହେବ, ଜୀବନର ମାନ ବଦଳିବ ଓ ବୃଦ୍ଧି ପାଇବ। ଯଦିଓ କିଛି ଲୋକଙ୍କର ମତ ଭିନ୍ନ କିନ୍ତୁ କେନ୍ଦ୍ର ସରକାର ସବୁର ଉତ୍ତର ଦେଉଛନ୍ତି। ସେମାନଙ୍କୁ ମୋଦୀ ଦେଶ ହିତରେ କାମ କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି, ଦେଶର ହିତ କରନ୍ତୁ, ଜାମ୍ମୁ-କାଶ୍ମୀର ଓ ଲଦାଖ ଜନସାଧରଣ ବିକାଶ ଓ ହିତ ପାଇଁ ଏକାଠି ହୋଇ ଆଗକୁ ଆସନ୍ତୁ। ସାରା ଦେଶବାସୀଙ୍କୁ ମୋଦୀ କହିଛନ୍ତି ଜାମ୍ମୁ-କାଶ୍ମୀର ଓ ଲଦାଖର ଚିନ୍ତା ସାରା ଦେଶର ଚିନ୍ତା ,୧୨୦ କୋଟି ଜନ ସାଧାରଣଙ୍କର ଚିନ୍ତା।
ପୁରୁଣା ଦିନକୁ ମାନେ ପକାଇ ସେ କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ହେଉଛି ଦେଶର ମୁକୁଟ। ପୁଞ୍ଚ ଜିଲ୍ଲାର ମୌଲବୀ ଗୁଲାମାଦୀନ ୧୯୬୫ରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ବିଷୟରେ ଜଣାଇଥିଲେ ଓ ତାଙ୍କୁ ଅଶୋକ ଚକ୍ର ରେ ସମ୍ମାନିତ କରାଯାଇଥିଲା ଏବଂ ରାଜୋରୀର ରୁକସାନା ଆତଙ୍କବାଦୀଙ୍କୁ ମାରିଥିବାରୁ ତାଙ୍କୁ କୀର୍ତ୍ତୀ ଚକ୍ରରେ ସମ୍ମାନିତ କରାଯାଇଥିବା ସେ କହିଛନ୍ତି। ପୁଞ୍ଚର ସହିଦ ସେନା ଜବାନ ଓରଙ୍ଗଜେବଙ୍କ ଦୁଇ ଭାଇ ସେନାରେ ଭର୍ତ୍ତି ହୋଇଥିବା ମୋଦୀ ମନେପକାଇଛନ୍ତି ।
ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କୁ ସାମ୍ନା କରି ପ୍ରାଣବଳି ଦେଇଥିବା ଜବାନ ଓ ପୁଲିସ କର୍ମୀଙ୍କୁ ସ୍ମରଣ କରି କହିଥିଲେ ଯେ, ସମସ୍ତଙ୍କର ସ୍ୱପ୍ନ ଏକ ଶାନ୍ତ ଓ ସମୃଦ୍ଧ ଜାମ୍ମୁ-କାଶ୍ମରୀ ଗଠନ କରିବା। ଆମେ ସମସ୍ତେ ମିଶି ସେମାନଙ୍କ ସ୍ୱପ୍ନ ପୂରଣ କରିବା। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାମ୍ମୁ-କାଶ୍ମୀର ଓ ଲଦାଖର ଭାଇ ଭଉଣୀଙ୍କୁ ଆହ୍ୱାନ କରୁଛି “ସାରା ବିଶ୍ୱକୁ ଦେଖାଇ ଦେବା ଆମ ଭିତରେ କେତେ ସାମର୍ଥ୍ୟ ଅଛି”। ଆମେ ମିଳି ମିଶି ନୂଆ ଭାରତର ନିର୍ମାଣ କରିବା।


