ଭୁବନେଶ୍ବର: ଗତ ୮ ଦିନ ମଧ୍ୟରେ ପେଟ୍ରୋଲ ଓ ଡ଼ିଜେଲ ପାଖାପାଖି ୪.୫୦ ଟଙ୍କା ମହଙ୍ଗା ହୋଇଛି । ରବିବାର ପେଟ୍ରୋଲ ଦର ୬୨ ପଇସା ଓ ଡ଼ିଜେଲ ୬୪ ପଇସା ବୃଦ୍ଧି ପାଇଛି । ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛି । ଲୋକମାନଙ୍କୁ ଲୁଟିବାକୁ ସରକାର ଫନ୍ଦି କରିଛନ୍ତି ବୋଲି କଂଗ୍ରେସ ନେତା କପିଲ ସିବଲ କହିଛନ୍ତି ତୈଳ ଦର ବୃଦ୍ଧି କରାଯାଇ ସାଧାରଣ ଜନତାଙ୍କୁ ସରକାର ଲୁଟୁଛନ୍ତି । ୨୦୧୪ରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ୧୦୬ ଡ଼ଲାର ଥିବାବେଳେ ଦିଲ୍ଲୀରେ ପେଟ୍ରୋଲ ଦର ୭୧ ଟଙ୍କା ୪୧ ପଇସା ଥିଲା । ଏବେ ଆନ୍ତର୍ଜାତିକ ବଜାରରେ ବ୍ୟାରେଲ ଦର ୩୮ ଡ଼ଲାର, ମାତ୍ର ଦିଲ୍ଲୀରେ ପେଟ୍ରୋଲ ଦର ୭୫ ଟଙ୍କା ୧୬ ପଇସା ରହିଛି ବୋଲି ଶ୍ରୀ ସିବଲ ଅଭିଯୋଗ କରିଛନ୍ତି ।
ଗତ ୩ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏହା ସର୍ବାଧିକ ବୃଦ୍ଧି ବୋଲି ଜଣାପଡିଛି।
ଜୁନ ୨୦୧୭ ପରେ ତୈଳ କମ୍ପାନୀମାନେ ଦୈନିକ ଆଧାରରେ ମୂଲ୍ୟ ସମୀକ୍ଷା କରୁଛନ୍ତି। କରୋନା ଲକଡାଉନ ଯୋଗୁ ତୈଳ କମ୍ପାନୀମାନେ ପ୍ରାୟ ୧୨ ସପ୍ତାହ ହେଲା ମୂଲ୍ୟ ସଂଶୋଧନ କରିନଥିଲେ। ମାତ୍ର ଗତ ୭ ତାରିଖରୁ ଦୈନିକ ଦର ବୃଦ୍ଧି ଆରମ୍ଭ ହୋଇଛି । ଗତ ୮ ଦିନରେ ଡିଜେଲ ମୂଲ୍ୟରେ ୪ଟଙ୍କା ୬୪ ପଇସା ବୃଦ୍ଧି ଘଟିଛି ଓ ପେଟ୍ରୋଲ ମୂଲ୍ୟରେ ଅନୁରୂପ ଭାବରେ ୪ଟଙ୍କା ୫୨ ପଇସା ବୃଦ୍ଧି ପାଇଛି ।



