ଭଲ ବ୍ୟବସାୟ ରାଜନୀତି! ପଞ୍ଚାୟତ ରାଜନୀତିରେ ପୁରା ପରିବାର

ବ୍ଳକ ଅଧ୍ୟକ୍ଷ ପଦବୀ ହାତେଇବା ପାଇଁ ନିର୍ବାଚନ ମଇଦାନରେ ଦୁଇଭାଇ ଦୁଇବୋହୂ 

ବୌଦ୍ଧ : ବର୍ତ୍ତମାନ ସାରା ଜିଲାରେ ପଞ୍ଚାୟତ ନିର୍ବାଚନ ସରଗରମ। ଦଳୀୟ ପ୍ରାର୍ଥୀ ଓ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ନେତାମାନେ ଗାଁ ଗାଁରେ ଡେରା ପକାଇ ପ୍ରଚାରରେ ବ୍ୟସ୍ତ। ଜିଲାରେ ଦୀର୍ଘବର୍ଷ ହେବ ସମସ୍ତ ବ୍ଳକ ଅଧକ୍ଷ୍ୟ ଓ ଜିଲାପରିଷଦ ଅଧ୍ୟକ୍ଷ ଆସନ ଶାସକ ଦଳ କବଜାରେ ରହି ଆସିଥିବାବେଳେ ବର୍ତ୍ତମାନ ମୁଖ୍ୟ ବିରୋଧି ଦଳ ହେଉଛି ବିଜେପି। ତେବେ କଂଗ୍ରେସ ସଂଗଠନ ମଧ୍ୟ ଜିଲାରେ ଏତେ ଦୁର୍ବଳ ବୋଲି କୁହାଯାଇପାରିବନାହିଁ। ବୌଦ୍ଧରେ ପଞ୍ଚାୟତ ନିର୍ବାଚନରେ ହରଭଙ୍ଗା ବ୍ଳକ ଅଧ୍ୟକ୍ଷ ପଦବୀ ସବୁବେଳେ ଚର୍ଚ୍ଚାରେ ଥାଏ। କଂଗ୍ରେସ ହେଉକି ବିଜେପି, ହରଭଙ୍ଗା ବ୍ଳକରେ ବିରୋଧି ଦଳର ଟାଣୁଆ ନେତା କହିଲେ ସୁଶାନ୍ତ ପ୍ରଧାନଙ୍କୁ ବୁଝାଇଥାଏ। ସୁଶାନ୍ତଙ୍କ ପୁରା ପରିବାର ରାଜନିତିରେ କହିଲେ ଅତ୍ୟୁକ୍ତି ହେବନାହିଁ। ଜନତା ଦଳରୁ ରାଜନିତି ଆରମ୍ଭ କରି ସ୍ୱାଧୀନ ପ୍ରାର୍ଥୀ ଭାବରେ ସୁଶାନ୍ତ ପ୍ରଥମ ଜିଲାପରିଷଦ ନିର୍ବାଚନରେ ବିଜୟୀ ହୋଇ ଜିଲାପରିଷଦର ଉପାଧ୍ୟକ୍ଷ ପଦବି ହାସଲ କରିଥିଲେ। ପରେ କନ୍ଧମାଳର ଟାଣୁଆ ନେତା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଚକମା ଦେଖାଇ ସେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ପଦବୀ ଦଖଲ କରିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କ୍ଷମତା ପାଇଁ ଦଳ ବଦଳାଇବାରେ ମାହିର ସୁଶାନ୍ତ ବାବୁ କଂଗ୍ରେସ, ସ୍ୱାଧୀନ ଓ ଗତ ନିର୍ବାଚନରେ ବିଜେପି ପକ୍ଷରୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଧାୟକ ପ୍ରଦିପ କୁମାର ଅମାତଙ୍କ ଚକ୍ରବ୍ୟହ ଭେଦ କରିବାରେ ବିଫଳ ହୋଇ ବାରମ୍ବାର ପରାଜୟର ସ୍ୱାଦହିଁ ଚାଖିଛନ୍ତି। ତେବେ ଏଥର ନିର୍ବାଚନରେ ହରଭଙ୍ଗା ବ୍ଲକର ତିନୋଟି ଜୋନରେ ବିଜେପି ପ୍ରାର୍ଥୀମାନେ ସୁଶାନ୍ତଙ୍କ ଉପରେ ନିର୍ଭରଶୀଳ। କିନ୍ତୁ ପୁରା ରାଜନିତୀ ବ୍ୟବସାୟରେ ସକ୍ରିୟ ଥିବା ପ୍ରଧାନ ପରିବାରର ଲକ୍ଷ ଏଥର ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ପଦବୀ। ଏଥିପାଇଁ ସୁଶାନ୍ତଙ୍କ ଦୁଇ ଭାଇ ଓ ଦୁଇ ବୋହୁ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନିର୍ବାଚନକୁ ଓହ୍ଲାଇଛନ୍ତି। ପର୍ବୂରୁ ତିଲେଶ୍ୱର ସରପଞ୍ଚ ଓ ସମିତିସଭ୍ୟ ରହିସାରିଥିବା ସରୋଜ କୁମାର ପ୍ରଧାନ ଏଥର ନିର୍ବାଚନରେ ରାଧାନଗର ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ତାଙ୍କ ପତ୍ନୀ ସ୍ନେହଲତା ପ୍ରଧାନ ସାମ୍ପୋଚ ପଞ୍ଚାୟତରୁ ସଭିତି ସଭ୍ୟା ପ୍ରାର୍ଥୀ ହୋଇଛନ୍ତି।

ସେହିପରି ପୂର୍ବ ନିର୍ବାଚନରେ ତିଲେଶ୍ୱର ସରପଞ୍ଚ ଥିବା ପ୍ରଶାନ୍ତ କୁମାର ପ୍ରଧାନ ଏଥର ବାଣିଭୂଷଣପୁର ପଞ୍ଚାୟତରୁ ସମିତିସଭ୍ୟ ଭାବରେ ଓ ତାଙ୍କ ପତ୍ନୀ ମମତା ପ୍ରଧାନ କରଞ୍ଜକଟା ପଞ୍ଚାୟତରୁ ସଭିତି ସଭ୍ୟା ଭାବରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତେଣୁ ପୁରା ପ୍ରଧାନ ପରିବାରର ନଜର ପଞ୍ଚାୟତ ରାଜନିତିରେ ସକ୍ରିୟ ରହିଥିବାବେଳେ ହରଭଙ୍ଗା ବ୍ଲକରେ ଜିଲାପରିଷଦରେ ତାଙ୍କରି ଉପରେ ନିର୍ଭରଶୀଳ ବିଜେପି ପ୍ରାର୍ଥୀମାନଙ୍କୁ ହତାଶ ହେବାକୁ ପଡିଛି। ହରଭଙ୍ଗା ବ୍ଲକ ୨୨ ଗୋଟି ପଞ୍ଚାୟତକୁ ନେଇ ଗଠିତ। ଏଥର ବ୍ଲକ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅଧ୍ୟକ୍ଷ ପଦବୀ ପାଇଁ ନିଜ ପରିବାରର ଦୁଇ ଭାଇ ଓ ଦୁଇ ବୋହୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ସହିତ ଅନ୍ୟ ପଞ୍ଚାୟତଗୁଡିକରେ ମଧ୍ୟ ସେମାନଙ୍କ ପକ୍ଷରୁ ପ୍ରାର୍ଥୀ ଦିଆଯାଇଛି। ଯଦି ପ୍ରଧାନ ପରିବାର ୪ ଗୋଟି ସମିତି ଆସନ ଦଖଲ କରିନିଏ ତ ଅଧ୍ୟକ୍ଷ ପଦବୀ ହାତେଇବାରେ ଏକ ବଡ ସୁଯୋଗ ସୃଷ୍ଟି ହୋଇଯିବ। ଏପଟେ କିନ୍ତୁ ଶାସକ ଦଳ ହରଭଙ୍ଗା ବ୍ଳକ ଅଧ୍ୟକ୍ଷ ପଦବୀ ବଜାୟ ରଖିବା ପାଇଁ ଜୋର ସୋର ଉଦ୍ୟମ ଜାରିରଖିଛି। ଜିଲାପରିଷଦ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ସମିତି ଓ ସରପଞ୍ଚ ପ୍ରାର୍ଥୀ ପର୍ଯ୍ୟନ୍ତ ସମନ୍ୱୟ ରକ୍ଷା କରି ମିଳିତ ଭାବରେ ବିଜୟୀ କରାଇବାକୁ ବିଜେଡି ପକ୍ଷରୁ ରଣନିତି ପ୍ରସ୍ତୁତ କରାଯାଇଛି। ନିଜେ ଖୋଦ ବିଧାୟକ ପ୍ରଦୀପ କୁମାର ଅମାତ ଜିଲାପରିଷଦ ଓ ପଞ୍ଚାୟତର ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଦିନରାତି ଏକ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତୃତୀୟ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକରେ ହେବାକୁଥିବା ମତଦାନକୁ ଆଉ ଏକ ସପ୍ତାହ ବାକି ଥିବାବେଳେ ଚଳିତ ନିର୍ବାଚନରେ ପ୍ରଧାନ ପରିବାର ନିଜର ରାଜନୀତୀ ଗୋଟି ଚାଳନାରେ ସଫଳ ହେଉଛନ୍ତି ନା ଶାସକ ଦଳ ଗୋଟି ଚାଳନାରେ ଧରାଶାୟୀ ହେଉଛନ୍ତି ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Comments are closed.