ସଙ୍କଟରେ ପିପିଲି ଚାନ୍ଦୁଆ ଶିଳ୍ପ

ପିପିଲି: ବିଶ୍ୱ ପ୍ରସିଦ୍ଧ ପିପିଲି ଚାନ୍ଦୁଆ ଶିଳ୍ପ ଏବେ ସଂକଟରେ। ଚାନ୍ଦୁଆ ପ୍ରତି ଗ୍ରାହକଙ୍କ ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ମାନ୍ଦା ବ୍ୟବସାୟ ଯୋଗୁଁଁ ଉଭୟ ଚାନ୍ଦୁଆ କାରିଗର ଓ ବ୍ୟବସାୟୀ ସଂପ୍ରତି ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି। ସରକାରଙ୍କ ପକ୍ଷରୁ ଏହି ଚାନ୍ଦୁଆ ଶିଳ୍ପର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାବେଳେ ବଜାର ଚାହିଦାକୁ ଲକ୍ଷ୍ୟ କରି ନୂଆ ନୂଆ ଡିଜାଇନର ଚାନ୍ଦୁଆ ପ୍ରସ୍ତୁତ କରିବା ପାଇଁ ଏଠାକାର କାରୀଗରଙ୍କ ପାଇଁ କୌଣସି ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା ନାହିଁ। ସରକାରଙ୍କ ପକ୍ଷରୁ ଚାନ୍ଦୁଆ କାରୀଗରଙ୍କୁ ଆବଶ୍ୟକ କଞ୍ଚାମାଲ ସୁଲଭ ମୂଲ୍ୟରେ ଯୋଗାଇଦେବାର ସୁବିଧା ନଥିବାରୁ ଏହି ଚାନ୍ଦୁଆ ଶିଳ୍ପର ଅଧପତନ ଘଟିବାକୁ ଯାଉଛି। ସବୁଠାରୁ ବଡକଥା ହେଲା, କାରୀଗରଙ୍କ ଦ୍ୱାରା ଉତ୍ପାଦିତ ଚାନ୍ଦୁଆକୁ ବିକ୍ରି କରିବା ପାଇଁ କୌଣସି ସ୍ୱତନ୍ତ୍ର ମାର୍କେଟିଂର ବ୍ୟବସ୍ଥା ନାହିଁ। ପିପିଲି ଚାନ୍ଦୁଆ ଶିଳ୍ପ ଉପରେ ନିର୍ଭର କରୁଥିବା ବହୁ କାରିଗର ଓ ବ୍ୟବସାୟୀ ଏବେ ଅନ୍ୟ ପନ୍ଥା ତଥା ବ୍ୟବସାୟକୁ ଆଦରି ନେଇଥିବା ଜଣାଯାଇଛି।୨୫ ବର୍ଷ ତଳେ ପିପିଲିରେ ୧୩୬ଜଣ ଚାନ୍ଦୁଆ ଉଦ୍ୟୋଗୀ ଥିଲେ। ସେମାନଙ୍କର ଚାନ୍ଦୁଆ ଦୋକାନ ସହିତ ଉତ୍ପାଦନ କେନ୍ଦ୍ର ଥିଲା। ଏହିସବୁ ଉତ୍ପାଦନ କେନ୍ଦ୍ରରେ ୩ ହଜାରରୁ ଊର୍ଦ୍ଧ୍ବ କାରିଗର କାର୍ଯ୍ୟ କରୁଥିବାବେଳେ ସେଠାରୁ ଅର୍ଡର ନେଇ ଆଖପାଖ ଅଞ୍ଚଳର ୧୦ ହଜାରରୁ ଊର୍ଦ୍ଧ୍ବ ଯୁବତୀ ଓ ବୋହୂମାନେ ନିଜ ନିଜ ଘରେ ଚାନ୍ଦୁଆ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହେଉଥିଲେ। ଏବେ କିନ୍ତୁ ସମୟ ବଦଳି ଯାଇଛି। ମାନ୍ଦା ବ୍ୟବସାୟ ଯୋଗୁଁଁ ଏହାର କୁପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଛି। ପୂର୍ବରୁ ପିପିଲି ବଜାରରେ ଥିବା ୧୦୯ଟି ଚାନ୍ଦୁଆ ଦୋକାନ ମଧ୍ୟରୁ ୬୦ଟି ଦୋକାନ ବନ୍ଦ ହୋଇଯାଇଥିବାବେଳେ ଏବେ ମାତ୍ର ୪୯ଟି ଚାନ୍ଦୁଆ ବିକ୍ରୟ ଦୋକାନ ଅଛି। ଅନେକ ପୁରୁଖା ଚାନ୍ଦୁଆ ବ୍ୟବସାୟୀମାନେ ଚାନ୍ଦୁଆ ବ୍ୟବସାୟରୁ ସେମାନଙ୍କ ପିଲାଙ୍କୁ ଦୂରେଇ ରଖୁଛନ୍ତି। ପିପିଲିର ଚାନ୍ଦୁଆକୁ ଜିଆଇ ମାନ୍ୟତା ମିଳିଥିଲେ ମଧ୍ୟ ଏହାର ପ୍ରଚାର ଓ ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ। କେବଳ ପିପିଲିର ଉଭୟ ପ୍ରବେଶ ପଥରେ ଆପ୍ଲିକ ଭିଲେଜ ବୋଲି ବୋର୍ଡ ମରାଯାଇଥିଲେ ମଧ୍ୟ ପିପିଲିକୁ ଆପ୍ଲିକ ଭିଲେଜର ମାନ୍ୟତା ଦିଆଯାଇନାହିଁ। ଫଳରେ ଏହି ଚାନ୍ଦୁଆ ଶିଳ୍ପର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଙ୍କଟରେ ଗତି କରୁଥିବା ଏହି ବିଶ୍ୱ ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁୁ ଦାବି ହୋଇଛି।

ଦିନଥିଲା ଚାନ୍ଦୁଆର ସାମିଆନା, ଛତ୍ରୀ, ଆଲଟ, ଚାମର ଓ ଦୋଳସଜ୍ଜ ଆଦି ଠାକୁରଙ୍କ ସେବାରେ ଲାଗୁଥିବାବେଳେ ଚାନ୍ଦୁଆରେ ତିଆରି ପାନବଟୁଆର ବେଶ୍ ଲୋକପ୍ରିୟ ଥିଲା। କାଳକ୍ରମେ ଏହା ବ୍ୟବସାୟୀକରଣ ହେଲା। ଗୃହର ସାଜସଜ୍ଜାଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ଏପରିକି ତୋରଣ ଓ ବିଭିନ୍ନ ଉତ୍ସବରେ ଟେଣ୍ଟ ସଜାଇବାରେ ମଧ୍ୟ ଏହି ପିପିଲି ଚାନ୍ଦୁଆର ପ୍ରବେଶ ହେଲା। ଦେଶ, ବିଦେଶରେ ଚାନ୍ଦୁଆ ଗାର୍ଡେନ ଛତା ବେଶ ଆଦୃତ ଲାଭ କରିବାପରେ ଏଠାକାର ଚାନ୍ଦୁଆ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲା। ରଙ୍ଗ ବେରଙ୍ଗର ବିଭିନ୍ନ ଡିଜାଇନର ଚାନ୍ଦୁଆ ତିଆରିରେ ଯୁବକ, ଯୁବତୀ ଓ ମହିଳାମାନେ ମନନିବେଶ କଲେ। ପିପିଲି ଓ ଏହାର ଆଖପାଖ ଅଞ୍ଚଳର ତିନିହଜାରରୁ ଊର୍ଦ୍ଧ୍ବ ପରିବାର ପାଇଁ ଏହି ଚାନ୍ଦୁଆ ଶିଳ୍ପ ମୁଖ୍ୟ ରୋଜଗାରର ପନ୍ଥା ପାଲଟିଲା।

ପୁରୀ ଓ କୋଣାର୍କକୁ ଯାଉଥିବା ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ପିପିଲିର ଚାନ୍ଦୁଆ ଆକୃଷ୍ଟ କରିଥାଏ। ତେବେ, ପିପିଲି ନିକଟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ବାଇପାସ ରାସ୍ତା ନିର୍ମାଣ ହେବାପରେ ପୁରୀ ଓ କୋଣାର୍କଗାମୀ ଅଧିକାଂଶ ଗାଡି ମୋଟର ଓ ପର୍ଯ୍ୟଟକଙ୍କ ଗାଡି ବାଇପାସ ରାସ୍ତାରେ ଯାଉଥିବାବେଳେ ଚାନ୍ଦୁଆ ବଜାର ଏବେ ଖାଁ ଖାଁ ଲାଗୁଛି। ରାଜଧାନୀ ଭୁବନେଶ୍ୱରର କେତେକ ସ୍ଥାନ ସମେତ ପୁରୀ ସମୁଦ୍ରକୂଳ ଅଞ୍ଚଳ ଓ କୋଣାର୍କରେ ଏକାଧିକ ଚାନ୍ଦୁଆ ଦୋକାନ ଖୋଲାଯାଇଥିବାରୁ ପିପିଲିର ଚାନ୍ଦୁଆ ବ୍ୟବସାୟୀଙ୍କ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡୁଥିବା ଜଣାଯାଇଛି। ପିପିଲି ବଜାର ରାସ୍ତାଟି ଆବଶ୍ୟକ ଚଉଡା ହୋଇନଥିବା ବେଳେ ଏହି ରାସ୍ତାରେ ସବୁ ସମୟରେ ଗହଳି ଲାଗି ରହିଥିବା ଯୋଗୁଁଁ ପର୍ଯ୍ୟଟକମାନେ ବାଇପାସ ରାସ୍ତାରେ ଯିବାକୁ ଅଧିକ ପସନ୍ଦ କରୁଥିବା ସୂଚନା ମିଳିଛି। ଫଳରେ ପର୍ଯ୍ୟଟକ ଆସୁନଥିବାରୁ ପିପିଲିର ଚାନ୍ଦୁଆ ବ୍ୟବସାୟୀ ଓ କାରୀଗରମାନେ ହାତବାନ୍ଧି ବସିଥିବାବେଳେ ଅଧିକାଂଶ ଦୋକାନରେ ସପ୍ତାହର ଅଧିକାଂଶ ଦିନ ଅନୁକୂଳ ହେଉନଥିବା ଜଣାଯାଇଛି। ଦୈନିକ ଲକ୍ଷେରୁ ଦେଢଲକ୍ଷ ଟଙ୍କା ବ୍ୟବସାୟ କରୁଥିବା ଦୋକାନରେ ଦିନକୁ ୫ରୁ ୧୦ହଜାର ଟଙ୍କା ମଧ୍ୟ ବ୍ୟବସାୟ ହେଉନାହିଁ। ବିଦେଶକୁ ରପ୍ତାନି କରୁଥିବା ବ୍ୟବସାୟୀମାନେ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜଣାଯାଇଛି।

ତେବେ, ପିପିଲିର ଏହି ବିଶ୍ୱ ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପର ସୁରକ୍ଷା ପାଇଁ ସରକାର କେତେକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ପିପିଲିକୁ ଏକ ସୁନ୍ଦର ଚାନ୍ଦୁଆ ନଗରୀରେ ପରିଣତ କରିବା ପାଇଁ ପିପିଲି ବଜାର ରାସ୍ତାକୁ ସଂପ୍ରସାରଣ କରିବା ସହ ପିପିଲିର ତିନୋଟି ପ୍ରବେଶପଥ ଯଥା ଜଇସପାଟଣାସ୍ଥିତ ଟୋଲଗେଟ ଛକ, ପିପିଲି-ନିମାପଡ଼ା ରାସ୍ତାର ତରାକାଜ ଛକ ଓ ଦାଣ୍ଡମୁକୁନ୍ଦପୁର ବାଇପାସ ଛକଠାରେ ସରକାରଙ୍କ ପକ୍ଷରୁ ହୋଡିଂ ନିର୍ମାଣ କରାଗଲେ ପିପିଲିର ଚାନ୍ଦୁଆ ବଜାର ପ୍ରତି ପର୍ଯ୍ୟଟକମାନେ ଆକୃଷ୍ଟ ହୋଇପାରିବେ। ଏତଦ୍‌‌ବ୍ୟତୀତ ରାଜ୍ୟ ଓ ରାଜ୍ୟ ବାହାରେ ବ୍ୟାପକ ପ୍ରଦର୍ଶନ ଜରିଆରେ ଚାନ୍ଦୁଆର ପ୍ରଚାର କରିବା, ପିପିଲିରେ ତାଲିମ କେନ୍ଦ୍ର ଖୋଲି କାରିଗରମାନଙ୍କୁ ନୂତନ ଡିଜାଇନ ସଂପର୍କରେ ତାଲିମ ପ୍ରଦାନ କରିବା ଓ ଅଭାବଗ୍ରସ୍ତ କାରିଗରମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଚାନ୍ଦୁଆ ବ୍ୟବସାୟୀଙ୍କ ପକ୍ଷରୁ ଦାବି ହୋଇଛି। ବିଭିନ୍ନ ଡିଜାଇନର ଚାନ୍ଦୁଆ ସାମଗ୍ରୀଗୁଡିକର ନିର୍ଦ୍ଦିଷ୍ଟ ଦର ନିର୍ଣ୍ଣୟ କରାଯାଇନଥିବାରୁ ଚାନ୍ଦୁଆ ବ୍ୟବସାୟରେ ଏହାର କୁପ୍ରଭାବ ପଡୁଛି। ରାଜ୍ୟରେ କଞ୍ଚାମାଲର ଅଭାବ ପରିଲକ୍ଷିତ ହେଉଥିବାବେଳେ ଏଠାକାର ବ୍ୟବସାୟୀମାନେ କଲକାତା, ସୁରତ ଓ ଦିଲ୍ଲୀ ଆଦି ସହର ଉପରେ ନିର୍ଭର କରୁଛନ୍ତି। ଫଳରେ ଚାନ୍ଦୁଆର ବ୍ୟୟଭାର ବଢ଼ି ଯାଉଛି।

 

Comments are closed.