ପାଟଣା: ପାଟଣା ତହସିଲ ଅଞ୍ଚଳ ବାଲିମାଫିଆଙ୍କ ପାଇଁ ଖୁଲମଖୁଲା ହୋଇଗଲାଣି। ଯିଏ ଯେଉଁଠୁ ପାରିଲା ମେସିନ, ହାଇୱା, ଡମ୍ଫର ଓ ଟ୍ରାକ୍ଟର ଜରିଆରେ ଅବାଧରେ ବୈତରଣୀ ଓ ଅନ୍ୟାନ୍ୟ ନଦୀ ନାଳରୁ ବାଲିଲୁଟ କରୁଥିବା ଦେଖାଯାଉଛି। ଲିଜ ଥାଉ କି ନ ଥାଉ କିଛି ପରବାୟ ନାହିଁ ନ୍ୟାୟରେ ବାଲି ଲୁଟ ଚାଲିିଛି। ବାଲି ବିକ୍ରିରେ ପ୍ରଚୁର ଲାଭ ହେଉଥିବାରୁ ଦିନରାତି ବେଧଡକ ବାଲିଲୁଟ ହେଉଛି। ଏପରିକି ନଦୀ ଗର୍ଭକୁ ମେସିନ ନେବା ନିଷେଧ ଥିବାବେଳେ ବାଲି ଉଠାଇବା ପାଇଁ ନଦୀ ଗର୍ଭକୁ ଅସ୍ଥାୟୀ ରାସ୍ତା କରାଯିବା ବେଆଇନ ହୋଇଥିଲେ ମଧ୍ୟ ନଦୀ ମଧ୍ୟକୁ ରାସ୍ତା କରି ପାଣି ଭିତରୁ ବାଲି ଛାଣି ନିଆଯାଉଛି।
ଆଜି ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଗୋଡା ନିକଟରୁ ମେସିନ ଲଗାଯାଇ ବୈତରଣୀରୁ ବାଲି ଉଠାଯାଇ ଚାଲାଣ କରାଯାଉଥିବା ଦେଖାଯାଇଥିଲା। ଏ ନେଇ ପାଟଣା ତହସିଲଦାର ଶିବପ୍ରସାଦ ମୁର୍ମ୍ମୁଙ୍କୁ ଯୋଗାଯୋଗ କରାଯିବାରେ ନଦୀକୁ ମେସିନ ପୁରାଇବା ଓ ରାସ୍ତା ନିର୍ମାଣ କରାଯିବା ନିୟମ ନ ଥିବା ସ୍ୱୀକାର କରିଥିଲେ ଓ ଘଟଣା ପ୍ରତି ନଜର ଦେବେ ବୋଲି କହିଛନ୍ତି। ତେବେ ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ବୈତରଣୀ ସେତୁ ନିକଟରେ ଏପରି ବେଆଇନ ବାଲି ଉଠାଣ କରିବାକୁ ବାଲି ବେପାରୀ କେଉଁଠୁ ସାହାସ ପାଉଛନ୍ତି ଓ ଏମାନଙ୍କ ପଛରେ କିଏ ତାହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।



