ଜରାଜୀର୍ଣ୍ଣ ପିପିଲି ହସ୍ତଶିଳ୍ପ ଗ୍ରାମ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ
ହସ୍ତଶିଳ୍ପ ସାମଗ୍ରୀ ବଜାର ଓ ଗ୍ରାମ୍ୟ ଅର୍ଥନୀତିର ବିକାଶ ଉପରେ ଗୁରୁତ୍ୱ

ପିପିଲି :ପିପିଲି ପୌରାଞ୍ଚଳ ଉପକଣ୍ଠ ତଥା ଟୋଲ୍ପ୍ଲାଜା ନିକଟରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପିପିଲି ହସ୍ତଶିଳ୍ପ ଗ୍ରାମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୁକ୍ରବାର ପରିଦର୍ଶନ କରିବା ଅବସରରେ ଏହାର ପୁନରୁଦ୍ଧାର ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ବିଜେଡି ସରକାର ସମୟରେ ୭କୋଟି ୬୬ଲକ୍ଷ ଟଙ୍କା ବ୍ୟୟରେ ଦୀର୍ଘ ୯ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ ଉଦ୍ଘାଟନ ହୋଇନପାରିବା କାରଣରୁ ଏହା ଅଦ୍ୟାବଧି ଲୋକଙ୍କ ସେବାରେ ଲାଗିପାରିନାହିଁ। ଏହାକୁ ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯିବା ଦିଗରେ ଏବେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇବା ପରେ ପିପିଲିର ଚାନ୍ଦୁଆ ଶିଳ୍ପୀ, ବ୍ୟବସାୟୀ ଓ କାରିଗରଙ୍କ ସ୍ୱପ୍ନ ବାସ୍ତବ ରୂପ ନେବ ବୋଲି ଆଶା କରାଯାଉଛି। ଏହି ହସ୍ତଶିଳ୍ପ ଗ୍ରାମ ଦ୍ୱାରା ବିଶ୍ୱ ପ୍ରସିଦ୍ଧ ପିପିଲି ଚାନ୍ଦୁଆର ଅଧିକ ପ୍ରଚାର ପ୍ରସାର ହେବା ସହ ଚାନ୍ଦୁଆ କାରିଗରଙ୍କ ଜୀବିକା ନିର୍ବାହରେ ଏହା ବେଶ୍ ସହାୟକ ହେବ ଓ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୁକ୍ରବାର ପୂର୍ବାହ୍ନରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପିପିଲି ହସ୍ତଶିଳ୍ପ ଗ୍ରାମକୁ ପରିଦର୍ଶନ କରିଥିଲେ। ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ଏହି ହସ୍ତଶିଳ୍ପ ଗ୍ରାମର ଆବଶ୍ୟକତା ସଂପର୍କରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଉପମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ହସ୍ତଶିଳ୍ପ ଗ୍ରାମକୁ ପରିଦର୍ଶନ କରିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଏହାର ପୁନରୁଦ୍ଧାର ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଗଣମାଧ୍ୟମକୁ ଶ୍ରୀମତୀ ପରିଡା କହିଥିଲେ ଯେ, ଏହା ଦୀର୍ଘ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ସ୍ୱୟଂ ସହାୟକ ଗୋଷ୍ଠିର ଭଉଣୀମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାର ଦେବା ପାଇଁ ପର୍ଯ୍ୟଟନ ବିଭାଗ ଏହା ଉପରେ ଯୋଜନା ଆରମ୍ଭ କରିଛି। ପର୍ଯ୍ୟଟକମାନେ ଏଠାକୁ ସୁବିଧାରେ ଆସିବେ, କିଛି ସମୟ ବିତାଇବେ, ହସ୍ତଶିଳ୍ପ ସାମଗ୍ରୀ କିଣିବେ। ଫଳରେ ଗ୍ରାମ୍ୟ ଅର୍ଥନିତୀର ବିକାଶ ଉପରେ ଏହାର ସୁପ୍ରଭାବ ଆସିବ। ଚାନ୍ଦୁଆ ଏକ ଐତିହାସିକ ଶିଳ୍ପକଳା। ତାର ସୂକ୍ଷ୍ମ କାରୁକାର୍ଯ୍ୟ ଓ ଜୀବନ୍ତ ରଂଗ ପାଇଁ ବିଶ୍ୱ ପ୍ରସିଦ୍ଧ।
ଚାନ୍ଦୁଆ ଶିଳ୍ପ ଓ ଚାନ୍ଦୁଆ କାରିଗରମାନଙ୍କ ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ ନିର୍ମାଣ ସଂପୂର୍ଣ୍ଣ ହେବ ଏବଂ ଏହା ଐତିହ୍ୟ ସମ୍ପନ୍ନ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ହସ୍ତଶିଳ୍ପ ଗ୍ରାମ ପାଶ୍ୱର୍ରେ ବ୍ୟାପକ ସରକାରୀ ଜମି ରହିଥିବା ହେତୁ ଏହାର ଆକାର ବଡ ହେବା ସହ ବିକାଶ ଠିକ୍ ଭାବେ ହୋଇପାରିବ ବୋଲି ସମୀକ୍ଷା ସମୟରେ ଉପମୁଖ୍ୟମନ୍ତ୍ରୀ ଅବଗତ ହୋଇଥିଲେ। ଏହି ହସ୍ତଶିଳ୍ପ ଗ୍ରାମକୁ ପର୍ଯ୍ୟଟକମାନଙ୍କର ସୁବିଧାଜନକ ଯାତାୟତ ପାଇଁ ଆବଶ୍ୟକସ୍ଥଳେ ଭୂମି ଅଧିଗ୍ରହଣ କରାଯାଇ ଜାତୀୟ ରାଜପଥ ସହ ଏହାକୁ ସିଧା ଯୋଡିବା ସଂପର୍କରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ଉପମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ପର୍ଯ୍ୟଟନ ବିଭାଗର ଅଧିକାରୀ, ଜିଲା ପ୍ରଶାସନର ଅଧିକାରୀ, ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏଠାରେ ସୂଚନା ଥାଉକି, ପର୍ଯ୍ୟଟନ ବିଭାଗ ପକ୍ଷରୁ ରୁରାଲ ଟୁରିଜିମ୍ ପ୍ରୋଜେକ୍ଟରେ ପିପିଲି ବଜାର ଉପକଣ୍ଠ ଜାତୀୟ ରାଜପଥ କଡରେ ଏହି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ ନିର୍ମାଣ କରାଯାଇଥିଲା। ୨୦୦୭ ମସିହା ଜୁଲାଇ ୧ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୭କୋଟି ୬୬ଲକ୍ଷ ଟଙ୍କା ବ୍ୟୟରେ ୨୦୧୬ ମସିହାରୁ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ ଉଦ୍ଘାଟନ କରାଯାଇନାହିଁ। ଫଳରେ ଏହା କାର୍ଯ୍ୟକ୍ଷମ ନହୋଇ ଲୋକଙ୍କ ସେବାରେ ଲାଗିପାରିନାହିଁ। ଏହି ହସ୍ତଶିଳ୍ପ ଗ୍ରାମରେ ୧୨ଶହ ବର୍ଗଫୁଟ୍ର ୨୧ଟି ଅତ୍ୟାଧୁନିକ ଦୋକାନ ଗୃହ ଥିବା ବେଳେ ପ୍ରଶାସନିକ ଭବନ, ସୂଚନାକେନ୍ଦ୍ର, ସମ୍ମିଳନୀ କକ୍ଷ, ଲାଇବ୍ରେରୀ, ଅତିଥିଙ୍କ ପାଇଁ ଗୃହ, ହସ୍ତଶିଳ୍ପ କାରିଗରି କେନ୍ଦ୍ର ଆଦି ରହିଛି।
ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ପିପିଲି ଚାନ୍ଦୁଆ ପ୍ରତି ଆକର୍ଷିତ କରିବା ପାଇଁ ସେଠାରେ ଚାନ୍ଦୁଆ ତିଆରି ସହ ବିକ୍ରୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ଯୋଜନା ରହିଥିଲା। ପର୍ଯ୍ୟଟକଙ୍କ ପାଇଁ ବିସ୍ତୃତ ଅଞ୍ଚଳରେ ଗାଡି ପାର୍କିଂ ବ୍ୟବସ୍ଥା ସହ ଉଭୟ ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ପୃଥକ ଭାବେ ଅତ୍ୟାଧୁନିକ ଶୌଚାଳୟ ଓ ଭୋଜନାଳୟର ବ୍ୟବସ୍ଥା ମଧ୍ୟ ସେଠାରେ କରାଯିବାକୁ ଯୋଜନା ରହିଥିଲା। ରକ୍ଷଣାବେକ୍ଷଣ ଅଭାବରୁ ହସ୍ତଶିଳ୍ପ ଗ୍ରାମ ପରିସର ଏବେ ବଣବୁଦାରେ ପରିଣତ ହୋଇଥିବା ବେଳେ ସେଠାରେ ନିର୍ମିତ ଘର ଗୁଡିକ ନଷ୍ଟ ହେବାକୁ ବସିଲାଣି। ସେଠାରେ ଲାଗିଥିବା ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବ୍ୟବହାର ନହେବା କାରଣରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପ୍ରଶାସନିକ ଭବନ, ସୂଚନାକେନ୍ଦ୍ର, ସମ୍ମିଳନୀ କକ୍ଷ ଆଦିରେ ଲାଗିଥିବା ଅଧିକାଂଶ ମୂଲ୍ୟବାନ୍ କବାଟ ଓ ଝରକା ଆଦିକୁ କେହି ତାଡି ନେଇଥିବା ପରିଲକ୍ଷିତ ହୋଇଛି। ଉକ୍ତ ବିରାଟ କୋଠାଘରକୁ ଏବେ କେତେକ ବୁଲାବିକାଳି ଜବରଦଖଲ କରି ରଖିବା ସହ କୋଠାଘର ମଧ୍ୟରେ ସେମାନେ ପରିବାର ସହ ବାସ କରୁଥିବା ଜଣାଯାଇଛି। ହସ୍ତଶିଳ୍ପ ଗ୍ରାମର ଚତୁଃପାଶ୍ୱର୍ରେ ଥିବା ପାଚେରୀର କେତେକ ଅଂଶ ଭାଙ୍ଗି ଯାଇଥିବା ପରିଲକ୍ଷିତ ହୋଇଛି।
Comments are closed.