ପିପିଲିରେ ରାଜନୈତିକ ହିଂସା, ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ପିପିଲି: ପିପିଲିରେ ମତଦାନ କାର୍ଯ୍ୟ ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲେ ମଧ୍ୟ ଭୋଟିଂ ସମୟରେ ପିପିଲି କଲେଜରେ କରାଯାଇଥିବା ମତଦାନ କେନ୍ଦ୍ର ବାହାରେ ଜଣେ ବିଜେପି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପିପିଲି କଲେଜ ଠାରେ ୭ନଂ ୱାର୍ଡ ଓ ୮ନଂ ଓାର୍ଡର ଭୋଟରଙ୍କ ପାଇଁ ଦୁଇଟି ବୁଥ୍‍ରେ ମତଦାନର ବ୍ୟବସ୍ଥା କରାଯାଇଥିଲା। ଅପରାହ୍ନ ସମୟରେ ୯ନଂ ମତଦାନ କେନ୍ଦ୍ର ମଧ୍ୟରେ ବିଜେପି ଦଳର ଏଜେଣ୍ଟଙ୍କ ସହ ବଚସା କରାଯାଇଥିଲା ଓ ପରେ ବୁଥ୍‍ ବାହାରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏଥିରେ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିବା ବେଳେ ଚିକିତ୍ସାଲାଗି ତାଙ୍କୁ ପିପିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବିଜେଡି ଦଳର ଜଣେ ନେତା ଓ ତାଙ୍କ ସମର୍ଥକ ମାନେ ଏହି ଆକ୍ରମଣ କରିଥିବା ସଂପର୍କରେ ବିଜେପିର ନଗରପାଳ ପ୍ରାର୍ଥୀ ସୁକାନ୍ତ ଭଟ୍ଟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣାସ୍ଥଳରେ ପିପିଲି ଏସ୍‍ଡିପିଓ ଓ ଆଇଆଇସି ପ୍ରମୁଖ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସଂପର୍କରେ ଏସ୍‍ଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି।

Comments are closed.