ଇସଲାମାବାଦ: ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ନାବାଳିକାଙ୍କୁ ଅପହରଣ କରାଯାଇ ଜୋର ଜବରଦସ୍ତି ବିବାହ କରାଯିବା ସହ ତାଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏଭଳି ଘଟଣା ଘଟିଛି। ପଞ୍ଜାବ ପ୍ରଦେଶର ରହିମ ୟାର ଖାନ ଜିଲାର ଏହି ୧୭ ବର୍ଷୀୟା ନାବାଳିକାଙ୍କୁ ତାହିର ତାମ୍ରି ନାମକ ଜଣେ ମୁସଲମାନ ବ୍ୟକ୍ତି ଅପହରଣ କରିନେଇ ଏଭଳି କାର୍ଯ୍ୟ କରିଛନ୍ତି। ଘଟଣା ପରେ ସ୍ଥାନୀୟ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନାବାଳିକାଙ୍କୁ ସୁରକ୍ଷିତ ଭାବେ ଛାଡ଼ିଦେବାକୁ ହିନ୍ଦୁ ସମୁଦାୟ ପକ୍ଷରୁ ଦାବି କରାଯାଇ ରାସ୍ତାରୋକୋ କରାଯାଇଛି। ନାବାଳିକାଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ କରାଯାଇଛି। ତାହିର ତାଙ୍କ ମା’ବାପାଙ୍କ ଜରିଆରେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ। ପରେ ସେଠାରୁ ତାଙ୍କୁ କରାଚୀ ନେଇଯାଇ ବିବାହ କରିବା ସହ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ। ଅପହର୍ତ୍ତା ବିବାହ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ୍ କରିଥିଲେ। ସୂଚନାଯୋଗ୍ୟ, ଗତମାସରେ ସିନ୍ଧ ପ୍ରଦେଶରେ ହିନ୍ଦୁ ନାବାଳିକାଙ୍କୁ ଅପହରଣ କରାଯାଇ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯିବା ଘଟଣା ସାମ୍ନାକୁ ଆସିଥିଲା।
ପାକିସ୍ତାନରେ ପୁଣି ହିନ୍ଦୁ ନାବାଳିକାଙ୍କୁ ଅପହରଣ ପରେ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ
Popular Categories



