ଅମୃତସର: ପଞ୍ଜାବର ଅମୃତସର ସୀମାନ୍ତରେ ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ପାକିସ୍ତାନୀ ନିଶାଦ୍ରବ୍ୟ ଚାଲାଣକାରୀ ସେନା ଗୁଳିରେ ନିହତ ହୋଇଛି। ତା’ଠାରୁ ଯବାନମାନେ ୨ଟି ଏକେ-୪୭ ବନ୍ଧୁକ, ୨ଟି ମାଗାଜିନ, ପାକିସ୍ତାନୀ ମୁଦ୍ରା ସମେତ ୨୨ କିଲୋ ହେରୋଇନ ଜବତ ହୋଇଛି। ଏହି ମାମଲାରେ ଲୋପୋକେ ଥାନା ପୁଲିସ ଗୁରଦାସପୁରର ଦୁଇ ନିଶାଦ୍ରବ୍ୟ ଚାଲାଣକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ବିଏସଏଫ ଯବାନମାନେ କକଡ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଯବାନମାନେ ସୀମା ନିର୍ଦ୍ଧାରଣ କରୁଥିବା କଣ୍ଟା ତା’ର ପାଖରେ କିଛି ଶବ୍ଦ ଶୁଣିଥିଲେ। ଯବାନମାନେ ପାଟି କରିଥିଲେ ମଧ୍ୟ ନିଶାଦ୍ରବ୍ୟ ଚାଲାଣକାରୀ ଜଣକ ଶୁଣି ନ ଥିଲା। ଫଳରେ ଯବାନମାନେ ଗୁଳି କରିଥିଲେ, ଯେଉଁଥିରେ ସେ ନିହତ ହୋଇଥିଲା।
ଅନ୍ୟପଟେ ଲୋପୋକେ ଥାନା ପୁଲିସ ନିଶାଦ୍ରବ୍ୟ ଚାଲାଣକାରୀ ଗୁରଦାସପୁରର ଜଗଦୀଶ ଭୁରା ଏବଂ ଯଶପାଲ୍ ସିଂହ ବିରୋଧରେ ମାମଲା ରୁଜୁ କରିଛି। ଜଗଦୀଶ ଭୁରା ଏବେ ବେଲଜିୟମରେ ଅଛି ଏବଂ ସେ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ଥିବା ପୁଲିସ କହିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ଭୁରାର ସମ୍ପର୍କ ରହିଛି। ବିଭିନ୍ନ ସମୟରେ ଅନୁପ୍ରବେଶକାରୀମାନେ ସୀମା ଡେଇଁ ଭାରତରେ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ପହଞ୍ଚାଉଥିବା ଜଣାପଡ଼ିଛି।



