ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼ ଅଞ୍ଚଳର କିଛି ଲୋକ ଗାଁ ଗାଁରେ ପାଣି ଡ୍ରମ, ଜରିପାଲ, ଶାଢ଼ି ଭଳି ବିଭିନ୍ନ ସାମଗ୍ରୀ ବିକ୍ରି କରିବାକୁ ଆସି ରୀତିମତ ଏହି ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି। ଏଭଳି ଘଟଣା ଅନେକ ଥର ସାମ୍ନାକୁ ମଧ୍ୟ ଆସିଛି। ଆଗରୁ ଏଭଳି ଗଞ୍ଜେଇ ଚାଲାଣ କରି କିଛି ବ୍ୟବସାୟୀ ପୁଲିସ ହାତରେ ଧରାପଡ଼ି ଜେଲ ମଧ୍ୟ ଯାଇଥିବା ନଜିର ରହିଛି। ତେବେ ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ଅଞ୍ଚଳକୁ ମଧ୍ୟପ୍ରଦେଶରୁ ପାଣି ଡ୍ରମ ବିକ୍ରି କରିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ପାଣିଡ୍ରମ ବଦଳରେ ଗଞ୍ଜେଇ ଦେଇଥିବା ଅଭିଯୋଗରେ ଉଠାଇ ନେଇଛି ଛତିଶଗଡ଼ ପୁଲିସ। ତେବେ
ଛତିଶଗଡ଼ ପୁଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ଜଣକ ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଞ୍ଚାୟତ ଅଧୀନରେ ଥିବା କରେକମ୍ବା ଗାଁର ଭୂୟାଁ ଦିଗାଲ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଗତ ଜାନୁୟାରୀ ମାସରେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଥାନା ପୁଲିସ ମଧ୍ୟପ୍ରଦେଶ ରାଜ୍ୟ ଦେବାସ ଜିଲ୍ଲା ସାରଗୋୟା ଥାନା ଅଞ୍ଚଳର ଜଗଦୀଶ ଭାଟିଆ ନାମକ ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଛତିଶଗଡ଼ର ଗରିଆବନ୍ଧ ଥାନାରେ ୩/୨୦୨୫ରେ ମାମଲା ମଧ୍ୟ ରୁଜୁ ହୋଇଛି। ତେବେ ଗିରଫ ଅଭିଯୁକ୍ତଜଣକ ଜବତ ଗଞ୍ଜେଇକୁ ଫିରିଙ୍ଗିଆ ଥାନା କରେ କାମ୍ବା ଗାଁର ଭୂୟାଁ କହଁରଠାରୁ କିଣିଥିବା ପୁଲିସକୁ ସୂଚନା ଦେଇଥିଲା। ଅଭିଯୁକ୍ତର ବୟାନ ଆଧାରରେ ଭୂୟାଁ କହଁର ନାଁରେ ଛତିଶଗଡ଼ ପୁଲିସ ଏକ ମାମଲା ରୁଜୁ କରି ରବିବାର ସକାଳୁ ଛତିଶଗଡ଼ ପୁଲିସର ଚାରି ଜଣିଆ ଟିମ୍ ଫିରିଙ୍ଗିଆ ପୁଲିସର ସହାୟତାରେ ଭୂୟାଁକୁ ତାର କରେ କାମ୍ବାସ୍ଥିତ ଘରୁ ଗିରଫ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଘଟଣା ଏବେ ଫିରିଙ୍ଗିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ବାହାର ରାଜ୍ୟରୁ ବିଭିନ୍ନ ସାମଗ୍ରୀ ଧରି ଗାଁଗାଁ ବୁଲି ବ୍ୟବସାୟ କରିବା ବାହାନାରେ ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡା ନଜର ରଖିବା ସହ ଏମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।



