ପାତ୍ରପୁର: ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ୫-ଟି ମାଧ୍ୟମରେ ରାଜ୍ୟ ସରକାର ବ୍ୟାଙ୍କ ସୁବିଧା ନଥିବା ରାଜ୍ୟର ୪୩୭୩ ପଞ୍ଚାୟତରେ ଆମବ୍ୟାଙ୍କ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ପାତ୍ରପୁର ବ୍ଲକର ୧୫ ଗୋଟି ପଞ୍ଚାୟତରେ ଏହି ବ୍ୟାଙ୍କ ଖୋଲିଛି। ଏଥି ମଧ୍ୟରୁ ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା ଗୁଡିପଦର, ବ୍ରାହ୍ମଣ ନୂଆଗାଁ, କେଶରୀ ପଡା, ବରଙ୍ଗ, ଗୁଣ୍ଡୁରା, ସାମନ୍ତିଆ ପଲ୍ଲି, ତୁମ୍ବାଗଡ, ସାମନ୍ତରାପୁର, ଆମ୍ବପୂର ପଞ୍ଚାୟତ ସହିତ ବାଦପୁର, ଖମ୍ବାରି ଗାଁ, ଖରଣିପଡା, ତଣ୍ଡିପୁର, ମନ୍ଦରଡ଼ା ଏବଂ ଆଙ୍କୁଲି ପଞ୍ଚାୟତରେ ଆମବ୍ୟାଙ୍କ ସେବା ଆରମ୍ଭ ହୋଇଛି। ରାଜ୍ୟ ସରକାର ସି ଏସ ପି ପ୍ଲସ ଆଉଟ୍ ଲେଟ୍ ଦ୍ଵାରା ସେବା ପ୍ରଦାନ ପାଇଁ ୬ ଗୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ ବୁଝାଣାପତ୍ର ସ୍ବାକ୍ଷର କରି ଏହି ସେବା ଆରମ୍ଭ କରିଛନ୍ତି । ଏହି ବ୍ୟାଙ୍କ ସେବା ବନ୍ଦ ଥିବା ବିଦ୍ୟାଳୟ, ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଏବଂ ତୁମ୍ୱାଗଡ଼ଠାରେ ପଞ୍ଚାୟତ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି। ସେଥି ମଧ୍ୟରୁ ଆମ୍ବପୁର ପଞ୍ଚାୟତ ନରସିଂହପୁରଠାରେ ଖରଣିପଡା ପଞ୍ଚାୟତର ଚୈତନ୍ୟ ଚନ୍ଦ୍ରପୁର ଶାସନଠାରେ ଖମ୍ବାରିଗାଁ ପଞ୍ଚାୟତର ଲାଲକମା ଗାଁଠାରେ, ତଣ୍ଡିପୁର ପଞ୍ଚାୟତ ସାହସପୁରଠାରେ, ଆଙ୍କୁଲି ପଞ୍ଚାୟତର ତାଡ଼କା ସାହିଠାରେ ଖୋଲିଛି। ବ୍ୟାଙ୍କ ସେବା ଭଳି ସମସ୍ତ ସେବା ଯୋଗାଇବା ସହ ସରକାରଙ୍କ ପକ୍ଷରୁ ଲୋକଙ୍କୁ ମିଳୁଥିବା ଆର୍ଥିକ ସହାୟତା ସୁନିଶ୍ଚିତ କରିବା ବିଲ୍ ପୈଠ ଏବଂ ଗର୍ଭବତୀ ମହିଳା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗମାନଙ୍କୁ ଘର ଦୂଆରେ ସେବା ଯୋଗାଇବା ଏହାର ସ୍ଥିର ଲକ୍ଷ୍ୟ ରହିଛି। ବ୍ଲକର ବୁରତାଲ ପଞ୍ଚାୟତରେ ନିର୍ମାଣ ଚାଲିଥିବା ଏକ କୋଠା କାମ ଶେଷ ହେଲେ ସେବା ଆରମ୍ଭ କରିବାକୁ ସ୍ଥିର ହୋଇଛି। ଆଙ୍କୁଲି ପଞ୍ଚାୟତ ତାଡକା ସାହିଠାରେ ଖୋଲା ଯାଇଥିବା ଆମ ବ୍ୟାଙ୍କରେ ସ୍ଥାନୀୟ ପଞ୍ଚାୟତର ଲୋକଙ୍କ ମାଧ୍ୟମରେ ପରିଚାଳନା ଭାର ଦେବାକୁ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ଏହି ବ୍ୟାଙ୍କ ସେବା ଆରମ୍ଭ ଯୋଗୁଁ ସେବା ପାଇଁ ମାଇଲ ମାଇଲ ଯିବା ବନ୍ଦ ହେବା ସହିତ ପଂଚାୟତରେ ସେବା ପାଇ ପାରିବେ ଲୋକେ।
Popular Categories



